ଭବାନୀପାଟଣା,୧୬।୯ : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ବଡଧାରପୁର ଗ୍ରାମ ପଞ୍ଚାୟତର ସାନଧାରପୁର ଗ୍ରାମରେ ହୃଦୟ ବିଦାରକ ଘଟଣା ଘଟିଛି। ମା'କୁ ଟାଙ୍ଗିଆରେ ହାଣି ପୁଅ ହତ୍ୟା କରିଛି। ମୃତକ ଜଣକ ହେଲେ କଳ୍ପନା ବିଶ୍ବାଳ।
ମଙ୍ଗଳବାର ଅପରାହ୍ନରେ ସାନଧାରପୁର ଗ୍ରାମର ଭୁବନ ବିଶ୍ବାଳ(୩୦) କୌଣସି କାରଣକୁ ନେଇ ତାଙ୍କ ଘରେ କୋଠରୀ ବନ୍ଦ କରି ନିଜ ମା କଳ୍ପନା ବିଶ୍ବାଳ (୫୬)ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲା। ଗ୍ରାମବାସୀଙ୍କ ଠାରୁ ଖବର ପାଇ ନର୍ଲା ଓ କେସିଙ୍ଗା ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲେ। ତେବେ ମା’କୁ ହତ୍ୟା କରିବା ପରେ କବାଟ ବନ୍ଦ କରି ଘର ଭିତରେ ଭୁବନ ରହିଥିଲା। ଭବାନୀପାଟଣାରୁ ରିଜର୍ଭ ପୁଲିସ ଆସିବା ପରେ କୋଠରୀର କବାଟ ଭାଙ୍ଗି ଭିତରକୁ ପୁଲିସ ଯାଇଥିଲା। ଭୁବନକୁ ଗିରଫ କରିଥିଲେ। ପ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି। ନର୍ଲା ପୁଲିସ ଏ ସଂକ୍ରାନ୍ତରେ ଥାନାରେ ହତ୍ୟା ମାମଲା ରୁଜୁ କରିଥିବା ବେଳେ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି।