PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ: ରେଞ୍ଜରଙ୍କ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ, ବଡ଼ମ୍ବା ରେଞ୍ଜରଙ୍କ ସମେତ ୧୫ ଅଟକ
  • ||
  • ଭୁବନେଶ୍ୱର: ଥଣ୍ଡା ଜ୍ୱରରେ ରାଜ୍ୟ କଲବଲ: ପୀଡ଼ିତ ଶିଶୁଙ୍କ ସଂଖ୍ୟା ୩ଗୁଣ ବଢ଼ିଛି, ଚିନ୍ତାରେ ଅଭିଭାବକ
  • ||
  • ଭୁବନେଶ୍ୱର: ବରମୁଣ୍ଡା ବସ୍ ଷ୍ଟାଣ୍ଡରେ ବୋମାମାଡ଼, ଜଣେ ଅଟକ
  • ||
  • ଭୁବନେଶ୍ୱର: ସରିଲା ଖଣ୍ଡଗିରି କୁମ୍ଭମେଳା, ଫେରିଲେ ସାଧୁସନ୍ଥ
  • ||
  • ଭୂକମ୍ପରେ ଥରିଲା ତୁର୍କୀ, ରିକ୍ଟର ସ୍କେଲରେ ତ୍ରୀବତା ଥିଲା ୭.୮
  • ||

ଚନ୍ଦ୍ରାଲୋକୀକରଣ

ଟଙ୍କାର ଆବଶ୍ୟକତା ସମସ୍ତଙ୍କର ଥାଏ । ପ୍ରତ୍ୟେକ ବ୍ୟକ୍ତି ଜୀବନ ନିର୍ବାହ ଏବଂ ପରିବାର ପ୍ରତିପୋଷଣ କରିବା ପାଇଁ ରୋଜଗାର କରିବାକୁ ପଡ଼ିଥାଏ । ନିଜର ଶିକ୍ଷାଗତ ଯୋଗ୍ୟତା, ଅଭିଜ୍ଞତା ଓ କର୍ମକୁଶଳତାକୁ ନେଇ ରୋଜଗାରର ପ୍ରକାର ଓ ପରିମାଣ ଆଶା କରାଯାଇଥାଏ। ସରକାରୀ ଅବା ବେସରକାରୀ କର୍ମନିଯୁକ୍ତି ମାଧ୍ୟମରେ ଅଧିକ ଦରମା ବା ରୋଜଗାର କରିବା ପାଇଁ ସବୁ କର୍ମଚାରୀ ଆଗ୍ରହ ପ୍ରକାଶ କରିଥାଆନ୍ତି । କର୍ମନିଯୁକ୍ତିର ନିର୍ଦ୍ଦିଷ୍ଟ ନୀତି ଓ ନିୟମ ମଧ୍ୟରେ ରହି ନିଜର ନିୟମିତ କର୍ତ୍ତବ୍ୟ ସମ୍ପାଦନ ପରେ ବଳକା ସମୟକୁ ଉପଯୋଗ କରି ଅଧିକ ରୋଜଗାର କରିବାକୁ କେତେକ ଉଚିତ୍‌ ମନେକରନ୍ତି । ସୂର୍ଯ୍ୟକିରଣ ଉତ୍ତପ୍ତ ଓ କ୍ରୁର ହୋଇଥିବା ବେଳେ ଚନ୍ଦ୍ରକିରଣ ଶୀତଳ ଓ ଉପଭୋଗ୍ୟ ହୋଇଥାଏ ।

ସୂର୍ଯ୍ୟକିରଣ ଅପେକ୍ଷା ଚନ୍ଦ୍ରକିରଣରେ କାର୍ଯ୍ୟ କରିବା ଅଧିକ ଆନନ୍ଦ ଓ ସନ୍ତୁଷ୍ଟି ଆଣିଥାଏ । ତେଣୁ କର୍ମଚାରୀମାନେ ନିୟମିତ କାର୍ଯ୍ୟ ନିର୍ଦ୍ଦିଷ୍ଟ ସକାଳ ୯ ଘଟିକା ଠାରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ କାମ ସାରି ନିଜର ଆୟ ବୃଦ୍ଧି ପାଇଁ ଯଦି ଚନ୍ଦ୍ର ଆଲୋକରେ ଅର୍ଥାତ୍‌ ସନ୍ଧ୍ୟା କିମ୍ବା ରାତିରେ ଅଧିକ ସମୟ ଦେଇ ଅନ୍ୟ କମ୍ପାନୀ ବା ସଂସ୍ଥାରେ କାର୍ଯ୍ୟ କରନ୍ତି ତାହା ଚନ୍ଦ୍ରାଲୋକୀକରଣ (ମୁନ୍‌ଲାଇଟିଂ) ଭାବରେ ଜଣାଯାଏ । ଏହା ନିଜର ପ୍ରାଥମିକ କର୍ମନିଯୁକ୍ତି ସହିତ ଦ୍ୱିତୀୟ ବିକଳ୍ପ ପସନ୍ଦ ଭାବରେ ପାଶ୍ୱର୍ରେ ଗୋପନୀୟତା ରକ୍ଷାକରି ସନ୍ଧ୍ୟା କିମ୍ବା ରାତିରେ ନିଜର ଆୟ ବୃଦ୍ଧି ଲକ୍ଷ୍ୟରେ କେତେକ କର୍ମଚାରୀ ରୋଜଗାରର ମାଧ୍ୟମ ଭାବରେ ଗ୍ରହଣ କରିଥାଆନ୍ତି । ବାସ୍ତବରେ ଅନେକ ବ୍ୟକ୍ତି ନିଜର ଆର୍ଥିକ ଆବଶ୍ୟକତାକୁ ମେଣ୍ଟାଇବା ପାଇଁ ଏବଂ ଯେତେବେଳେ ଗୋଟିଏ କର୍ମନିଯୁକ୍ତି ସେମାନଙ୍କ ପାଇଁ ପର୍ଯ୍ୟାପ୍ତ ନହୋଇ ଅଭାବ ପରିଲିକ୍ଷିତ ହୁଏ, ଅଧିକ ରୋଜଗାର ଆଶାରେ ଅନ୍ୟ ସଂସ୍ଥାରେ କାର୍ଯ୍ୟ କରିବାକୁ ପସନ୍ଦ କରନ୍ତି । ତେବେ ସାଧାରଣତଃ ଏହା ‘ଖ’ କିମ୍ବା ଦ୍ୱିତୀୟ ପସନ୍ଦ ଯୋଜନା ହିସାବରେ ପରିଗଣତି ହୋଇଥାଏ । କର୍ମଚାରୀମାନେ ନିଜର ଋଣଭାର ଶୁଝିବା ହେଉ କିମ୍ବା କାର କ୍ରୟ କରିବା, ଗୃହ ନିର୍ମାଣ ବା ମରାମତି କରିବା, ସ୍ୱାସ୍ଥ୍ୟ ଚିକିତ୍ସା କରିବା ଅଥବା ଆକସ୍ମିକ ଖର୍ଚ୍ଚଭାର ତୁଲାଇବା ପାଇଁ ଏହାକୁ ଆପଣାଇ ଥାଆନ୍ତି ।
ଏହା ବିଶେଷତଃ ଚାକିରି କ୍ଷେତ୍ର ପାଇଁ ପ୍ରଜୁଯ୍ୟ ଅଟେ ।

