ନୂଆଦିଲ୍ଲୀ,୩୦/୦୧: ଦିଲ୍ଲୀ ଏବଂ ବିହାରରେ ବିଶାଳ ବିଜୟ ସହ ୨୦୨୫ ବର୍ଷ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୨୦୨୬ରେ ମଧ୍ୟ ମହାରାଷ୍ଟ୍ର ପୌର ନିର୍ବାନଚରେ ବିଜେପିର ବିଜୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ବିଜେପି କ୍ରେଜ୍ ଧିରେ ଧିରେ ବଢିବାରେ ଲାଗିଛି । ଦେଶରେ ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ନିଜ ଦମରେ ସରକାର ଗଢିବ । ୩୫୦ରୁ ଅଧିକ ଆସନ ହାତେଇ । ଇଣ୍ଡିଆ ଟୁ଼ଡେ-ସି ଭୋଟର ମୁଡ୍ ଅଫ୍ ଦି ନେସନ୍ ସର୍ଭେରୁ ଏହା ଜଣାପଡିଛି । ଡିସେମ୍ଭର ୮ରୁ ଜାନୁଆରୀ ୨୧ ମଧ୍ୟରେ ଏହି ସର୍ଭେ ହୋଇଥିଲା । ସବୁ ବର୍ଗ ଜାତି, ଧର୍ମ ଲିଙ୍ଗ ସମେତ ୩୬ ହଜାର ୨୬୫ ଲୋକ ଏଥିରେ ସାମିଲ ହୋଇଥିଲେ ।
ସର୍ଭେ ଅନୁସାରେ, ଆଗକୁ ମଧ୍ୟ ଏନଡିଏ ଏହାର ବିଜୟ ଧାରା ଜାରି ରଖିବ । ୫୫ ପ୍ରତିଶତ ଭୋଟର ମୋଦିଙ୍କୁ ପ୍ରଧାନମନ୍ତ୍ରୀ ଭାବେ ପସନ୍ଦ କରନ୍ତି । ୨୦୨୫ ଅଗଷ୍ଟରେ ତାଙ୍କ ପ୍ରତି ୫୨ ପ୍ରତିଶତ ଭୋଟରଙ୍କ ସମର୍ଥନ ଥିଲା । ୨୦୨୪ରେ ୪୯ ପ୍ରତିଶତ ଭୋଟରଙ୍କ ସମର୍ଥନ ଥିଲା । ସେହିପରି ରାହୁଲ ଗାନ୍ଧୀଙ୍କୁ ୨୭ ପ୍ରତିଶତ ଭୋଟର ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହାନ୍ତି । ଆଜି ଯଦି ଲୋକସଭା ନିର୍ବାଚନ ହେବ ତେବେ ଏନଡିଏ ୩୫୨ ଆସନରେ ଜିତିବ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୨୪ ନିର୍ବାଚନ ପ୍ରଚାର ସମୟରେ ଯେଉଁ '୪୦୦ ପାର୍' ସ୍ଲୋଗାନ ଦିଆଯାଇଥିଲା ଦଳ ସେହି ସଂଖ୍ୟା ଛୁଇଁପାରିବନି । କିନ୍ତୁ ସଂଖ୍ୟା ଦର୍ଶାଉଛି ଯେ, ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପ୍ରତି ଲୋକମାନଙ୍କର ବିଶ୍ୱାସ ଜାରି ରହିଛି ।
ଆଜି ଯଦି ନିର୍ବାଚନ ହୁଏ, ତେବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଆସନ ସଂଖ୍ୟା ୧୮୨କୁ ଖସି ଆସିବ ବୋଲି ସର୍ଭେ କହୁଛି । ୨୦୨୪ ଲୋକସଭା ନିର୍ବାଚନରେ ଇଣ୍ଡି ମେଣ୍ଟ ୨୩୪ ଆସନରେ ବିଜୟୀ ହୋଇଥିଲା । ସଂଖ୍ୟା ଦର୍ଶାଉଛି ଯେ, ୨୦୨୫ ଅଗଷ୍ଟରେ ମୁଡ୍ ଅଫ୍ ଦି ନେସନ୍ ଇଣ୍ଡି ମେଣ୍ଟ ପାଇଁ ଆକଳନ କରିଥିବା ୨୦୮ ସଂଖ୍ୟାଠାରୁ ମଧ୍ୟ ଏହା କମ୍ ପାଇବ । ୨୦୨୬ରେ ୫ ରାଜ୍ୟ ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, ଆସାମ ଓ ପୁଡୁଚେରୀରେ ନିର୍ବାଚନ ହେବ । ଏହା ପୂର୍ବରୁ ସର୍ଭେ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ପାଇଁ ଏଭଳି ଏକ ସଂଖ୍ୟା ଆକଳନ କରିବା ଦଳର ନେତାମାନଙ୍କ ମନୋବଳକୁ ଦୃଢ କରିଛି ।
ଏହା ବି ପଢନ୍ତୁ...ବିହାର ସରକାରଙ୍କ ବଡ଼ ନିଷ୍ପତ୍ତି; ସରକାରୀ କର୍ମଚାରୀଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ କଡ଼ା ପ୍ରତିବନ୍ଧକ
ସର୍ଭେ ଦର୍ଶାଉଛି ଯେ ଆଜି ନିର୍ବାଚନ ହେଲେ ବିଜେପି ୨୮୭ ଆସନରେ ଜିତିବ । ଏକାକୀ ସରକାର ଗଠନ କରିପାରିବ । ଏନଡିଏ ଆସନ ବଢି ୩୫୨ ହେବ । ଏହି ପରି ବିଜେପି ନିଜ ଦମରେ ବହୁମତ ହାସଲ କରିବ । ଅନ୍ୟପଟେ ଆଜି ଲୋକସଭା ନିର୍ବାଚନ ହେଲେ କଂଗ୍ରେସ ୮୦ ଆସନରେ ଜିତିବ । ଅଗଷ୍ଟ ୨୦୨୫ ଆକଳନ ତୁଳନାରେ କଂଗ୍ରେସର ସଂଖ୍ୟା କମିଯାଇଛି । ଆଜି ନିର୍ବାଚନ ହେଲେ ବିଜେପି ନେତୃତ୍ୱାଧୀନ ଏନଡିଏର ଭୋଟ ୪୭ ପ୍ରତିଶତ ରହିବ ।