ନୂଆଦିଲ୍ଲୀ,୧୮।୧୧: ଦେଶର କୁଖ୍ୟାତ ନକ୍ସଲ କମାଣ୍ଡର ମାଦଭି ହିଡମାକୁ ସୁରକ୍ଷା ବାହିନୀ ମାରିବାରେ ସଫଳତା ହାସଲ କରିଛନ୍ତି। ଏହି କାର୍ଯ୍ୟାନୁଷ୍ଠାନ ସେତେବେଳର ସମୟ ସୀମାଠାରୁ ୧୨ ଦିନ ପୂର୍ବରୁ ହୋଇଛି, ଯାହାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିର୍ଦ୍ଧାରିତ କରିଥିଲେ। ସୁତ୍ର ଅନୁସାରେ, ହିଡମାକୁ ଆନ୍ଧ୍ର ପ୍ରଦେଶ, ଛତିଶଗଡ ଓ ତେଲେଙ୍ଗାନାର ସୀମାରେ ଥିବା ଘନ ପୁଲ୍ଲାଗାଣ୍ଡି ଜଙ୍ଗଲରେ ମାରିବାକୁ ସଫଳ ହୋଇଛି। ସୁତ୍ରର କହିବା ଅନୁସାରେ, ଗୃହମନ୍ତ୍ରୀ ଅମିତ ଶାହ ପୁରା ଦେଶରୁ ନକ୍ସଲବାଦର ମୂଳ ଉତ୍ପାଟନ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ କରିବାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି। ଏହି ସମୀକ୍ଷା ବୈଠକରେ ଶୀର୍ଷ ସୁରକ୍ଷା ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଥିଲା ଯେ, ହିଡମାକୁ ୩୦ ନଭେମ୍ବର ପୂର୍ବରୁ ଶେଷ କରି ଦିଆଯାଉ । ସୁରକ୍ଷା ବଳ ଏହି କାର୍ଯ୍ୟାନୁଷ୍ଠାନ ସମୟ ସୀମା ପୂର୍ବରୁ କରିଛନ୍ତି।
୧୯୮୧ରେ ସୁକମାରେ ଜନ୍ମିତ ହିଡମା ପିପୁଲ୍ସ ଲିବରେସନ୍ ଗୁରିଲା ଆର୍ମିର ଏକ ବାଟାଲିୟର କମାଣ୍ଡର ଥିଲା। ମାଓବାଦୀ ସେଣ୍ଟ୍ରାଲ କମିଟିର ମଧ୍ୟ ସଦସ୍ୟ ରହିଥିଲା। କୁହାଯାଉଛି ଯେ, ସେ ବସ୍ତରର ଏହି ଶୀର୍ଷ ମାଓବାଦୀ ନେତୃତ୍ବରେ ସାମିଲ ହୋଇଥିବା ଏକମାତ୍ର ଆଦିବାସୀ ସଦସ୍ୟ ଥିଲା। ହିଡମା ୨୪ ରୁ ଅଧିକ ବଡ଼ ନକ୍ସଲ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା। ସେ ୨୦୧୩ ଦରଭା ଘାଟି ନରସଂହାର ଓ ୨୦୧୭ ରେ ସୁକମା ଆକ୍ରମଣ ପାଇଁ ନିଜକୁ ଦାୟୀ କରିଥିଲା।
କିଛି ଦିନ ତଳେ ହିଡମାର ମା’ ଭାବୁକ ଅପିଲ କରି କହିଥିଲେ, ପୁଅ ଫେରିଆସି, ଆତ୍ମସମର୍ପଣ କରିଦେ।’ ଏହି ଅପିଲ୍ ବେଳେ ରାଜ୍ୟର ଗୃହମନ୍ତ୍ରୀ ବିଜୟ ଶର୍ମା ନିଜେ ହିଡମାର ମା’ ଘରେ ପହଁଞ୍ଚି ଥିଲେ ଓ ତାଙ୍କ ମା’ଙ୍କ ସହ ମଧ୍ୟାହ୍ନ ଭୋଜନ ମଧ୍ୟ କରିଥିଲେ। ଆଜି ସାମନାକୁ ଆସିଥିବା ଏହି ବଡ଼ କାର୍ଯ୍ୟାନୁଷ୍ଠାନ ପୁରା ବସ୍ତର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।