ନୂଆଦିଲ୍ଲୀ, ୨୮।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫେସବୁକ୍ ଆକାଉଣ୍ଟରୁ ଏକ ଭିଡିଓ ହଟିଯିବା ଘଟଣାରେ ସ୍ପଷ୍ଟୀକରଣ ଦେଇ କ୍ଷମା ପ୍ରାର୍ଥନା କରିଛି ‘ମେଟା’ । ମଙ୍ଗଳବାର କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ବୈଷୟିକ ତ୍ରୁଟି ଯୋଗୁଁ ଭୁଲ୍ବଶତଃ ଏହି ଭିଡିଓଟି ହଟିଯାଇଥିଲା, ଯାହାକୁ ଏବେ ରିଷ୍ଟୋର କରାଯାଇସାରିଛି । ସୂଚନାଯୋଗ୍ୟ, ଜୁଲାଇ ୨୮ ତାରିଖ ଭୋର ସମୟରେ ଫେସବୁକ୍ ପକ୍ଷରୁ ଏହି ଭିଡିଓର ଆକ୍ସେସ୍କୁ କିଛି ସମୟ ପାଇଁ ପ୍ରତିବନ୍ଧିତ କରାଯାଇଥିଲା । ଗତ ଜୁଲାଇ ୨୩ ତାରିଖରେ ଜାରି ହୋଇଥିବା ଏହି ଭିଡିଓଟି ଥିଲା ‘କକରୋଚ୍ ଜନତା ପାର୍ଟି’ ନେତୃତ୍ୱରେ ଚାଲିଥିବା ୩୬ ଦିନିଆ ଛାତ୍ର ଆନ୍ଦୋଳନ ସନ୍ଦର୍ଭରେ ‘ଜେନ୍ ଜି’ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ସମ୍ବୋଧନ । ଏହି ଭିଡିଓ ବାର୍ତ୍ତାରେ ପ୍ରଧାନମନ୍ତ୍ରୀ ଆଶ୍ୱାସନା ଦେଇଥିଲେ ଯେ, ଆସନ୍ତାକାଲି ବସିବାକୁ ଥିବା କ୍ୟାବିନେଟ୍ ବୈଠକରେ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଫେସବୁକ୍ ଏହାକୁ ପ୍ରତିବନ୍ଧିତ କରିବା ପୂର୍ବରୁ ଭିଡିଓଟିକୁ ଲକ୍ଷ ଲକ୍ଷ ଲୋକ ଦେଖିସାରିଥିଲେ ।
ଏହା ବି ପଢ଼ନ୍ତୁ... Parliament Monsoon Session: ପେପର୍ ଲିକ୍ ନିରୋଧୀ ବିଲ୍କୁ ନେଇ ଆଜି କମ୍ପିବ ଗୃହ, ବିତର୍କ ପରେ ହୋଇପାରେ ଗୃହୀତ
ବୈଷୟିକ ତ୍ରୁଟି ନା ଆଇନଗତ କାରଣ ?
ପ୍ରାରମ୍ଭିକ ପର୍ଯ୍ୟାୟରେ ଫେସବୁକ୍ରେ ଏକ ନୋଟିସ୍ ଶୋ’ କରୁଥିଲା, ଯେଉଁଥିରେ ଆଇନଗତ ଅନୁରୋଧ କାରଣରୁ ଭିଡିଓଟିକୁ ସୀମିତ କରାଯାଇଥିବା ଦର୍ଶାଯାଇଥିଲା । ତେବେ ଏହାକୁ ନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନଥିବାରୁ ଅନେକ ବିଜେପି ନେତା ଫେସବୁକ୍ର ଏହି ପଦକ୍ଷେପକୁ ନେଇ ପ୍ରଶ୍ନ ଉଠାଇଥିଲେ । ତେବେ ପରବର୍ତ୍ତୀ ସମୟରେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହା କୌଣସି ଆଇନଗତ ଅନୁରୋଧ ଯୋଗୁଁ ହୋଇନଥିଲା । ପ୍ଲାଟଫର୍ମରେ ଦେଖାଦେଇଥିବା ଏକ ଅସ୍ଥାୟୀ ବୈଷୟିକ ତ୍ରୁଟି ଯୋଗୁଁ ଭିଡିଓଟି କିଛି ସମୟ ପାଇଁ ଅନୁପଲବ୍ଧ ହୋଇପଡ଼ିଥିଲା । ଏବେ ସମସ୍ୟାର ସମାଧାନ ହୋଇସାରିଛି ।