ଚାକିରି ତାହା ସରକାରୀ ଅବା ବେସରକାରୀ ହେଉ ନିର୍ଦ୍ଦିଷ୍ଟ ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସହ ସର୍ତ୍ତାବଳୀ ଏବଂ ଦୈନିକ ଆଠ ଘଣ୍ଟା କାର୍ଯ୍ୟନିର୍ଘଣ୍ଟ ନିୟମରେ ପରିଚଳିତ ଅଟେ । ସରକାରୀ ଚାକିରି ତୁଳନାତ୍ମକ ଭାବରେ ଆରାମଦାୟକ ହୋଇଥିବା ବେଳେ ବେସରକାରୀ ଚାକିରି କରୁଥିବା ବ୍ୟକ୍ତି ଉଚିତ୍‌ ଦରମା, ଓ କର୍ମ ପରିବେଶ ନପାଇ ନିଜର ଆବଶ୍ୟକତା ମେଣ୍ଟାଇବା ପାଇଁ ଏବଂ ଅଧିକ ରୋଜଗାର ଆଶାରେ ଅନ୍ୟତ୍ର କାମ କରିବାକୁ ଆଗ୍ରହ ପ୍ରକାଶ କରିଥାନ୍ତି । ବିଶେଷକରି ଦୈନନ୍ଦିନ କାର୍ଯ୍ୟନିର୍ଘଣ୍ଟ ପରେ ଅନ୍ୟ ସଂସ୍ଥାରେ ସନ୍ଧ୍ୟା ବା ରାତିରେ କାର୍ଯ୍ୟ କରିବାର ପଦ୍ଧତିକୁ ଚନ୍ଦ୍ରାଲୋକୀକରଣ ବୋଲି ଅଭିହିତ କରାଯାଏ ।

ସରକାରୀ ସଂସ୍ଥାମାନଙ୍କରେ ସେଭଳି କିଛି ଟାଳଟୁଳ ନୀତି ନଥିବାବେଳେ, ବେସରକାରୀ ସଂସ୍ଥାମାନେ ଏହା ଉପରେ ଆପତ୍ତି ଉଠାଉଛନ୍ତି ଏବଂ ଭିନ୍ନ ମତ ମଧ୍ୟ ପ୍ରକାଶ କରୁଛନ୍ତି । କେତେକ କର୍ମଚାରୀଙ୍କୁ ସମର୍ଥନ କରି ରୋଜଗାର ବୃଦ୍ଧି ଯୁକ୍ତି କରୁଥିବା ବେଳେ ଅନ୍ୟ କେତେକ ଏହା ବେଆଇନ୍‌ ଓ ଗୋଟିଏ ସଂସ୍ଥାରେ କାମ କରି ଦରମା ନେଇ ଅନ୍ୟ ସଂସ୍ଥାରେ କାମ କରିବା ଅନୁଚିତ୍‌ ବୋଲି ମତବ୍ୟକ୍ତ କରନ୍ତି । ଏହା ଠକାମି ହୋଇପାରେ, ଯେତେବେଳେ କର୍ମଚାରୀ ଜଣେ ଗୋଟିଏ କମ୍ପାନୀରେ କାମ କରିବାକୁ ଚୁକ୍ତିବଦ୍ଧ ଥାଏ, ମାତ୍ର ଅନ୍ୟ କମ୍ପାନୀ ପାଇଁ ପୂର୍ଣ୍ଣକାଳୀନ କାର୍ଯ୍ୟ କରିବାକୁ ରାଜି ହୋଇଯାଏ । ଯଦି ସପ୍ତାହରେ ନିର୍ଦ୍ଦିଷ୍ଟ କେତେ ଘଣ୍ଟା ପାଇଁ ଉଦ୍ଦିଷ୍ଟ, ଏହାକୁ ଠକାମି କୁହାଯାଇନପାରେ । ତେବେ ଆମ ଦେଶରେ ଅଦ୍ୟାବଧି ସେମିତି କୌଣସି ଆଇନ ଏଥିପାଇଁ ପ୍ରଚଳିତ ନଥିବାବେଳେ ଏହାର ପ୍ରଭାବ ଅନୁଭୂତ ହେଉଅଛି ।

