ଭୁବନେଶ୍ବର,୩।୧୨ : ବେଆଇନ ଗଞ୍ଜେଇ ଚାଷ ରୋକିବା ପାଇଁ ଓଡ଼ିଶା ପୁଲିସ ପକ୍ଷରୁ ଚଢାଉ କରାଯାଉଛି। ଚଳିତ ବର୍ଷ ଅଦ୍ୟାବଧି ୧୮୧୧୧ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।ଏହି ଅଭିଯାନ ୨୦୨୬ ମାର୍ଚ୍ଚ ପର୍ଯନ୍ତ ଜାରି ରହିବ।
ଚଳିତ ବର୍ଷ ନଭେମ୍ବର ମାସ ଶେଷ ସୁଦ୍ଧା ରାଜ୍ୟର ବିଭିନ୍ନ ଥାନାରେ ଗଞ୍ଜେଇ ଚୋରା ଚାଲାଣ ବିରୁଦ୍ଧରେ ୪୭୩ ଟି ମାମଲା ରୁଜୁ କରାଯାଇଛି। ବୌଦ୍ଧ ଜିଲ୍ଲାରେ ସର୍ବାଧିକ ୧୮୧ ଟି ମାମଲା ରୁଜୁ କରାଯାଇ ୭ ହଜାର ୭୫୭ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ସେହିପରି କନ୍ଧମାଳ ଜିଲ୍ଲାରେ ୧୩୨ ଟି ମାମଲା ରୁଜୁ ହୋଇଥିବା ବେଳେ ୯ ହଜାର ୩୧୩ ଏକରରୁ ଅଧିକ ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି। ଏହାବ୍ୟତୀତ ରାୟଗଡା ଜିଲ୍ଲାରେ ୩୩ଟି ମାମଲା ରୁଜୁ ହୋଇଥିବା ବେଳେ ୧୧୪ ଏକର, ମାଲକାନାଗିରିରେ ୩୫ ଟି ମାମଲା ସହ ୪୮୩ ଏକର, କୋରାପୁଟରେ ୨୨ ଟି ମାମଲା ସହ ୫୦୮ ଏକର, ଗଜପତିରେ ୪୫ ଟି ମାମଲା ସହ ୬୫୦ ଏକର, ଗଞ୍ଜାମରେ ୨୧ ଟି ମାମଲା ସହ ୧୬୨ ଏକର, କେନ୍ଦୁଝରରେ ୧ ଏକର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।
ସ୍ୱଳ୍ପ ସମୟ ମଧ୍ୟରେ ହଜାର ହଜାର ଏକର ଗଞ୍ଜେଇ ଚାଷ ନଷ୍ଟ କରିବା ଆମ ପାଇଁ ବଡ଼ ସଫଳତା ବୋଲି ଡିଜିପି ଯୋଗେଶ ବାହାଦୁର ଖୁରାନିଆ କହିଛନ୍ତି। ଆଗାମୀ ଦିନରେ ମଧ୍ୟ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ୨୦୨୪ ମସିହାରେ ୫୯୪ ଟି ମାମଲା ରୁଜୁ କରାଯାଇଥିବା ବେଳେ ୨୦୮୦୩ ଏକରରୁ ଉର୍ଦ୍ଧ୍ୱ ଗଞ୍ଜେଇ ଚାଷକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରାଯାଇଥିଲା ।
ରାଜ୍ୟର ରାୟଗଡା, ମାଲକାନଗିରି, କୋରାପୁଟ, ବୌଦ୍ଧ, କନ୍ଧମାଳ, ଗଜପତି, ଗଞ୍ଜାମ ଏବଂ ନବରଙ୍ଗପୁର ଜିଲ୍ଳାରେ ବେଆଇନ ଗଞ୍ଜେଇ ଚାଷ କରାଯାଉଥିବା ବେଳେ ଏହାର ମୂଳୋତ୍ପାଟନ ନିମନ୍ତେ ପୋଲିସ ପକ୍ଷରୁ ବ୍ୟାପକ ଅଭିଯାନ ଚାଲିଛି । ଡ୍ରୋନ ଏବଂ ସାଟେଲାଇଟ ସାହାଯ୍ୟରେ ଏକର ଏକର ଗଞ୍ଜେଇ ଚାଷ ଜମିକୁ ଚିହ୍ନଟ କରା ଯିବା ପରେ ଏହାକୁ ନଷ୍ଟ କରାଯାଉଛି। ଏହା ସହ ଗଞ୍ଜେଇ ଚାଷ କରୁଥିବା ଲୋକଙ୍କୁ ପୋଲିସ ସଚେତନ କରାଉଥିବା ବେଳେ ଗଞ୍ଜେଇ ଚାଷ କଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଜିପି ଖୁରାନିଆ ଚେତାବନୀ ଦେଇଛନ୍ତି।