ନୂଆଦିଲ୍ଲୀ, ୦୩/୦୭ : ଧନୀଙ୍କ ସଂଖ୍ୟା ଏବେ ଦ୍ରୁତ ବେଗରେ ବଢ଼ିଚାଲିଛି । ବିଶ୍ୱରେ କେବଳ ଅରବପତିଙ୍କ ସଂଖ୍ୟା ୩,୦୦୦ ପାର୍‌ କରିଛି । ଫୋର୍ବସ ପକ୍ଷରୁ ୨୦୨୫ ପାଇଁ ଜାରି ହୋଇଥିବା ଅରବପତି ତାଲିକା ଅନୁସାରେ, ସବୁଠାରୁ ଅଧିକ ଅରବପତି ଥିବା ସହର ହେଉଛି ନ୍ୟୁୟର୍କ । ଏହା ମୁତାବକ, ବିଶ୍ୱର ମୋଟ ଅରବପତିଙ୍କ ଏକ ଚତୁର୍ଥାଂଶ କେବଳ ୧୦ଟି ସହରରେ ଅଛନ୍ତି । ଟପ୍‌-୧୦ରେ ଶୀର୍ଷ ସ୍ଥାନରେ ଅଛି ଆମେରିକାର ନ୍ୟୁୟର୍କ ସହର । ଭାରତର ମୁମ୍ବାଇ ସହର ବି ଶୀର୍ଷ ୧୦ ମଧ୍ୟରେ ରହିଛି । 

ଫୋର୍ବସ ରିପୋର୍ଟ ଅନୁସାରେ, ବିଶ୍ୱର ୩୦୨୮ ଅରବପତିଙ୍କ ମଧ୍ୟରୁ ଏକ ଚତୁର୍ଥାଂଶଙ୍କ ଠିକଣା ୬ଟି ଦେଶର ୧୦ ସହରରେ ଅଛି । ଏହି ଧନକୁବେରମାନେ ନିଜର ମଜଭୁତ ବିଜ୍‌ନେସ୍‌ ଇକୋସିଷ୍ଟମ୍‌ ଏବଂ ନିବେଶ-ଅନୁକୂଳ ନୀତି ଯୋଗୁ ଧନ ଯୋଡ଼ି ଚାଲିଛନ୍ତି । ନୂଆ ତାଲିକା ଅନୁସାରେ ଆମେରିକାର ନ୍ୟୁୟର୍କ ସହରରେ ସବୁଠାରୁ ଅଧିକ ୧୨୩ ଜଣ ଅରବପତି ଅଛନ୍ତି, ଯେଉଁମାନଙ୍କ ମୋଟ୍‌ ନେଟ୍‌ ସମ୍ପତ୍ତି ୭୫୯୦୦ କୋଟି ଡଲାର । ଲମ୍ବା ସମୟ ଧରି ଆମେରିକା ଅରବପତିଙ୍କ ଗଡ଼ ପାଲଟିଛି । 

୧୨ ବର୍ଷ ଧରି ନ୍ୟୁୟର୍କ ସହର ସର୍ବାଧିକ ଅରବପତି ଥିବା ସହରର ମାନ୍ୟତା ବଜାୟ ରଖିଛି । ନ୍ୟୁୟର୍କରେ ରହୁଥିବା ଅଧିକାଂଶ ଅରବପତି ଫାଇନାନ୍ସ, ରିୟଲ ଇଷ୍ଟେଟ୍‌ ଏବଂ ରିଟେଲ୍‌ ବ୍ୟବସାୟ ସହ ଜଡ଼ିତ । ତେବେ ସର୍ବାଧିକ ଅରବପତି ଥିବା ସହର ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛି ମସ୍କୋ । ଏଠାରେ ୯୦ ଜଣ ଅରବପତି ଅଛନ୍ତି, ଯେଉଁମାନଙ୍କ ମୋଟ ନେଟ୍‌ ସମ୍ପତ୍ତି ୪୦୯୦୦ କୋଟି ଡଲାର । ଏହା ପଛକୁ ୭୨ ଅରବପତିଙ୍କ ସହ ହଂକଂ ତୃତୀୟ ସ୍ଥାନରେ, ୭୧ ଅରବପତି ସହ ଲଣ୍ଡନ ଚତୁର୍ଥ ସ୍ଥାନରେ ଏବଂ ୬୮ ଅରବପତି ସହ ବେଜିଂ ପଞ୍ଚମ ସ୍ଥାନରେ ରହିଛି । ଭାରତର ମୁମ୍ବାଇ ସହରରେ ଅଛନ୍ତି ୬୭ ଅରବପତି, ଯେଉଁମାନଙ୍କ ମୋଟ ନେଟ୍‌ ସମ୍ପତ୍ତି ହେଉଛି ୩୪୯୦୦ କୋଟି ଡଲାର । ଏହା ପଛକୁ ରହିଛି ସିଙ୍ଗାପୁର, ସାନ୍‌ ଫ୍ରାନ୍‌ସିସ୍‌କୋ, ସାଂଘାଇ ଏବଂ ଲସ୍‌ଏଞ୍ଜେଲସ୍‌ । ଏସବୁ ସହରରେ ଅରବପତି ସଂଖ୍ୟା ଯଥାକ୍ରମେ ୬୦, ୫୮, ୫୮ ଏବଂ ୫୬ ରହିଥିବା ଫୋର୍ବସ ପକ୍ଷରୁ ପ୍ରକାଶ।