ଚନ୍ଦନେଶ୍ଵର,୨୨/୫: ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳିବାକୁ ବାରଣ କଲେ ମାଆ । ଗଛରେ ରଶି ଲଗାଇ ଝୁଲି ପଡ଼ିଲେ ଯୁବକ। ମୃତ ଯୁବକ ଜଣକ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ପଡିଆ ପଞ୍ଚାୟତ କୀର୍ତନିଆ ଗାଁର ପୂର୍ଣ୍ଣଚନ୍ଦ୍ର ମିର୍ଧାଙ୍କ ପୁଅ ଆନନ୍ଦ (୨୦) ବୋଲି ଜଣାପଡ଼ିଛି । ଏହି ଖବର ସମଗ୍ର ଅଞ୍ଚଳରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।
ସୂଚନା ମୁତାବକ, ବୁଧବାର ସନ୍ଧ୍ୟାରେ ଆନନ୍ଦ ଘରେ ବସି ମୋବାଇଲରେ ଫ୍ରି ଫାୟାର ଗେମ୍ ଖେଳୁଥିଲେ। ଏହା ଦେଖି ମାଆ ସବିତା ଅଧିକ ସମୟ ମୋବାଇଲରେ ଖେଳିବାକୁ ବାରଣ କରିବା ସହ ମୋବାଇଲ ଛଡାଇ ନେଇଥିଲେ । ଏତିକିରେ ପୁଅ ଭୁଲ ନିଷ୍ପତ୍ତି ନେଇ ଜୀବନ ହାରି ଦେଇଥିଲେ। ବହୁ ସମୟ ଖୋଜାଖୋଜି ପରେ ବିଳମ୍ବିତ ରାତିରେ ଘର ଆଗରେ ଥିବା ଏକ ବନି ଗଛରେ ଦଉଡି ଲଗାଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ କହିଛନ୍ତି । ଗୁରୁବାର ମରଶରୀର ଜଳେଶ୍ଵରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ବ୍ୟବଚ୍ଛେଦ କରାଯାଇଛି । ଏନେଇ ଭୋଗରାଇ ଥାନାରେ ଏକ ମାମଲା ରୁଜୁ ହୋଇଛି ।