ଅଲିଗଡ଼, ୧୨/୦୨ : ଉତ୍ତର ପ୍ରଦେଶ ଅଲିଗଡ଼ର ଭଗୋଡି ଦୁହ୍ଲନ। ୧୦ ମାସ ତଳେ ଭାବି ଜ୍ଵାଇଁ ସହ ଚାଲି ଯାଇଥିଲେ, ହେଲେ ମନ ବୁଝିଲାନି ଏବେ ଭିଣୋଇ ସହ ଫେରାର୍। ସାଙ୍ଗରେ ନେଇଗଲା ଲକ୍ଷାଧିକ ଟଙ୍କାର ସୁନାଗହଣା। ଥାନାରେ ଶିଶୁପାଳ ହୋଇ ବସିଛି ଭାବି ଜ୍ଵାଇଁ। ଅଭିଯୋଗ ଶୁଣି ଥାନା ବାବୁଙ୍କ ମୁଣ୍ଡ ଗୋଲ୍। ସମାଧାନ କରିବ କ'ଣ ହାତ ଟେକିଦେଲା ପୁଲିସ।
୨୦୨୫ ଏପ୍ରିଲରେ ଉତ୍ତର ପ୍ରଦେଶର ଅଲିଗଡ଼ର ଏକ ଘଟଣା ଚର୍ଚ୍ଚାର ବିଷୟ ପାଲଟିଥିଲା। ଅଲିଗଡ଼ ମଡରାକ ଅଞ୍ଚଳର ଜଣେ ମହିଳା ସ୍ଵପ୍ନା ତାଙ୍କର ଭାବି ଜ୍ଵାଇଁ ରାହୁଲ ସହ ଫେରାର୍ ହୋଇଯାଇଥିଲେ। ଦୁହେଁ ବିହାରର ସୀତାମଢିରେ ରହୁଥିଲେ। କିଛି ଦିନ ପରେ ସେ ଚାଲି ଆସିଥିଲେ ଏବଂ ପରେ ରାହୁଲଙ୍କ ସହ ରହିବାକୁ ଅଡ଼ି ବସିଥିଲେ। ଉଭୟଙ୍କୁ କାଉନସିଲିଂ କରିବା ପରେ ପୁଲିସ ଉଭୟଙ୍କୁ ରହିବା ପାଇଁ ଅନୁମତି ଦେଇଥିଲା। ହେଲେ ରାହୁଲଙ୍କ ସହ ୧୦ ମାସ ରହିବା ପରେ ସ୍ଵପ୍ନାଙ୍କ ବୁଝିଲାନି ମନ। ଏବେ ନିଜ ଭିଣୋଇ ସହ କେଉଁଆଡ଼େ ଫେରାର୍ ହୋଇଯାଇଛନ୍ତି ସେ। ଆଉ ଯିବା ବେଳେ ରାହୁଲଙ୍କ ଘରେ କଳାକନା ବୁଲାଇ ଦେଇଛନ୍ତି ସ୍ଵପ୍ନା। ସାଥୀରେ ନେଇଯାଇଛନ୍ତି ଲକ୍ଷାଧିକ ଟଙ୍କାର ସୁନା ଗହଣା। ଯେଉଁଥିପାଇଁ ଏବେ ଥାନାର ଦ୍ଵାରସ୍ଥ ହୋଇଛନ୍ତି ରାହୁଲ।
ସୂଚନାନୁଯାୟୀ, ରାହୁଲ ସୀତାମଢି ଥାନାରେ ସ୍ଵପ୍ନାଙ୍କ ନାଁରେ ଅଭିଯୋଗ କରିଥିଲେ। ହେଲେ ପୁଲିସ ପକ୍ଷରୁ କୌଣସି ସହଯୋଗ ମିଳିଲାନି। ଏହାପରେ ସେ ଅଲିଗଡ଼ର ଦାଦୋଁ ଥାନାରେ ଅଭିଯୋଗ କରିଛନ୍ତି। ହେଲେ ଦାଦୋଁ ଥାନା ଅଧିକାରୀ ମଧ୍ୟ ହାତ ଟେକି ଦେଇଛନ୍ତି। ଏହା ବିହାରର ଘଟଣା ତେଣୁ ସେ କୌଣସି ସହଯୋଗ କରିପାରିବେ ନାହିଁ ବୋଲି କହିଛନ୍ତି।
୧୫ ଦିନ ତଳେ ପ୍ରଥମ ସ୍ଵାମୀର ଦ୍ଵିତୀୟ ବିବାହ
ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଲା ସ୍ଵପ୍ନାଙ୍କ ପ୍ରଥମ ସ୍ଵାମୀ ୧୫ ଦିନ ତଳେ ଦ୍ଵିତୀୟ ବିବାହ କରି ସାରିଛନ୍ତି। ସ୍ଵପ୍ନାଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଅଛି। ଗତ ଏପ୍ରିଲ ମାସରେ ଝିଅ ପାଇଁ ଠିକ୍ ହୋଇଥିବା ବର ରାହୁଲ ସହ ସ୍ଵପ୍ନା ଫେରାର୍ ହୋଇଯାଇଥିଲା। ଏବେ ୧୦ ମାସ ପରେ ସ୍ଵପ୍ନା ତାଙ୍କ ଭିଣୋଇଙ୍କ ସହ ଚାଲିଯିବାରୁ ଘଟଣାରେ ଜବରଦସ୍ତ ଟ୍ଵିଷ୍ଟ ଦେଖିବାକୁ ମିଳିଛି।
ଏହି ଖବରଟିକୁ ପଢନ୍ତୁ- ହାପି ଫ୍ୟାମିଲର ଦି ଇଣ୍ଡ୍ : ରାତିରେ ଅନ୍ କରି ଶୋଇ ପଡ଼ିଥିଲେ ଗିଜର, ସକାଳୁ ଉଠିଲେନି କେହି...