ଏହିଠାରେ ପ୍ରଶ୍ନ ଉଠେ ଯେ, ନିଯୁକ୍ତ କର୍ମଚାରୀମାନେ ଏହିଭଳି କାର୍ଯ୍ୟ କରିବା ପାଇଁ କମ୍ପାନୀମାନଙ୍କ ଠାରୁ ଅନୁମତି ପାଇଥାନ୍ତି କି? ଭାରତରେ ପ୍ରଚଳିତ ଫାକ୍‌ଟ୍ରି ଆଇନ ୧୯୪୮, ଧାରା-୬୦ ଅନୁଯାୟୀ କୌଣସି କର୍ମଚାରୀ ଏକକାଳୀନ ୨ଟି କମ୍ପାନୀରେ କାମ କରିପାରିବେ ନାହିଁ । ତେବେ ଏହା କାରଖାନା ବା ଶିଳ୍ପସଂସ୍ଥାରେ କେନ୍ଦ୍ରୀଭୂତ ଏବଂ ପ୍ରଯୁଜ୍ୟ ହେଉଥିବା ବେଳେ ଆଇ.ଟି. ବୃତ୍ତିଧାରୀ କିମ୍ବା ପ୍ରଶାସନରେ କାର୍ଯ୍ୟରତ ଥିବା କର୍ମଚାରୀମାନଙ୍କ କ୍ଷେତ୍ରରେ ପ୍ରଯୁଜ୍ୟ ନୁହେଁ । ଏହି ବାବଦରେ ବିଭିନ୍ନ କମ୍ପାନୀ ଓ ବିଶେଷଜ୍ଞମାନେ ଭିନ୍ନମତ ପୋଷଣ କରି, କେତେକ ବିଧିସମ୍ମତ ନୁହେଁ କହୁଥିଲା ବେଳେ, ଅନ୍ୟମାନେ ସମୟର ଆବଶ୍ୟକତା ବୋଲି କହିଥାନ୍ତି । ଯେତେବେଳେ ଜଣେ ବ୍ୟକ୍ତି ଏକାଧିକ କମ୍ପାନୀରେ କାର୍ଯ୍ୟରତ ଥାଏ, ତାର କାର୍ଯ୍ୟଦକ୍ଷତା ନିଶ୍ଚିତ ପ୍ରଭାବିତ ହୋଇଥାଏ ଏବଂ କମ୍ପାନୀର ଉତ୍ପାଦନ କ୍ଷମତା ମଧ୍ୟ କମିବାର ସମ୍ଭାବନା ରହିଥାଏ । ଏହି କାରଣ ପାଇଁ ଉଇପ୍ରୋ କମ୍ପାନୀ ତାର ୩୦୦ କର୍ମଚାରୀଙ୍କୁ ବହିଷ୍କାର କରି ଚର୍ଚ୍ଚାରେ ଅଛି ।

ତାଙ୍କର ଯୁକ୍ତି ହେଲା ଯେ, କର୍ମଚାରୀମାନେ ନିଜ କମ୍ପାନୀରେ ନିଯୁକ୍ତି ଏବଂ ଦରମା ପାଉଥିବା ବେଳେ ପ୍ରତିଯୋଗୀ କମ୍ପାନୀମାନଙ୍କ ପାଇଁ କାମ କରିବା ଗ୍ରହଣୀୟ ନୁହେଁ ଏବଂ ଏହା କମ୍ପାନୀ ନୀତିର ବିରୁଦ୍ଧ ଅଟେ । ଏହି ଚନ୍ଦ୍ରଲୋକୀକରଣ ବିଶେଷ ଭାବରେ ଆଇ.ଟି. ଶିଳ୍ପରେ ବହୁଳ ଭାବରେ ଦେଖିବାକୁ ମିଳୁଅଛି । କୋଭିଡ୍‌ ସମୟରେ ଏହା କମ୍ପ୍ୟୁଟରଜନିତ କାମ ହୋଇଥିବାରୁ ଘରେ ରହି କର୍ମଚାରୀମାନଙ୍କୁ ଅନୁମତି ପ୍ରଦାନ ଫଳରେ ଏହାର ସୃଷ୍ଟି ହେଲା ବୋଲି ଯୁକ୍ତି ହୁଏ ।

ପ୍ରକାଶଥାଉ କି, କରୋନା ମହାମାରୀ ସମୟରେ ଅନ୍ୟ ଶିଳ୍ପ ସଂସ୍ଥାରେ କ୍ଷତି ବହୁଳ ଭାବରେ ହୋଇଥିବା ବେଳେ ଆଇ.ଟି. ଶିଳ୍ପ ବେଶ୍‌ ଲାଭବାନ ହୋଇପାରିଅଛନ୍ତି । କାରଣ ସବୁ କାମ କର୍ମଚାରୀମାନେ ଘରେ ରହି କରିବାଦ୍ୱାରା କମ୍ପାନୀର ଘରଭଡ଼ା, ଭତ୍ତା ଓ ପ୍ରୋତ୍ସାହନ ରାଶି ବାବଦରେ ଖର୍ଚ୍ଚ କମିଗଲା ଏବଂ ସେମାନେ ତାଙ୍କର ଉଚିତ୍‌ ଦରମା ପାଇପାରିଲେ । ଚନ୍ଦ୍ରାଲୋକୀକରଣ ଏକ ପ୍ରସଙ୍ଗ ଯାହା ଉଭୟ ମାଲିକ ଏବଂ କର୍ମଚାରୀମାନଙ୍କର ଆଗ୍ରହ ରହିଥାଏ । କର୍ମଚାରୀମାନେ ଅଧିକ ରୋଜଗାର ପାଇଁ ଏହାକୁ ଆପଣାଉଥିବା ବେଳେ କମ୍ପାନୀମାନେ ମିଶ୍ରିତ ପ୍ରତିକ୍ରିୟା ରଖିଥାଆନ୍ତି । ଯଦି କର୍ମଚାରୀ ଏବଂ ମାଲିକ ମଧ୍ୟରେ ରାଜିନାମା ଥିବ ଯେ, ନିର୍ଦ୍ଦିଷ୍ଟ ଭାବରେ କେବଳ ମାଲିକ ପାଇଁ କାମ କରିବ, ଏଥିରେ ବ୍ୟତିକ୍ରମ ଘଟାଇ କର୍ମଚାରୀ ଅନ୍ୟତ୍ର କାମ କଲେ ତାଙ୍କୁ ଚାକିରି ହରାଇବାର ସମ୍ଭାବନା ଥାଏ । ଏଠାରେ ସ୍ୱତଃ ପ୍ରଶ୍ନ ଉଠେ ଯେ, ଏହାକୁ କିପରି ଜାଣିହେବ? କମ୍ପାନୀମାନେ ମୁନ୍‌ଲାଇଟିଂକୁ କର୍ମଚାରୀମାନଙ୍କର ଇ.ପି.ଏଫ୍‌, ୟୁନିଭର୍ସାଲ୍‌ ଆକାଉଣ୍ଟ ନମ୍ବର(ୟୁ.ଏ.ଏନ୍‌)କୁ ତଦାରଖ କରି ଯଦି ଏକାଧିକ କମ୍ପାନୀ ଏଥିରେ ଭବିଷ୍ୟନିଧି ପାଣ୍ଠି (ପି.ଏଫ୍‌) ଦାଖଲ କରୁଥିବେ ଜଣାପଡ଼ିଥାଏ । ବିଭିନ୍ନ ଆଇ.ଟି. କମ୍ପାନୀ ଯଥା- ଉଇପ୍ରୋ, ଇନ୍‌ଫୋସିସ୍‌ ଓ ଟି.ସି.