ବାଲେଶ୍ୱର ,୨୭/୦୫: ଭାଇ ଭାଇ ମଧ୍ୟରେ ଜମି ବିବାଦକୁ ନେଇ ମୃତ ମାଆର ଶବକୁ କାନ୍ଧ ଦେଲେନି ଜନ୍ମିତ ପୁଅ। ୧୦ ଘଣ୍ଟା ପରେ ପୁଲିସ ପହଞ୍ଚି କଲା ଶବ ସତ୍କାର। ଏଭଳି ଘଟଣା ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ସନ୍ତୋଷପୁର ପଞ୍ଚାୟତ ଲୋକନାଥପୁର ଗ୍ରାମରୁ ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଗ୍ରାମର ସ୍ବର୍ଗତ ବଂଶୀଧର ଦାସଙ୍କ ପତ୍ନୀ ତୁଳସୀ ଦାସଙ୍କ ତିନିଜଣ ପୁଅ ଅଛନ୍ତି। ପୂର୍ବରୁ ବଡ଼ ପୁଅ ନିଖୋଜ ଥିବା ବେଳେ ମଝିଆ ପୁଅ ନିକଟରେ ବାପା ବଂଶୀଧରଙ୍କ ମୃତ୍ୟୁ ଘଟିଥିଲା। ପରେ ତୁଳସୀ ସାନପୁଅ ରାକେଶ ଦାସଙ୍କ ନିକଟରେ ରହିଥିଲେ। ହେଲେ ଗତ ମଙ୍ଗଳବାର ଦିନ ୧୦.୨୫ ମିନିଟ ସମୟରେ ତୁଳସୀଙ୍କ ମୃତ ହୋଇଥିଲା। ତେବେ ପୂର୍ବରୁ ଜମି ବିବାଦ ଓ ପାରିବାରିକ କଳହକୁ କେନ୍ଦ୍ର କରି ଭାଇ ଭାଇ ମଧ୍ୟରେ ମତାନ୍ତର ମନାନ୍ତର ରହିଥିଲା। ରାକେଶ ନଦୀ ଘାଟରେ ଅନ୍ତେଷ୍ଟି କ୍ରିୟା କରିବାକୁ କହୁଥିବା ବେଳେ ତାଙ୍କର ଭାଇ ଓ ପରିବାର ବର୍ଗ ନିଜ ଘର ବାଡ଼ିରେ ଅନ୍ତେଷ୍ଟି କ୍ରିୟା କରିବେ ବୋଲି ଜିଦରେ ଅଟଳ ଥିଲେ। ଯାହାକୁ ନେଇ ବାଦ୍ ବିବାଦ ତେଜିଥିଲା।
ଆହୁରି ପଢନ୍ତୁ- Best MLA : ବଛା ହେବେ ଓଡ଼ିଶା ବିଧାନସଭାର ଶ୍ରେଷ୍ଠ ବିଧାୟକ, ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଚୟନ କମିଟି ଗଠିତ
ଗ୍ରାମର ଲୋକ ମଧ୍ୟ ରାକେଶକୁ ଶବ ଉଠାଇବା ପାଇଁ ସାହାଯ୍ୟ କରିନଥିଲେ। ଫଳରେ ଦିନ ୧୦ଟା ୨୫ ରୁ ମୃତ ହୋଇଥିଲେ ବି ସନ୍ଧ୍ୟା ୮ ଟା ପର୍ଯ୍ୟନ୍ତ ଶବ ଉଠି ପାରିନଥିଲା। ତେବେ ବସ୍ତା ପୁଲିସ ଖବର ପାଇ, ଅମରଦାରୋଡ ଫାଣ୍ଡି ଅଧିକାରୀ ବିଜୟ କୁମାର ବାରିକ୍ ଓ ତାଙ୍କର ଟିମ ଘଟଣାସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବାକୁ ଚାହିଁ ଥିଲେ ବି ସମସ୍ୟାର ସମାଧାନ ହୋଇ ପାରିନଥିଲା। ଶେଷରେ ବିଜୟ କୁମାର ବାରିକ ସମେତ ତାଙ୍କର ପୁଲିସ ତିମ୍ ଶବକୁ କାନ୍ଧ ଦେଇ ଘର ନିକଟରୁ ଦୀର୍ଘ ଦୁଇକିମି ଦୂରରେ ଥିବା ସୁବର୍ଣ୍ଣରେଖା ନଦୀର ଓଡ଼ିଆପଡ଼ା ବାଲି ଘାଟରେ ଶବ ସତ୍କାର କରିଥିଲେ।