ନୂଆଦିଲ୍ଲୀ, ୬।୪: ଖରା ଦିନ ଆସିବା ମାତ୍ରେ ମଶାଙ୍କ ପ୍ରାଦୁର୍ଭାବ ବଢ଼ିଯାଏ । କିନ୍ତୁ, ଏବେ ବୈଜ୍ଞାନିକମାନେ ମଶାଙ୍କୁ ନେଇ ଏମିତି ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆଣିଛନ୍ତି, ଯାହା ଆଗାମୀ ଦିନରେ ମଶା କାମୁଡ଼ାରୁ ରକ୍ଷା ପାଇବାରେ ବଡ଼ ସାହାଯ୍ୟ କରିବ । କଲମ୍ବିଆ ୟୁନିଭର୍ସିଟିର ଏକ ଗବେଷଣାରୁ ଜଣାପଡ଼ିଛି ଯେ, ଏଣିକି ମଶାମାନେ ମଣିଷ ରକ୍ତ ପିଇବା ଭୁଲିଯାଇ ପାରନ୍ତି । ବୈଜ୍ଞାନିକ ଲୌରା ଡୁଭାଲ୍ଡଙ୍କ ନେତୃତ୍ୱରେ କରାଯାଇଥିବା ଏହି ଗବେଷଣାରୁ ଜଣାପଡ଼ିଛି ଯେ, ମାଈ ମଶାଙ୍କ ଶରୀରରେ ଏକ ବିଶେଷ ପ୍ରକାରର କୋଷ ବା ସେଲ୍ସ ରହିଛି । ଯେତେବେଳେ ମଶା ରକ୍ତ ପିଇଦିଏ, ଏହି ସେଲ୍ସଗୁଡ଼ିକ କିଛି ସମୟ ପାଇଁ ତା’ର ରକ୍ତ ଶୋଷିବା ଇଚ୍ଛାକୁ ବନ୍ଦ କରିଦିଅନ୍ତି । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ନିୟନ୍ତ୍ରଣ ମଶାର ମସ୍ତିଷ୍କରେ ନୁହେଁ ବରଂ ତା’ ପେଟର ଶେଷ ଭାଗରେ ଥିବା କୋଷଗୁଡ଼ିକ ଦ୍ୱାରା ହୋଇଥାଏ ।
ଏହା ବି ପଢ଼ନ୍ତୁ... ଯୁଦ୍ଧ ଯୋଗୁ ଆମେରିକାରେ ମହଙ୍ଗା ମାଡ଼, ଇ-କମର୍ସଠୁ ଏୟାରଲାଇନ୍ସ ଯାଏଁ ସବୁ କ୍ଷେତ୍ରକୁ ଝଟ୍କା
ଗବେଷଣା ଅନୁସାରେ, ଏହି ପ୍ରକ୍ରିୟା NPYLR7 ନାମକ ଏକ ରିସେପ୍ଟର ସହିତ ଜଡ଼ିତ । ରକ୍ତ ପିଇବା ପରେ ମଶା ଶରୀରରେ କିଛି ଖାସ୍ ସିଗନାଲ୍ ସକ୍ରିୟ ହୋଇଯାଏ, ଯାହା ମଶାର ପେଟରୁ ମସ୍ତିଷ୍କକୁ ଏହି ବାର୍ତ୍ତା ପଠାଏ ଯେ ତା’ର ପୋଷଣ ଆବଶ୍ୟକତା ପୂରଣ ହୋଇସାରିଛି । ଏହାଫଳରେ ମାଈ ମଶା କିଛି ଦିନ ପାଇଁ ମଣିଷକୁ କାମୁଡ଼ିବାକୁ ଆଦୌ ଆଗ୍ରହ ଦେଖାଏ ନାହିଁ । ବୈଜ୍ଞାନିକମାନେ ଯେତେବେଳେ ମଶା ଶରୀରରୁ ଏହି ରିସେପ୍ଟରକୁ ବାହାର କରିଦେଲେ, ଦେଖିବାକୁ ପାଇଲେ ଯେ ମଶା ରକ୍ତ ପିଇବା ଜାରି ରଖିଲେ ମଧ୍ୟ ସେମାନଙ୍କ ଅଣ୍ଡାର ବିକାଶ ବାଧାପ୍ରାପ୍ତ ହେଲା । ଅଣ୍ଡାଗୁଡ଼ିକରୁ ସଫଳତାର ସହ ଛୁଆ ବାହାରିଲେ ନାହିଁ । ଏଥିରୁ ସ୍ପଷ୍ଟ ହେଲା ଯେ, ଏହି ସିଷ୍ଟମ୍ କେବଳ ଭୋକ ନୁହେଁ ବରଂ ମଶାଙ୍କ ବଂଶବୃଦ୍ଧିକୁ ମଧ୍ୟ ନିୟନ୍ତ୍ରଣ କରୁଛି ।
ମଶାଙ୍କ ମସ୍ତିଷ୍କ ଅପେକ୍ଷା ତାଙ୍କ ପେଟରେ ଥିବା ଏହି ସିଷ୍ଟମକୁ ଟାର୍ଗେଟ୍ କରିବା ବୈଜ୍ଞାନିକଙ୍କ ପାଇଁ ଅଧିକ ସହଜ । ପ୍ରାଥମିକ ପରୀକ୍ଷାରେ କିଛି ଏମିତି କେମିକାଲ୍ ମିଳିଛି, ଯାହା ଏହି ରିସେପ୍ଟରକୁ ଆଗୁଆ ସକ୍ରିୟ କରିଦେବ । ଫଳରେ ମଶା ରକ୍ତ ପିଇବା ପୂର୍ବରୁ ହିଁ ନିଜକୁ ‘ପେଟ ପୂରା’ ଥିବା ଅନୁଭବ କରିବ ଏବଂ ମଣିଷକୁ କାମୁଡ଼ିବ ନାହିଁ । ‘କରେଣ୍ଟ ବାୟୋଲୋଜି’ ପତ୍ରିକାରେ ପ୍ରକାଶିତ ଏହି ରିପୋର୍ଟ ଆଗାମୀ ଦିନରେ ମ୍ୟାଲେରିଆ, ଡେଙ୍ଗୁ ଭଳି ମାରାତ୍ମକ ରୋଗରୁ ରକ୍ଷା ପାଇବା ପାଇଁ ଏକ ନୂଆ ରାସ୍ତା ଦେଖାଇଛି । ଯଦି ଏହି ଫର୍ମୁଲା ସଫଳ ହୁଏ, ତେବେ ମଶାଙ୍କ ଆତଙ୍କରୁ ମଣିଷ ଜାତିକୁ ବଡ଼ ଆଶ୍ୱସ୍ତି ମିଳିବ ।