ଏସ୍‌. ଇତ୍ୟାଦି ଏହାକୁ ବିରୋଧ କରୁଥିବା ବେଳେ ସ୍ୱିଗି, ଟେକ୍‌ ମହିନ୍ଦ୍ରା ଏଥିରେ ସମସ୍ୟା ନାହିଁ ବୋଲି ମତ ଦିଅନ୍ତି । ଆଇ.ଟି. ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ମଧ୍ୟ କର୍ମଚାରୀମାନେ ଏକାଧିକ କାର୍ଯ୍ୟ କରିବାକୁ ସମର୍ଥନ କରନ୍ତି ।ତେବେ କମ୍ପାନୀମାନଙ୍କର ଚିନ୍ତା ହେଉଛି ଯେ, ଏହାଦ୍ୱାରା ତାଙ୍କର ଆୟ ହ୍ରାସ ହେବା ସହିତ ଉତ୍ପାଦନ କ୍ଷମତା ମଧ୍ୟ କମିଯିବ ।

କର୍ମଚାରୀମାନେ ଏକାଧିକ କାର୍ଯ୍ୟ କରିବା ଦ୍ୱାରା ଦାୟିତ୍ୱବୋଧତା ବୃଦ୍ଧି ଯୋଗୁଁ ଅନିୟମିତତା ଦେଖାଦେବ । ଯଦି ସମାନ ବା ଏକା ପ୍ରକାର କାମ ବିଭିନ୍ନ ସଂସ୍ଥାରେ କରିବାକୁ ପଡ଼େ, ତେବେ ତଥ୍ୟ ଏବଂ ବ୍ୟବସାୟର ଗୋପନୀୟତା ପ୍ରକାଶ ପାଇବାର ସନ୍ଦେହ ସୃଷ୍ଟିହେବ । ମୁଖ୍ୟ ସଂସ୍ଥା ସହିତ ଅନ୍ୟ ସଂସ୍ଥାରେ କାର୍ଯ୍ୟ କରିବା ଦ୍ୱାରା ତଥ୍ୟକୁ ସାଇତି ରଖିବା ନିରାପଦ ମନେ ହୁଏନାହିଁ ଏବଂ ଏହାକୁ ହାସଲ କରିବା ପାଇଁ ପ୍ରତିଦ୍ୱନ୍ଦ୍ୱୀ କମ୍ପାନୀକୁ ସୁଯୋଗ ମିଳିଯାଏ । କର୍ମଚାରୀମାନେ ଲମ୍ବା ସମୟ କାର୍ଯ୍ୟ କରିବା ଦ୍ୱାରା ଶାରୀରିକ ଭାବରେ କ୍ଳାନ୍ତ ଅନୁଭବ କରନ୍ତି, ଯାହା ଅବହେଳା କରିବାର ଆଶଙ୍କା ସୃଷ୍ଟି ହୁଏ । କାର୍ଯ୍ୟରତ କର୍ମଚାରୀ ମୁଖ୍ୟ ସଂସ୍ଥାର ସମ୍ବଳକୁ ଅନ୍ୟଠାରେ ବିନିଯୋଗ କରିବାର ସମ୍ଭାବନା ଯୋଗୁଁ ପରିଚଳନାଗତ ଖର୍ଚ୍ଚ ମଧ୍ୟ ବୃଦ୍ଧି ଘଟିଥାଏ ।

ଚନ୍ଦ୍ରାଲୋକୀକରଣ କର୍ମଚାରୀଙ୍କର ନିୟମିତ କାର୍ଯ୍ୟ ପରେ ଦ୍ୱୈତ କିମ୍ବା ଏକାଧିକ କର୍ମସଂସ୍ଥାନକୁ ବୁଝାଇଥାଏ । ଏହା ବିଭିନ୍ନ ପ୍ରକାରର ମଧ୍ୟ ହୋଇଥାଏ ଯଥା- ନୀଳ, ଏକ-ଚତୁର୍ଥାଂଶ, ଅଧା କିମ୍ବା