- ଜି-୨୦ ଦେଶରେ ଭାରତର ଅଭିବୃଦ୍ଧି ସବୁଠୁ ଅଧିକ ରହିବ
- ମଜଭୁତ ଘରୋଇ ଚାହିଦା, ନୀତିଗତ ନିଷ୍ପତ୍ତି ଯୋଗୁ ସମ୍ଭବ ହେବ
- ଭାରତୀୟ ବ୍ୟାଙ୍କଗୁଡ଼ିକର ସ୍ଥିତି ଭଲ ରହିବ
ନୂଆଦିଲ୍ଲୀ,୧୦/୨: ୨୦୨୬-୨୭ ଆର୍ଥିକ୍ ବର୍ଷରେ ଭାରତର ଜିଡିପି ୬.୪% ହାରରେ ବଢ଼ିପାରେ । ଗ୍ଲୋବାଲ ରେଟିଂ ଏଜେନ୍ସି ମୁଡିସ୍ ସୋମବାର ଭାରତୀୟ ଅର୍ଥନୀତିକୁ ନେଇ ଏଭଳି ଅନୁମାନ କରିଛି । ମୁଡିସ୍ ପ୍ରକାଶ କରିଛି ଯେ, ଏହି ଅଭିବୃଦ୍ଧି ହାର ବିଶ୍ୱର ପ୍ରମୁଖ ଅର୍ଥ ବ୍ୟବସ୍ଥାଗୁଡ଼ିକୁ ନେଇ ଗଠିତ ଜି-୨୦ ଦେଶଗୁଡ଼ିକର ଗ୍ରୁପ୍ରେ ସବୁଠାରୁ ଅଧିକ ହେବ । ମଜଭୁତ ଘରୋଇ ଚାହିଦା, ସରକାରଙ୍କ ନୀତିଗତ ନିଷ୍ପତ୍ତି ଏବଂ ଦେଶର ସ୍ଥିର ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଯୋଗୁ ଏହା ସମ୍ଭବ ହେବ । ମୁଡିସ୍ର ଏ ଅନୁମାନ ଭାରତ ସରକାର ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ)ର ଅନୁମାନ ତୁଳନାରେ ସାମାନ୍ୟ କମ୍ ରହିଛି ।
ଗତ ମାସ ସଂସଦରେ ଉପସ୍ଥାପିତ ଅର୍ଥନୈତିକ ସର୍ଭେରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ୭.୪% ଅଭିବୃଦ୍ଧି ଆକଳନ କରାଯାଇଛି । ସେହିଭଳି ଆର୍ବିଆଇ ନିକଟରେ ଏହାର ମୁଦ୍ରାନୀତି ବୈଠକରେ ଆର୍ଥିକ ବର୍ଷ ୨୦୨୬- ୨୭ର ପ୍ରଥମ ୬ ମାସ ପାଇଁ ପାଖାପାଖି ୭% ଅଭିବୃଦ୍ଧି ଅନୁମାନ କରିଛି । ଏଜେନ୍ସି ଅନୁମାନ କରିଛି ଯେ, ଆଲୋଚ୍ୟ ସମୟରେ ଚୀନ୍ର ଜିଡିପି ୪.୨%, ଆର୍ଜେଣ୍ଟିନାର ୪.୦%, ଇଣ୍ଡୋନେସିଆର ୪.୦% ଓ ରୁଷର ବି ୪.୦% ବଢ଼ିବ ।
