ନୂଆଦିଲ୍ଲୀ - ଭାରତ ନିଜର ଶକ୍ତି ସୁରକ୍ଷାକୁ ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। ମିଳିଥିବା ସୂଚନା ଅନୁସାରେ, ସରକାର ୨୦୨୭ ମସିହାରୁ ଦେଶର ମୋଟ LPG (ରୋଷେଇ ଗ୍ୟାସ୍) ଆମଦାନୀର ପ୍ରାୟ ୨୫% ଅଂଶ ଆମେରିକାରୁ କିଣିବାକୁ ଯୋଜନା କରୁଛନ୍ତି। ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ମଧ୍ୟପ୍ରାଚ୍ୟ ଉପରେ ନିର୍ଭରଶୀଳତା ହ୍ରାସ କରାଇବା, ଗ୍ୟାସ୍ ଯୋଗାଣକୁ ସୁରକ୍ଷିତ କରିବା ଏବଂ ଆମେରିକା ସହ ପ୍ରସ୍ତାବିତ ବାଣିଜ୍ୟ ଚୁକ୍ତି (Trade Deal) କୁ ଆଗକୁ ବଢ଼ାଇବା। ଆସନ୍ତୁ ଏହା ବିଷୟରେ ବିସ୍ତାର ଭାବେ ଜାଣିବା…
ପ୍ରକୃତ କଥା ଏହା ଯେ, ଚଳିତ ବର୍ଷ ଇରାନ ଯୁଦ୍ଧ ଏବଂ ହୋର୍ମୁଜ ପ୍ରଣାଳୀ (Strait of Hormuz) ରେ ସପ୍ଲାଇ ବାଧାପ୍ରାପ୍ତ ହେବା ହେତୁ ଭାରତକୁ ରୋଷେଇ ଗ୍ୟାସର ଖୁବ୍ ନିଅଣ୍ଟିଆ ସ୍ଥିତିର ସାମ୍ନା କରିବାକୁ ପଡ଼ି ଥିଲା। ପରିସ୍ଥିତି ଏତେ ଗମ୍ଭୀର ହୋଇ ପଡ଼ି ଥିଲା ଯେ, ଘରୋଇ ଉପଭୋକ୍ତାଙ୍କ ପାଇଁ LPG ଯୋଗାଣ ବଜାୟ ରଖିବାକୁ ସରକାର ଶିଳ୍ପସଂସ୍ଥାରେ ବ୍ୟବହୃତ ପେଟ୍ରୋକେମିକାଲ୍ ଫିଡଷ୍ଟକ୍କୁ ମଧ୍ୟ ଘରୋଇ ଗ୍ୟାସ୍ ଯୋଗାଣ ଆଡ଼କୁ ମୋଡ଼ିବାକୁ ବାଧ୍ୟ ହୋଇଥିଲେ।
ଭାରତ ବିଶ୍ୱର ତୃତୀୟ ବୃହତ୍ତମ ଅଶୋଧିତ ତୈଳ ଆମଦାନୀକାରୀ ଏବଂ ଉପଭୋକ୍ତା ଦେଶ। ସରକାରୀ ତଥ୍ୟ ଅନୁସାରେ, ୨୦୨୫ ମସିହାରେ ଭାରତ ପ୍ରାୟ ୨.୧୮ କୋଟି ଟନ୍ LPG ଆମଦାନୀ କରିଥିଲା, ଯେଉଁଥିରୁ ପ୍ରାୟ ୯୦ % ଗ୍ୟାସ୍ ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରୁ ଆସି ଥିଲା। ସେହିପରି, ଦେଶରେ ବ୍ୟବହୃତ ମୋଟ LPG ର ପ୍ରାୟ ୬୬ % ଭାଗ ଆମଦାନୀ ମାଧ୍ୟମରେ ପୂରଣ କରାଯାଇ ଥାଏ। ଏଭଳି ପରିସ୍ଥିତିରେ, କୌଣସି ବି ଭୂ-ରାଜନୈତିକ ଉତ୍ତେଜନା ଭାରତର ଗ୍ୟାସ୍ ଯୋଗାଣ ଉପରେ ସିଧାସଳଖ ପ୍ରଭାବ ପକାଇ ଥାଏ।
