ନୂଆଦିଲ୍ଲୀ, ୨୮।୭: ଜାତୀୟ ତଥା ଅନ୍ତର୍ଜାତୀୟ ସ୍ତରରେ ସଦ୍ୟତମ ଘଟଣାକ୍ରମରେ OpenAIର ଲୋକପ୍ରିୟ ଏଆଇ ଚାଟ୍‌ଜିପିଟି ହଠାତ୍ ଅଚଳ ହୋଇଯାଇଥିଲା । ଏହାର ପ୍ରଭାବ ବିଶ୍ୱବ୍ୟାପୀ କୋଟି କୋଟି ୟୁଜର୍ସଙ୍କୁ ପ୍ରଭାବିତ କରିଥିଲା । ବହୁ ୟୁଜର୍ସ ସେମାନଙ୍କ ଡିଭାଇସରେ ଚାଟ୍‌ଜିପିଟି କାମ କରୁନଥିବା ଅଭିଯୋଗ କରିଥିବା ବେଳେ କେତେକ କୋଡେକ୍ସ ସମସ୍ୟା ବିଷୟରେ ମଧ୍ୟ ସୂଚନା ଦେଇଥିଲେ । ଭାରତରେ ମଧ୍ୟ ଚାଟ୍‌ଜିପିଟି ୟୁଜର୍ସମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥିଲେ । ଇଣ୍ଟରନେଟ୍ ଆଉଟ୍‌ଜ ବା ସର୍ଭିସ ଠପ୍ ହେବାର ଏହା କୌଣସି ପ୍ରଥମ ଘଟଣା ନୁହେଁ । ଚାଟ୍‌ଜିପିଟି ପୂର୍ବରୁ ଏକ୍ସ, ୟୁଟ୍ୟୁବ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ସର୍ଭିସଗୁଡ଼ିକ ମଧ୍ୟ ବାରମ୍ବାର ଡାଉନ୍ ହୋଇଥିବାର ଦେଖାଯାଇଛି । ଗୋଟିଏ ମୁହୂର୍ତ୍ତରେ ଏକ ୱେବସାଇଟ୍ ସ୍ୱାଭାବିକ ଭାବେ କାମ କରୁଥିବା ବେଳେ ପରକ୍ଷଣରେ ତାହା ହଠାତ୍ ବନ୍ଦ ହୋଇଯାଏ । ପ୍ରଶ୍ନ ହେଉଛି, ପ୍ରକୃତରେ ଏହା କିପରି ଓ କାହିଁକି ହୁଏ ?

ଆଜିର ଡିଜିଟାଲ୍ ଯୁଗରେ ସମଗ୍ର ବିଶ୍ୱ ପରସ୍ପର ସହ ସଂଯୁକ୍ତ ରହିଛି ଏବଂ ପ୍ରତି ମୁହୂର୍ତ୍ତରେ କୋଟି କୋଟି ଲୋକ ବିଭିନ୍ନ ଅନଲାଇନ୍ ସର୍ଭିସ ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ଯଦି ସାମାନ୍ୟ ବାଧା ମଧ୍ୟ ସୃଷ୍ଟି ହୁଏ, ତେବେ ତାହା ଏକ ବିରାଟ ସମସ୍ୟାର ରୂପ ନିଏ । ମନେ କରନ୍ତୁ, ଆପଣ ଟ୍ରେନ୍ ଟିକେଟ୍ ବୁକ୍ କରୁଛନ୍ତି ଏବଂ ହଠାତ୍ ରେଳବାଇର ୱେବସାଇଟ୍ ଡାଉନ୍ ହୋଇଗଲା, ତେବେ ଆପଣ ଅସୁବିଧାର ସମ୍ମୁଖୀନ ହେବେ । ସେହିପରି ଯଦି ଆପଣ କୌଣସି ବ୍ୟାବସାୟିକ ପ୍ରତିଷ୍ଠାନ ଚଲାଉଛନ୍ତି ଏବଂ ସର୍ଭିସ୍ ବନ୍ଦ ରହିବା କାରଣରୁ ଗ୍ରାହକମାନେ ଆପଣଙ୍କ ସେବା ପାଇପାରୁ ନାହାନ୍ତି, ତେବେ ଏହା ଏକ ଚିନ୍ତାଜନକ ବିଷୟ ।

ସର୍ଭିସଗୁଡ଼ିକ କାହିଁକି ଡାଉନ୍ ହୋଇଯାଏ ?

