ଭୁବନେଶ୍ୱର, ୨୮/୦୫ : ମୌସୁମୀ ଆଗୁଆ କେରଳ ଛୁଇଁଲା ନାହିଁ । କେବେ କେରଳରେ ମୌସୁମୀ ସ୍ପର୍ଶ କରିବ, ସେ ନେଇ ପାଣିପାଗ ବିଭାଗ ମଧ୍ୟ ତାଜା ପୂର୍ବାନୁମାନ ଜାରି କରିନାହିଁ । ଅନ୍ୟପଟେ କୃଷି ପାଣିପାଗ ବୈଜ୍ଞାନିକ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ଚଳିତବର୍ଷ ମୌସୁମୀ ପ୍ରାୟତଃ ସ୍ୱାଭାବିକ ସମୟରେ କେରଳ ଉପକୂଳରେ ପ୍ରବେଶ କରିପାରେ । ଗତ ୪୮ ଘଣ୍ଟା ମଧ୍ୟରେ ମୌସୁମୀ ପ୍ରବାହ ଅଧିକ ବ୍ୟାପକ ହୋଇଥିଲେ ମଧ୍ୟ ସେତେ ସଂଗଠିତ ହୋଇପାରି ନାହିଁ। ଫଳରେ ମୌସୁମୀ ଆଗମନର ସମ୍ଭାବ୍ୟ ସମୟ ସୀମା ବର୍ତ୍ତମାନ ମେ’ ୨୮ ରୁ ୩୧ ତାରିଖ ଆଡ଼କୁ ଘୁଞ୍ଚିଯାଇଛି ।
ପ୍ରଫେସର ପଶୁପାଳକ କହିଛନ୍ତି, ମୌସୁମୀର ଆରବ ସାଗରୀୟ ଶାଖା ଏବେ ମଧ୍ୟ ଶକ୍ତିଶାଳୀ ରହିଛି। ନିରନ୍ତର ବିଷୁବରେଖା ଅତିକ୍ରମ କରୁଥିବା ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହ, ପଶ୍ଚିମ ଉପକୂଳରେ ସକ୍ରିୟ ଅଫ୍-ସୋର୍ ଟ୍ରଫ୍ ଏବଂ ମାଳଦ୍ୱୀପ- ଲାକ୍ଷାଦ୍ୱୀପ-କେରଳ ଅଞ୍ଚଳରେ ସୃଷ୍ଟି ହୋଇଥିବା ଗଭୀର ବାୟୁମଣ୍ଡଳୀୟ ଆଲୋଡ଼ନ ମୌସୁମୀର ସକ୍ରିୟ ସଂଗଠନକୁ ସହାୟତା କରୁଛି । ଏହି ପରିସ୍ଥିତି ଯୋଗୁ କେରଳ, ଲାକ୍ଷାଦ୍ୱୀପ ଏବଂ ଏହାର ସଂଲଗ୍ନ ପଶ୍ଚିମ ଉପକୂଳବର୍ତ୍ତୀ ଅଞ୍ଚଳରେ ବ୍ୟାପକ ବର୍ଷା, ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା, ଝଟ୍କା ପବନ, ଘନ ମେଘମାଳା ଏବଂ ସ୍ୱାଭାବିକଠାରୁ କମ୍ ତାପମାତ୍ରା ଅନୁଭୂତ ହେଉଛି । ଏମଜେଓର ଶକ୍ତିଶାଳୀ ପ୍ରଭାବ ସାମାନ୍ୟ ପୂର୍ବ ଦିଗକୁ ଗତି କରୁଛି । ଏହା ତୁରନ୍ତ ମୌସୁମୀ ସଂଗଠିତ ହେବାର ପ୍ରକ୍ରିୟାକୁ କିଛିଟା ମନ୍ଥର କରିଦେଇଛି ।
ଏହି ଖବରଟିକୁ ପଢନ୍ତୁ- ତାତିରୁ ଆଶ୍ୱସ୍ତି ଦେଲା କାଳବୈଶାଖୀ, ପଶ୍ଚିମ ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ, ୨୯ରୁ ଖସିବ ତାପମାତ୍ରା
ସେହିପରି ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ପରିଚାଳନ ପ୍ରକ୍ରିୟା ଏକ ସୁସଂଗଠିତ ଲଘୁଚାପ ବଦଳରେ ବ୍ୟାପକ ମୌସୁମୀ ଅନୁକୂଳ ପ୍ରବାହରେ ପରିଣତ ହୋଇଛି । ପୂର୍ବ ଭାରତକୁ ଆର୍ଦ୍ରତା ପରିବହନର ଗତି ହ୍ରାସ ପାଇଛି । ସେ କହିଛନ୍ତି, ବଙ୍ଗୋପସାଗରର ପୂର୍ବ ଭାଗରେ ସାନ୍ଦ୍ର ଆଦ୍ରତା କେନ୍ଦ୍ରୀଭୂତ ରହିଛି । ତେଣୁ ଭୁବନେଶ୍ୱର ଏବଂ କଟକ ସମେତ ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଗୁଳୁଗୁଳି ଏବଂ ଅତ୍ୟଧିକ ଆଦ୍ରତା ଜନିତ ଗରମ ଅନୁଭୂତ ହେବା ସମ୍ଭାବନା ରହିଛି । ଅପରପକ୍ଷରେ ସ୍ଥଳଭାଗରୁ ଆସୁଥିବା ଶୁଷ୍କ ଉତ୍ତର-ପଶ୍ଚିମ ବାୟୁ ପ୍ରବାହ ଯୋଗୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିପାରେ । ଆସନ୍ତା ଦିନଗୁଡ଼ିକରେ କାଳବୈଶାଖୀର ସକ୍ରିୟତା, ବଙ୍ଗୋପସାଗରୀୟ ମୌସୁମୀ ଟ୍ରଫ ଯୋଗୁ ଆଭ୍ୟନ୍ତରୀଣ ଅଞ୍ଚଳର ଉତ୍ତାପ ଧୀରେ ଧୀରେ ହ୍ରାସ ପାଇବ । ରାଜ୍ୟରେ ବଜ୍ରପାତ ସହ ବର୍ଷାର ପରିମାଣ ବୃଦ୍ଧି ପାଇବ । ସାମଗ୍ରିକ ଭାବେ ବାୟୁମଣ୍ଡଳୀୟ ସ୍ଥିତି ସାରା ଭାରତୀୟ ଭୂଖଣ୍ଡରେ ମୌସୁମୀର ଅଗ୍ରଗତି ପାଇଁ ବେଶ୍ ଅନୁକୂଳ ରହିଛି । ପାଣିପାଗ ବିଭାଗ କହିଛି, ଦକ୍ଷିଣ-ପଶ୍ଚିମ ଏବଂ ଦକ୍ଷିଣ ପୂର୍ବ ଆରବ ସାଗର, ଲାକ୍ଷାଦ୍ୱୀପ, ଦକ୍ଷିଣ ପଶ୍ଚିମ, ପୂର୍ବ କେନ୍ଦ୍ରୀୟ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରର କିଛି ଅଂଶ ଓ ଉତ୍ତର ପୂର୍ବ ବଙ୍ଗୋପସାଗରର ବାକି କିଛି ଅଂଶରେ ମୌସୁମୀ ଆସନ୍ତା ୨-୩ ଦିନରେ ପ୍ରବେଶ କରିପାରେ।