ସୂତ୍ରାନୁସାରେ, ଇଣ୍ଡିଆନ୍ ଅଏଲ୍ (IOC), ଭାରତ ପେଟ୍ରୋଲିୟମ୍ (BPCL) ଏବଂ ହିନ୍ଦୁସ୍ଥାନ ପେଟ୍ରୋଲିୟମ୍ (HPCL) ଆଗାମୀ ୧ ରୁ ୨ ମାସ ମଧ୍ୟରେ ଆମେରିକାରୁ ୨୦୨୭ ମସିହା ପାଇଁ LPG କିଣିବାକୁ ଟେଣ୍ଡର ଜାରି କରି ପାରନ୍ତି। ଏହା ବ୍ୟତୀତ ଏହି କମ୍ପାନୀଗୁଡ଼ିକର ଏକ ପ୍ରତିନିଧି ଦଳ ଆସନ୍ତା ମାସରେ ଆମେରିକା ଗସ୍ତ କରି ଗ୍ୟାସ୍ ଯୋଗାଣ ନେଇ ଆଲୋଚନା ମଧ୍ୟ କରି ପାରନ୍ତି।
ଭାରତ ଓ ଆମେରିକା ମଧ୍ୟରେ ବ୍ୟବସାୟିକ ସମ୍ପର୍କ କ୍ରମାଗତ ଭାବେ ମଜବୁତ୍ ହେବାରେ ଲାଗିଛି। ଭାରତ ପୂର୍ବରୁ ହିଁ ନିକଟ ଭବିଷ୍ୟତରେ ଆମେରିକାରୁ ଶକ୍ତି କ୍ରୟକୁ ୧୦ ବିଲିୟନ ଡଲାରରୁ ବୃଦ୍ଧି କରି ୨୫ ବିଲିୟନ ଡଲାରରେ ପହଞ୍ଚାଇବାକୁ ପ୍ରତିଶ୍ରୁତି ଦେଇ ସାରିଛି। ଉଭୟ ଦେଶ ୨୦୩୦ ସୁଦ୍ଧା ୫୦୦ ବିଲିୟନ ଡଲାରର ଦ୍ୱିପାକ୍ଷିକ ବାଣିଜ୍ୟ ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରିଛନ୍ତି। ଏଭଳି ସ୍ଥିତିରେ ଆମେରିକାରୁ ଅଧିକ LPG କିଣିବା ଏହି ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ବିବେଚନା କରାଯାଉଛି।
ଆହୁରି ମଧ୍ୟ ପଢନ୍ତୁ - Indian Electric Cars: ୩ ମାସରେ ୧୪ ଗୁଣ ବଢିଲା ଇଲେକ୍ଟ୍ରିକ୍ କାର ରପ୍ତାନୀ, ୟୁରୋପରୁ ନେଇ ଆଫ୍ରିକା ପର୍ଯ୍ୟନ୍ତ ଡିମାଣ୍ଡ
ଅନ୍ୟପଟେ, କେନ୍ଦ୍ରୀୟ ପେଟ୍ରୋଲିୟମ୍ ରାଷ୍ଟ୍ରମନ୍ତ୍ରୀ ସୁରେଶ ଗୋପୀ ମଧ୍ୟ ସଂସଦରେ କହିଛନ୍ତି ଯେ, ଭାରତ LPG ଆମଦାନୀର ଉତ୍ସଗୁଡ଼ିକରେ ବିବିଧତା (Diversification) ଆଣୁଛି, ଯେପରି ଭବିଷ୍ୟତରେ କୌଣସି ଆଞ୍ଚଳିକ ସଙ୍କଟ କିମ୍ବା ଭୂ-ରାଜନୈତିକ ଘଟଣା ଯୋଗୁଁ ଗ୍ୟାସ୍ ଯୋଗାଣ ପ୍ରଭାବିତ ନହୁଏ। ସରକାରଙ୍କ କହିବା କଥା ଯେ, ଭିନ୍ନ ଭିନ୍ନ ଦେଶରୁ LPG କିଣିବାର ଏହି ରଣନୀତି ଭାରତର ଶକ୍ତି ସୁରକ୍ଷାକୁ ମଜବୁତ୍ କରିବ ଏବଂ ଉପଭୋକ୍ତାଙ୍କ ପାଇଁ ଗ୍ୟାସର ଉପଲବ୍ଧତାକୁ ସହଜ କରିବାରେ ସାହାଯ୍ୟ କରିବ।