ୱାଶିଂଟନ ଡିସି,୦୬/୦୪: ଇରାନ ଯୁଦ୍ଧ ଆମେରିକା ପାଇଁ ଭାରୀ ପଡ଼ିଛି । ୩୮ ଦିନ ଧରି ଯୁଦ୍ଧ ଲଢ଼ି ଥକୁନାହିଁ ଇରାନ । ଏହା କ୍ରମେ ଆମେରିକାର ସମସ୍ୟା ବଢ଼ାଇ ଚାଲିଛି । ରାଷ୍ଟ୍ରପତି ଟ୍ରମ୍ପ୍ଙ୍କ ଚରମବାଣୀକୁ ଖାତିର କରୁ ନାହିଁ ଇରାନ । ଆମେରିକାରେ ଯୁଦ୍ଧ ପ୍ରଭାବ ଜଳଜଳ ଦିଶିବାକୁ ଲାଗିଲାଣି । ବିଭିନ୍ନ କ୍ଷେତ୍ରରେ ଦରଦାମ ବୃଦ୍ଧି ଦେଶବାସୀଙ୍କ ନିଦ ହଜାଇ ଦେଇଛି । ଆମେରିକାରେ ତୈଳ ଦର ବୃଦ୍ଧି ପାଇବା ଯୋଗୁ ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେଉଛି । ଇ-କମର୍ସ ସଂସ୍ଥାଠାରୁ ଏୟାରଲାଇନ୍ସ ପର୍ଯ୍ୟନ୍ତ ସବୁ କ୍ଷେତ୍ରକୁ ଝଟ୍କା ଦେଇଛି ଯୁଦ୍ଧ । ଡାକ ସେବା ମଧ୍ୟ ମହଙ୍ଗା ହୋଇଛି । ବିଶେଷଜ୍ଞଙ୍କ ମୁତାବକ, ଇରାନ ଯୁଦ୍ଧ ଯୋଗୁ ସମଗ୍ର ବିଶ୍ୱରେ ତୈଳ ସଙ୍କଟ ଦେଖାଦେଇଛି । ବିଭିନ୍ନ କ୍ଷେତ୍ରରେ ଦରଦାମ ସ୍ଥିତି ଉତ୍କଟ ହୋଇଛି । ଆମେରିକା ମଧ୍ୟ ଏଥିରୁ ସୁରକ୍ଷିତ ରହିପାରିବ ନାହିଁ ।
ଅଧିକ ପଢ଼ନ୍ତୁ:- ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଲାଗିବ ୪୫ ଦିନିଆ ବ୍ରେକ୍ ! ଆସିଲା ନୂଆ ରିପୋର୍ଟ, ଆମେରିକା-ଇରାନ ଆଲୋଚନା
ରିପୋର୍ଟ ଅନୁସାରେ, ଆମାଜନ ନିଜ ଇ-କମର୍ସ ଡେଲିଭରି ଉପରେ ଇନ୍ଧନ ସରଚାର୍ଜ ଲଗାଇବା ପାଇଁ ଘୋଷଣା କରିଛି । କିଛି ଏୟାରଲାଇନ୍ସ ଇନ୍ଧନ ଦରବୃଦ୍ଧିର ଭରଣା ଲାଗି ଚେକ୍-ଇନ୍ ବ୍ୟାଗେଜ୍ ଉପରେ ଲାଗୁଥିବା ଦେୟକୁ ବଢ଼ାଇ ଦେଇଛନ୍ତି । ଆମେରିକାରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଇଛି । ଦେଶରେ ପେଟ୍ରୋଲର ହାରାହାରି ଦର ବଢ଼ି ଗ୍ୟାଲନ ପିଛା ୪.୦୯ ଡଲାର ହୋଇଥିଲା । ଯୁଦ୍ଧ ପୂର୍ବର ଦର ତୁଳନାରେ ଏହା ୧ ଡଲାରରୁ ଅଧିକ ହୋଇଛି। ଆମେରିକାନ ଅଟୋମୋବାଇଲ ସଂଘ (ଏଏଏ) ମୁତାବକ, ଦେଶରେ ଡିଜେଲ ଦର ଅହେୁତକ ବଢ଼ିଛି । ୧ ବର୍ଷ ପୂର୍ବେ ଏହା ଗ୍ୟାଲନ ପିଛା ୩.୬୪ ଡଲାର ଥିଲା ।
ଶୁକ୍ରବାର ଏହା ୫.୫୪ ଡଲାର ହୋଇଛି । ଡିଜେଲ ମହଙ୍ଗା ହେବା ଯୋଗୁ ଚାଷ, ନିର୍ମାଣ ଏବଂ ପରିବହନ ବ୍ୟତୀତ କେତେକ ଶିଳ୍ପ ଉଦ୍ୟୋଗ ଉପରେ ଗୁରୁତର ପ୍ରଭାବ ପଡ଼ୁଛି। ଏହାଯୋଗୁ କିଛି ଅତ୍ୟାବଶ୍ୟକ ସାମଗ୍ରୀ ମହଙ୍ଗା ହେବାରେ ଲାଗିଛି । ୟୁରୋପୀୟ ଦେଶ ବି ଏଥିରୁ ତ୍ରାହି ପାଉନାହାନ୍ତି ।