ସମ୍ପୂର୍ଣ୍ଣ । ଯେତେବେଳେ ଜଣେ କର୍ମଚାରୀ ଆହ୍ୱାନକ୍ରମେ ଏକାଧିକ କାର୍ଯ୍ୟ କରିବାକୁ ପଡ଼େ, ତାହା ନୀଳ ଚନ୍ଦ୍ରାଲୋକୀକରଣ ଏବଂ ଅନ୍ୟଗୁଡ଼ିକ ପାଇଁ ଆଂଶିକ ସମୟ ଦେବାକୁ ପଡ଼ିଥାଏ । ଯେହେତୁ ଏହା କର୍ମଚାରୀଙ୍କର ଏକ କାର୍ଯ୍ୟ କରିବାର ଅବସ୍ଥାକୁ ବୁଝାଏ, ଏହା ପ୍ରତି କମ୍ପାନୀ ବା ନିଯୁକ୍ତିଦାତାମାନେ ଯତ୍ନଶୀଳ ହେବା ଉଚିତ୍‌ । କର୍ମଚାରୀମାନଙ୍କ ସହିତ ହୋଇଥିବା ରାଜିନାମାକୁ ନିୟମିତ ବ୍ୟବଧାନରେ ତର୍ଜମା କରିବା ଓ କାର୍ଯ୍ୟ କରିବାର ସ୍ଥାନକୁ ଯାଞ୍ଚ କରିବା ଆବଶ୍ୟକ । ଉଭୟ କର୍ମଦାତା ଓ କର୍ମଚାରୀ ପରସ୍ପର ସ୍ୱାର୍ଥ ସମ୍ବନ୍ଧୀୟ ତଥ୍ୟକୁ ପରିପ୍ରକାଶ କରିବା ଉଚିତ୍‌ ଅଟେ । କର୍ମଚାରୀମାନେ ଏକାଧିକ କାର୍ଯ୍ୟ କରିବାକୁ ଚାହୁଁଥିଲେ କାର୍ଯ୍ୟରତ ମୁଖ୍ୟ ସଂସ୍ଥାକୁ ଅବଗତ କରାଇ ଆବଶ୍ୟକସ୍ଥଳେ ଅନୁମତି ନେବାର ନିୟମ ପ୍ରଚଳନ ହେବା ଉଚିତ୍‌, ଯାହାଫଳରେ ଉଭୟଙ୍କ ସ୍ୱାର୍ଥରକ୍ଷା ହୋଇପାରିବ ।

ଚନ୍ଦ୍ରାଲୋକୀକରଣ କର୍ମଚାରୀଙ୍କର ନିୟମିତ କାର୍ଯ୍ୟ ପରେ ଦ୍ୱୈତ କିମ୍ବା ଏକାଧିକ କର୍ମସଂସ୍ଥାନକୁ ବୁଝାଇଥାଏ । ଏହା ବିଭିନ୍ନ ପ୍ରକାରର ମଧ୍ୟ ହୋଇଥାଏ ଯଥା- ନୀଳ, ଏକ-ଚତୁର୍ଥାଂଶ, ଅଧା କିମ୍ବା ସମ୍ପୂର୍ଣ୍ଣ । ଯେତେବେଳେ ଜଣେ କର୍ମଚାରୀ ଆହ୍ୱାନକ୍ରମେ ଏକାଧିକ କାର୍ଯ୍ୟ କରିବାକୁ ପଡ଼େ, ତାହା ନୀଳ ଚନ୍ଦ୍ରାଲୋକୀକରଣ ଏବଂ ଅନ୍ୟଗୁଡ଼ିକ ପାଇଁ ଆଂଶିକ ସମୟ ଦେବାକୁ ପଡ଼ିଥାଏ । ଯେହେତୁ ଏହା କର୍ମଚାରୀଙ୍କର ଏକ କାର୍ଯ୍ୟ କରିବାର ଅବସ୍ଥାକୁ ବୁଝାଏ, ଏହା ପ୍ରତି କମ୍ପାନୀ ବା ନିଯୁକ୍ତିଦାତାମାନେ ଯତ୍ନଶୀଳ ହେବା ଉଚିତ୍‌ ।