ଭୁବନେଶ୍ୱର, ୨୮।୭ : ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଏବେ ଦେଶର ପ୍ରାୟ ୮୦ କୋଟି ଲୋକ ଉପକୃତ ହେଉଛନ୍ତି । ଏଥିଲାଗି ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାର ଖାଦ୍ୟ ସବସିଡ୍ ବାବଦରେ ୨,୨୭,୭୩୯ କୋଟି ୯୬ଲକ୍ଷ ଟଙ୍କା ବିଭିନ୍ନ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଭାରତୀୟ ଖାଦ୍ୟ ନିଗମକୁ ପ୍ରଦାନ କରୁଛନ୍ତି । ଓଡିଶାରେ ୩କୋଟି ୨୧ ଲକ୍ଷରୁ ଅଧିକ ଲୋକ ଉପକୃତ ହେଉଛନ୍ତି । ରାଜ୍ୟସଭାରେ ସାଂସଦ ଦିଲ୍ଲୀପ ରାୟଙ୍କ ଏକ ପ୍ରଶ୍ନର ଉତ୍ତରରେ ଖାଉଟି କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ନିମୁ ବେନ୍ ଜୟନ୍ତୀଭାଇ ବାମ୍ଭାନିୟା ଏହି ସୂଚନା ଦେଇଛନ୍ତି ।

ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ କୋଭିଡ ପରେ ଦେଶରେ ଆର୍ଥିକ ବ୍ୟବସ୍ଥା ଖରାପ ହୋଇଯାଇଥିବାବେଳେ ଗରିବ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିଲେ । ଏହାକୁ ଆଖିଆଗରେ ରଖି ୨୦୨୦ ଏପ୍ରିଲ ମାସରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ । ଗତ ଆର୍ଥିକ ବର୍ଷରେ ଏଥିପାଇଁ ୨ଲକ୍ଷ ୨୭ ହଜାର କୋଟି ଟଙ୍କାରୁ ଅଧିକ ଅର୍ଥ କେନ୍ଦ୍ର ସରକାରଙ୍କୁ ବହନ କରିବାକୁ ପଡିଥିଲା ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ହିତାଧିକାରୀମାନଙ୍କୁ ମୁଣ୍ଡପିଛା ୫କିଲୋ କରି ଚାଉଳ ବା ଗହମ ମାଗଣାରେ ଦିଆଯାଉଛି । ଏହାଛଡା ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ୪୬ଲକ୍ଷ ମେଟ୍ରିକ ଟନ୍ରୁ ଅଧିକ ଖାଦ୍ୟ ଶସ୍ୟ ମଧ୍ୟ ମୁଣ୍ଡପିଛା ୩୫କିଲୋ ହିସାବରେ ହିତାଧିକାରୀମାନଙ୍କୁ ବଣ୍ଟନ କରାଯାଉଛି ।

ଶ୍ରୀ ରାୟଙ୍କ ପ୍ରଶ୍ନର ଉତ୍ତରରେ ସରକାରଙ୍କ ପକ୍ଷରୁ ଯେଉଁ ତଥ୍ୟ ଦିଆଯାଇଛି ସେଥିରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡିଶାରେ ୩,୨୧,୯୩,୦୫୯ ଜଣ ଉପକୃତ ହେଉଛନ୍ତି। ସେହିପରି ପଶ୍ଚିମବଙ୍ଗରେ ୬କୋଟିରୁ ଅଧିକ, ଉତ୍ତରପ୍ରଦେଶରେ ୧୪କୋଟିରୁ ଅଧିକ, ତେଲେଙ୍ଗାନାରେ ପାଖପାଖି ୨କୋଟି, ତାମିଲନାଡୁରେ ସାଢେ ୩କୋଟିରୁ ଅଧିକ, ରାଜସ୍ଥାନରେ ୪କୋଟିରୁ ଅଧିକ, ପଞ୍ଜାବରେ ପାଖପାଖି ଦେଢ କୋଟି, ମହାରାଷ୍ଟ୍ରରେ ୬କୋଟିରୁ ଅଧିକ, ମଧ୍ୟପ୍ରଦେଶରେ ୫କୋଟିରୁ ଅଧିକ, କର୍ଣ୍ଣାଟକରେ ୪କୋଟିରୁ ଅଧିକ, ଗୁଜୁରାଟରେ ୩କୋଟିରୁ ଅଧିକ, ବିହାରରେ ୮କୋଟିରୁ ଅଧିକ, ଆସାମ ଓ ଆନ୍ଧ୍ରପ୍ରଦେଶରେ ୨କୋଟିରୁ ଅଧିକ କରି ଲୋକ ଉପକୃତ ହେଉଛନ୍ତି ।

ସେହିପରି ଅନ୍ତ୍ୟୋଦୟ ଅନ୍ନ ଯୋଜନାରେ ଓଡିଶାକୁ ବାର୍ଷିକ ୧ଲକ୍ଷ ୮୭ହଜାର ଟନ୍ ଖାଦ୍ୟଶସ୍ୟ ମିଳୁଥିବାବେଳେ ଉତ୍ତରପ୍ରଦେଶକୁ ୮ଲକ୍ଷ, ପଶ୍ଚିମବଙ୍ଗକୁ ୩ଲକ୍ଷ, ତାମିଲନାଡୁକୁ ୩ଲକ୍ଷ, ରାଜସ୍ଥାନ ୨ଲକ୍ଷ, ମହରାଷ୍ଟ୍ର ୩ଲକ୍ଷ, ବିହାର ସାଢେ ୪ଲକ୍ଷ ମେଟ୍ରିକ ଟନରୁ ଅଧିକ ଖାଦ୍ୟ ଶସ୍ୟ ପାଉଛନ୍ତି ।

ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଓ ଅନ୍ତ୍ୟୋଦୟ ଯୋଜନାରେ ଅନ୍ୟ ବହୁ ରାଜ୍ୟ ପରି ଓଡିଶାକୁ ଚାଉଳ ସହିତ ଗହମ ଯୋଗାଇବାପାଇଁ ଶ୍ରୀ ରାୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସ୍ୱାସ୍ଥ୍ୟଗତ କାରଣରୁ କେତେକ ଲୋକଙ୍କୁ ଭାତ ଖାଇବା ଉପରେ ପ୍ରତିବନ୍ଧକ ଥିବା ଦୃଷ୍ଟିରୁ ସେମାନଙ୍କ ଲାଗି ଗହମବ୍ୟବସ୍ଥା କରାଗଲେ ଲୋକେ ବେଶି ସଂଖ୍ୟାରେ ଉପକୃତ ହେବେବୋଲି ସେ କହିଛନ୍ତି ।

ଆହୁରି ପଢନ୍ତୁ : ଇଣ୍ଡିଆନ୍ ଆଇଡଲ୍ ବିଜେତା ଜ୍ୟୋତିର୍ମୟୀଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଘୋଷଣା କଲେ ୫ଲକ୍ଷ ଟଙ୍କାର ପୁରସ୍କାର ରାଶି