ଭୁବନେଶ୍ୱର ୧୪/୦୨: ଭାଲେଣ୍ଟାଇନ ଡେ' ନୁହଁ, ମାତୃପିତୃ ଦିବସ ପାଳିତ। ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଦେଖିବାକୁ ମିଳିଛି ନିଆରା ଦୃଶ୍ୟ । ଫେବ୍ରୁଆରୀ ୧୪କୁ ଭାଲେଣ୍ଟାଇନ୍ ଡେ ନୁହେଁ ପିତାମାତାଙ୍କୁ ପୂଜା କରି ସମାଜକୁ ଏକ ସୁନ୍ଦର ବାର୍ତ୍ତା ଦେବାକୁ ଭିନ୍ନ ପ୍ରୟାସ ହୋଇଛି । ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ପାଳଛନ୍ତି ମାତୃପିତୃ ଦିବସ ।

ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ନିଆରା ପରମ୍ପରା ଦେଖିବାକୁ ମିଳିଥିଲା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ । ପିଲାମାନେ ନିଜର ବାପା-ମାଙ୍କୁ ପୂଜା କରିବା ସହ ସେମାନଙ୍କ ଦୀର୍ଘାୟୁ କାମନା କରିଥିଲେ। ସେହିଭଳି ପିଲାମାନଙ୍କ ଭକ୍ତି ଦେଖି ଭାବବିହ୍ଵଳ ହୋଇଥିଲେ ଅଭିଭାବକ । ଫୁଲ ଚନ୍ଦନ ଧୂପ ଦୀପ ସହ ସୃଷ୍ଟି ହୋଇଥିଲା ଏକ ଭକ୍ତିମୟ ପରିବେଶ । ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ଅଧିକ ମଜବୁତ କରିବା ପାଇଁ ଏବଂ ସମାଜକୁ ଗୋଟେ ଭଲ ବାର୍ତ୍ତା ଦେବାକୁ ଏହି ପିତୃମାତୃ ଦିବସ ଏକ ସ୍ୱତନ୍ତ୍ର ଦିବସ । ବାହାର ସଂସ୍କୃତି ପଛରେ ନ ପଡି ପିଲା କିଭଳି ଭାରତୀୟ ପରମ୍ପରା ସହ ଯୋଡି ହେବେ ଏ ହେଉଛି ତାର ଏକ ବଳିଷ୍ଠ ଉଦାହରଣ । ବାପା- ମାଙ୍କ ମୂଲ୍ୟବୋଧକୁ ସବୁବେଳେ ପିଲାମାନେ ଅନୁଭବ କରିବା ଆବଶ୍ୟକ ବୋଲି କହିଛନ୍ତି ଅଭିଭାବକ।