ଭୁବନେଶ୍ୱର, ୧୭/୧୦: ବ୍ରାଉନ ସୁଗର ଡିଲ୍ ବେଳେ ମାଡ଼ି ବସିଲା ସ୍ପେଶାଲ କ୍ରାଇମ୍ ୟୁନିଟ୍ । ଜଟଣୀ ହରିରାଜପୁର ଛକ ନିକଟରୁ ୫୫୫ ଗ୍ରାମର ଧଳାଜହର ଜବତ । ଏହି ଘଟଣାରେ ୩ ଜଣଙ୍କୁ ସ୍ପେଶାଲ କ୍ରାଇମ ୟୁନିଟ୍ ଗିରଫ କରିଛି । ଖୋର୍ଦ୍ଧାର ମାଷ୍ଟର ମାଇଣ୍ଡ ଅନିତା ପରମଗୁରୁ (୪୧ ବର୍ଷ) ସମେତ ୨ ସହଯୋଗୀଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ନିମାପଡ଼ାର ରାଜେନ୍ଦ୍ର କୁମାର ସାହୁ (୩୨ ବର୍ଷ) ଏବଂ ଶିବ ପ୍ରସାଦ ଦାସ (୨୮ ବର୍ଷ) ।
ସୂଚନା ମୁତାବକ, ରାଜ୍ୟରେ ବ୍ରାଉନ ସୁଗର କାରବାର ରୋକିବା ପାଇଁ ସ୍ପେଶାଲ୍ କ୍ରାଇମ୍ ୟୁନିଟ୍ ଭୁବନେଶ୍ୱରରେ ଏକ ଅପରେସନ୍ ଚଳାଇଥିଲେ । ଏଥିରେ ସନ୍ଦିଗ୍ଧ ବ୍ୟକ୍ତିମାନଙ୍କୁ ଚିହ୍ନଟ ଏବଂ ଟ୍ରାକିଂ କରାଯାଇଥିଲା । ଏହି କ୍ରମରେ ଶୁକ୍ରବାର ଜଟଣୀ ହରିରାଜପୁର ଛକ ନିକଟରେ ଚଢାଉ ହୋଇଛି । ବ୍ରାଉନ ସୁଗର କାରବାର ଚାଲିଥିବା ବେଳେ ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗରଫ କରିବା ପରେ ପଚରାଉଚରା ଜାରି ରହିଛି । ସେମାନଙ୍କ ନିକଟରୁ ୫୫୫ ଗ୍ରାମର ବ୍ରାଉନ ସୁଗର, ୨ଟି ଗାଡ଼ି, ୫ଟି ମୋବାଇଲ ଫୋନ୍, ବହୁ ସୁନା ରୂପା ଅଳଙ୍କାର ସହ ୫ଲକ୍ଷ ୧୦ହଜାର ଟଙ୍କା ଜବତ ହୋଇଛି । ଏଥିରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହା ଜାଣିବା ପାଇଁ ଖୋଳତାଡ଼ ଚାଲିଛି । ଅପରାଧୀମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।