ଇଣ୍ଟରନେଟ୍ ହେଉଛି ଏକ ବିରାଟ ନେଟ୍‌ୱାର୍କ ଏବଂ ଏହା କୌଣସି ଗୋଟିଏ ସୁଇଚ୍ ଦ୍ୱାରା ନିୟନ୍ତ୍ରିତ ହୁଏ ନାହିଁ । ଆପଣଙ୍କ ମୋବାଇଲ୍ ବା କମ୍ପୁଟର ପର୍ଯ୍ୟନ୍ତ ଇଣ୍ଟରନେଟ୍ ପହଞ୍ଚାଇବା ପଛରେ ଅନେକ ନେଟ୍ୱାର୍କ, ସର୍ଭର, କେବୁଲ୍ ଏବଂ ସଫ୍ଟୱେର୍ କାମ କରୁଥାଆନ୍ତି । ଯେତେବେଳେ ଏଗୁଡ଼ିକ ମଧ୍ୟରୁ କୌଣସି ଗୋଟିଏରେ ତ୍ରୁଟି ଦେଖାଦିଏ, ସେତେବେଳେ ଇଣ୍ଟରନେଟ୍ ଆଉଟ୍‌ଜ ସମସ୍ୟା ଦେଖାଦେଇଥାଏ ।

ଏହା ବି ପଢ଼ନ୍ତୁ... RBI's Big Move: ୨୦୦କୋଟି ଖଣ୍ଡ ପ୍ଲାଷ୍ଟିକ ନୋଟ୍ ଆଣିବ ଆରବିଆଇ ; ନକଲି ନୋଟ୍ କାରବାର ଉପରେ ଳାଗିବ ରୋକ୍

ସାଧାରଣତଃ ଏହି ସମସ୍ୟା ପଛରେ ୪ଟି ମୁଖ୍ୟ କାରଣ ରହିଥାଏ:

୧. ହାର୍ଡୱେର୍ ଫେଲୋଅର: ପ୍ରତ୍ୟେକ ଡିଜିଟାଲ୍ ସର୍ଭିସ୍ ପାଇଁ ଫିଜିକାଲ୍ ଇନଫ୍ରାଷ୍ଟକଚର ଆବଶ୍ୟକତା ରହିଥାଏ । ଏଥିରେ ସର୍ଭର, କେବୁଲ୍, ରାଉଟର୍, ପାୱାର୍ ସପ୍ଲାଏ ଏବଂ କୁଲିଂ ସିଷ୍ଟମ୍ ଆଦି ସାମିଲ । ଏହି ସମସ୍ତ ଜିନିଷ ବିନା ବ୍ରେକ୍ରେ ପରଦା ପଛରେ କାମ କରୁଥାଆନ୍ତି । ଏଥିମଧ୍ୟରୁ ଗୋଟିଏ ହେଲେ ବି ଖରାପ ହେଲେ ସିଷ୍ଟମ୍ ଠପ୍ ହୋଇଯାଇପାରେ ।

୨. ସଫ୍ଟୱେର୍ ବଗ୍: ଫିଜିକାଲ୍ ଇନଫ୍ରାଷ୍ଟକଚର ବ୍ୟତୀତ ସଫ୍ଟୱେର୍ରେ ଗଡ଼ବଡ଼ ହେଲେ ମଧ୍ୟ ବଡ଼ଧରଣର ସମସ୍ୟା ଉପୁଜିପାରେ । ସଫ୍ଟୱେର୍‌ରେ ଥିବା ଏକ କ୍ଷୁଦ୍ର ବଗ୍ ମଧ୍ୟ ବଡ଼କ୍ଷତି ଘଟାଇପାରେ । ଆମାଜନ୍ ୱେବ୍ ସର୍ଭିସେସ୍‌ରେ ଘଟିଥିବା ଆଉଟ୍‌ଜ ପଛରେ ଏକ ସଫ୍ଟୱେର୍ ବଗ୍ ହିଁ ଦାୟୀ ଥିଲା । କମ୍ପାନୀର ଅଟୋମେଟେଡ୍ DNS ମ୍ୟାନେଜମେଣ୍ଟରେ ଆସିଥିବା ଏକ ତ୍ରୁଟି ହଜାର ହଜାର ପ୍ଲାଟଫର୍ମକୁ ଅଚଳ କରିଦେଇଥିଲା । ଏହାର ପ୍ରଭାବରେ ବ୍ୟାଙ୍କ୍, ମୋବାଇଲ୍ ଆପ୍ ଏବଂ ଗେମିଂ ପ୍ଲାଟଫର୍ମଗୁଡ଼ିକ କାମ କରିବା ବନ୍ଦ କରିଦେଇଥିଲେ । ଇନ୍ଫ୍ରାଷ୍ଟ୍ରକଚରକୁ ଯେତେ ଆଧୁନିକ ଓ ସୁରକ୍ଷିତ କରାଗଲେ ମଧ୍ୟ ବଗ୍ ଆସିବାର ସମ୍ଭାବନାକୁ ସମ୍ପୂର୍ଣ୍ଣ ଏଡ଼ାଇ ହୁଏ ନାହିଁ ।