ମୁଡିସ୍ ରିପୋର୍ଟରେ କୁହାଯାଇଛି ଯେ, ୨୦୨୫ ସେପ୍ଟେମ୍ବରରେ ଜିଏସ୍ଟି ନିୟମରେ ହୋଇଥିବା ପରିବର୍ତ୍ତନ ଏବଂ ବ୍ୟକ୍ତିଗତ ଆୟକର ସୀମା ବୃଦ୍ଧି ଦ୍ୱାରା ଲୋକଙ୍କ ପାଖରେ ଅଧିକ ଟଙ୍କା ସଞ୍ଚୟ ହେବ । ଏହାଦ୍ୱାରା ବଜାରରେ ଚାହିଦା ବଢ଼ିବ, ଯାହାଦ୍ୱାରା ଅର୍ଥନୀତିରେ ଅଭିବୃଦ୍ଧି ହେବ । ରେଟିଂ ଏଜେନ୍ସି ଏହାର ବ୍ୟାଙ୍କିଙ୍ଗ୍ ସିଷ୍ଟମ୍ ଆଉଟ୍ଲୁକ୍ ରିପୋର୍ଟରେ ପ୍ରକାଶ କରିଛି ଯେ, ଭାରତୀୟ ବ୍ୟାଙ୍କଗୁଡ଼ିକର ସ୍ଥିତି ଭଲ ରହିବ । ୨୦୨୬-୨୭ ଆର୍ଥିକବର୍ଷରେ ଭାରତୀୟ ବ୍ୟାଙ୍କଗୁଡ଼ିକର ଋଣ ଅଭିବୃଦ୍ଧି ୧୧-୧୩% ରହିବାର ଅନୁମାନ କରିଛି ମୁଡିସ୍ । ବ୍ୟାଙ୍କଗୁଡ଼ିକର ଅନାଦାୟ ଋଣ ପରିସମ୍ପତ୍ତି ସ୍ତର ୨%ରୁ ୨.୫% ମଧ୍ୟରେ ରହିବାର ଅନୁମାନ ଅଛି, ଯାହା ଅତ୍ୟନ୍ତ ନିରାପଦ ସ୍ତର ।
ମୁଡିସ୍ ମୁତାବକ, ଏମ୍ଏସ୍ଏମ୍ଇଗୁଡ଼ିକ ଉପରେ କିଛି ଚାପ ଦେଖିବାକୁ ମିଳିପାରେ କିନ୍ତୁ ବ୍ୟାଙ୍କଗୁଡ଼ିକ ନିକଟରେ ଏହି କ୍ଷତିକୁ ସହ୍ୟ କରିବା ପାଇଁ ପର୍ଯ୍ୟାପ୍ତ ପୁଞ୍ଜି ରହିଛି । ରିପୋର୍ଟରେ କୁହାଯାଇଛି ଯେ, ଚଳିତ ମାସ ଭାରତ ଏବଂ ଆମେରିକା ମଧ୍ୟରେ ହୋଇଥିବା ବାଣିଜ୍ୟ ଚୁକ୍ତି ପରେ ରପ୍ତାନି କ୍ଷେତ୍ର ସହ ଜଡ଼ିତ କମ୍ପାନିଗୁଡ଼ିକର ସ୍ଥିତିରେ ସୁଧାର ଆସିବ । ଏହାଦ୍ୱାରା କ୍ଷୁଦ୍ର ଏମ୍ଏସ୍ଏମ୍ଇଗୁଡ଼ିକର ସମସ୍ୟା କମ୍ ହେବ ଏବଂ ନିବେଶର ନୂଆ ସମ୍ଭାବନା ସୃଷ୍ଟି ହେବ । ମୁଡିସ୍ ଅନୁମାନ କରିଛି ଯେ, ଦରଦାମ ଏବେ ନିୟନ୍ତ୍ରଣରେ ରହିଛି । ଏଥିପାଇଁ ରିଜର୍ଭ ବ୍ୟାଙ୍କ ସୁଧ ହାରରେ ହ୍ରାସ ଜାରି ରଖିପାରେ । ତେବେ ଅର୍ଥବ୍ୟବସ୍ଥାର ସ୍ଥିତି ଉପରେ ଏହା ନିର୍ଭର କରିବ । ୨୦୨୫ରେ ଆର୍ବିଆଇ ସୁଧ ହାରରେ ୧.୨୫% ହ୍ରାସ କରିସାରିଛି, ଯାହାଦ୍ୱାରା ରେପୋରେଟ୍ ୫.୨୫%କୁ ଖସିଆସିଛି ।
ଅଧିକ ପଢ଼ନ୍ତୁ-ପୋଷ୍ଟ ଅଫିସ୍ର ବମ୍ପର ଅଫର୍, ପଇସା ବୁଡ଼ିବନି ମାସକୁ ମିଳିବ ଏତିକି... ଜାଣନ୍ତୁ କେମିତି କରିବେ ?