୧୫୦ ଡାକ୍ତର ଦେଇସାରିଲେଣି ଇସ୍ତଫା, ସୋମବାର ସାରାଦେଶରେ କାମବନ୍ଦ ଓ ୭ ଦିନ ଭିତରେ ଜବାବ୍ ଦେବାକୁ ମମତାଙ୍କୁ ହାଇକୋର୍ଟଙ୍କ ନିର୍ଦେଶ

କୋଲକାତା,୧୪।୬: ପଶ୍ଚିମବଙ୍ଗରେ ଲୋକସଭା ନିର୍ବାଚନରୁ ଆରମ୍ଭ ହୋଇଥିବା ରାଜନୈତିକ ହିଂସାକାଣ୍ଡ ଏବେ ବଡ ବିବାଦ ଭାବରେ ମୁଣ୍ଡ ଟେକିଇ। ପଶ୍ଚିମବଙ୍ଗରେ ଜଣେ ଜୁନିୟର ଡାକ୍ତରଙ୍କ ସହ ହୋଇଥିବା ମାରପିଟ୍ ଘଟଣା ପରେ ମେଡିକାଲ ଆସୋସିଏସନ୍ ଏବେ ଖୁବ୍ ଅସନ୍ତୋଷ ପ୍ରକାଶ କରିଛି। ଡାକ୍ତରମାନେ ଧର୍ମଘଟକୁ ଏବେ ଉଠିଯାଇଛନ୍ତି। ସବୁଠାରୁ ବଡ କଥା ହେଲା ଯେ, ଇଣ୍ଡିଆନ ମେଡିକାଲ ଆସୋସିଏସନ୍ (ଆଇଏମଏ) ସୋମବାର ସାରା ଦେଶରେ ବନ୍ଦ ଘୋଷଣା କରିଛନ୍ତି। ଏତେ ସବୁ ପରେ ମଧ୍ୟ ରାଜ୍ୟର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କିନ୍ତୁ ଡାକ୍ତରଙ୍କ ଉପରେ ଆକ୍ରମକ ସ୍ବଭାବ ଆପଣେଇଛନ୍ତି। ମମତାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରି ଏପର୍ଯ୍ୟନ୍ତ ୧୫୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି।

ଏପର୍ଯ୍ୟନ୍ତ ଦାର୍ଜଲିଂରେ ୨୭, ଉତ୍ତର ୨୪ ପ୍ରଗଣାରେ ୧୮ ଓ ଏନଆରଏସ୍ କଲେଜରେ ୧୦୦ରୁ ଅଧିକ ଡାକ୍ତର ଇସ୍ତଫା ଦେଇସାରିଛନ୍ତି। ସେଭଳି କୋଲକାତାରେ ୮୦ରୁ ଅଧିକ ଡାକ୍ତର ଇସ୍ତଫା ଦେବାର ଧମକ ଦେଇଛନ୍ତି। ପଶ୍ଚିମବଙ୍ଗରେ ଡାକ୍ତରଙ୍କ ବିକ୍ଷୋଭର ପ୍ରଭାବ ଏବେ ସାରା ଦେଶର ବିଭିନ୍ନ ରାଜ୍ୟରେ ଦେଖିବାକୁ ମିଳିଛି। ଦିଲ୍ଲୀ,ଉତ୍ତରପ୍ରଦେଶର, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ବିହାର, କେରଳ, ମୁମ୍ବାଇ ସହିତ ଦେଶର ବିଭିନ୍ନ ଭାଗରେ ଡାକ୍ତରମାନେ କାମ କରିବାକୁ ମନା କରିଦେଇଛନ୍ତି।

ଡାକ୍ତରଙ୍କ ଧର୍ମଘଟରେ ଏବେ ପଶ୍ଚିମବଙ୍ଗର ପ୍ରଖ୍ୟାତ ଫିଲ୍ମ ନିର୍ମାତା ଅପର୍ଣ୍ଣା ସେନଙ୍କର ମଧ୍ୟ ସମର୍ଥନ ମିଳିଛି। ସେ ଡାକ୍ତରଙ୍କ ଏହି ଧର୍ମଘଟରେ ସାମିଲ ହେବେ। ସେ କହିଛନ୍ତି ଡାକ୍ତରଙ୍କ ସହ ହୋଇଥିବା ଏହି ହିଂସାକାଣ୍ଡକୁ ବିରୋଧ କରି ମୁଁ ରାଜ୍ୟ ସରକାରଙ୍କ ଠାରୁ ଆଉ କୌଣସି ପୁରସ୍କାର ନେବି ନାହିଁ। ମୁଖ୍ୟମନ୍ତ୍ରୀ ଏଠାକୁ ଆସି ଡାକ୍ତରଙ୍କ ସହ କଥା ହୋଇ ସମାଧାନର ବାଟ ବାହାର କରିବାକୁ ଅନୁରୋଧ କରୁଛି ବୋଲି କହିଛନ୍ତି ଅପର୍ଣ୍ଣା।

ରାଜ୍ୟରେ ଡାକ୍ତରଙ୍କ ଧର୍ମଘଟ ପରେ କୋଲକତା ହାଇକୋର୍ଟରେ ଦାଖଲ ହୋଇଥିବା ଏକ ଜନସ୍ବାର୍ଥ ମାମଲାର ଶୁଣାଣି କରି କୋର୍ଟ ପଶ୍ଚିମବଙ୍ଗ ସରକାରଙ୍କୁ ୭ ଦିନର ସମୟ ଦେଇଛନ୍ତି। କୋର୍ଟ ରାଜ୍ୟକୁ ପଚାରିଛନ୍ତି କଠିନ ସ୍ଥିତିକୁ ସମାପ୍ତ କରିବା ପାଇଁ ସରକାର କ’ଣ ପଦକ୍ଷେପ ଗ୍ରହଣ କରିଛନ୍ତି? କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ରାଜ୍ୟକୁ ଏହା ଉପରେ ବିରାମ ଲଗାଇବାକୁ ହେବ ଓ ଏହାର ସମାଧାନର ବାଟ ଖୋଜିବାକୁ ପଡିବ।