୩. ହ୍ୟୁମାନ୍ ଏରର୍: ଯନ୍ତ୍ରପାତି ବ୍ୟତୀତ ମଣିଷର ଭୁଲ୍ ମଧ୍ୟ ଇଣ୍ଟରନେଟ୍ ଆଉଟ୍‌ଜ ଏକ ପ୍ରମୁଖ କାରଣ ହୋଇଥାଏ । ଅନେକ ସମୟରେ ଭୁଲ୍ କମାଣ୍ଡ୍ ଟାଇପ୍ କରିବା, ଭୁଲ୍ କନଫିଗୁଏସନ୍ କିମ୍ବା ଭୁଲ୍‌ବଶତଃ କେବୁଲ୍ ବାହାର କରିଦେବା ଭଳି ଘଟଣା ସମଗ୍ର ଡିଜିଟାଲ୍ ଦୁନିଆକୁ ସ୍ତବ୍ଧ କରିଦିଏ । ୨୦୧୭ ମସିହାରେ ଜଣେ ଇଞ୍ଜିନିୟରଙ୍କ ଦ୍ୱାରା ଦିଆଯାଇଥିବା ଏକ ଭୁଲ୍ କମାଣ୍ଡ୍ କାରଣରୁ AWS S3 ଆଉଟ୍ଜ ଘଟିଥିଲା । ଏହାର ପ୍ରଭାବ ସ୍ଲାକ୍, ମିଡିୟମ୍, କୋର୍ସେରା, କୋରା ଏବଂ ଏକ୍ସପିଡିଆ ଭଳି ବଡ଼ ବଡ଼ ପ୍ଲାଟଫର୍ମ ଉପରେ ପଡ଼ିଥିଲା । ଏହି ତ୍ରୁଟିକୁ ସୁଧାରିବା ପାଇଁ ୩ ଘଣ୍ଟା ସମୟ ଲାଗିଥିଲା, ଯାହାଫଳରେ କମ୍ପାନୀଗୁଡ଼ିକୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡ଼ିଥିଲା । 

୪. ସାଇବର ଆକ୍ରମଣ: କୌଣସି ସର୍ଭର ବା ଡିଜିଟାଲ୍ ସର୍ଭିସ ପରିଚାଳନା କରୁଥିବା ସୁରକ୍ଷା ଟିମ୍ ପାଇଁ ସାଇବର ଆକ୍ରମଣ ଏକ ବଡ଼ ଚିନ୍ତାର ବିଷୟ । ସାଇବର ଆକ୍ରମଣ ଦ୍ୱାରା ସମଗ୍ର ସିଷ୍ଟମ୍ କୋଲାପ୍ସ ହୋଇପାରେ । କୌଣସି ସର୍ଭରକୁ କ୍ରାସ୍ କରିବା ପାଇଁ ଅତ୍ୟଧିକ ନକଲି ଟ୍ରାଫିକ୍ ପଠାଇବା ବା ଡିଷ୍ଟ୍ରିବୁଟେଡ୍ ଡିନାଇଲ୍ ଅଫ୍ ସର୍ଭିସ୍ ଆକ୍ରମଣର ସାହାଯ୍ୟ ନେବା ଏକ ସାଧାରଣ କଥା । ଏହାଦ୍ୱାରା ମଧ୍ୟ ସର୍ଭର ଡାଉନ୍ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ ।