ବୁର୍ଲା, ୨୩/୦୭ (ଜ୍ୟୋତିପ୍ରକାଶ ପାଣିଗ୍ରାହୀ): କଙ୍କାଳସାର ଶରୀର। ଶିଶୁଙ୍କ ପଞ୍ଜରା ଦିଶୁଛି। ବୟସ ତୁଳନାରେ ବଢୁନି ଓଜନ । ପେଟ ଫୁଲି ବାହାରି ପଡ଼ିଛି । ମହିଳାଙ୍କ ଅବସ୍ଥା ମଧ୍ୟ ସମାନ । ପୁଷ୍ଟିକର ଖାଦ୍ୟ ଅଭାବରୁ ରକ୍ତହୀନତା ଗ୍ରାସିଛି । କମ୍ ବୟସରେ ମାଡ଼ିବସୁଛି ଦୁରାରୋଗ୍ୟ ବ୍ୟାଧି । ଅକାଳରେ ଝାଉଁଳିପଡୁଛି ଜୀବନ । ବ୍ୟାପକ ସରକାରୀ ଯୋଜନା ପଶ୍ଚିମ ଓଡ଼ିଶାର ଅନ୍ୟତମ ଆଦିମ ଜନଜାତି ପାଉଡ଼ି ଭୂୟାଁଙ୍କ ଭାଗ୍ୟ ବଦଳାଇପାରୁନାହିଁ । ଫଳସ୍ୱରୂପ ସମ୍ପ୍ରଦାୟର ୬୮ ପ୍ରତିଶତ ଶିଶୁ ଅପପୁଷ୍ଟି କବଳରେ । ଅନୁରୂପ ଭାବେ ୬୪ ପ୍ରତିଶତ ମହିଳା ରକ୍ତହୀନତା (ଆନେମିଆ)ର ଶିକାର ହୋଇଛନ୍ତି । ଆହୁରି ଅନେକ ଗୁରୁତ୍ୱର ସ୍ୱାସ୍ଥ୍ୟ ସଙ୍କଟ ସହ ଯୁଝୁଛନ୍ତି। ଶିକ୍ଷା, ସ୍ୱାସ୍ଥ୍ୟ, ଜୀବନଜୀବିକା ପ୍ରତି କ୍ଷେତ୍ରରେ ପାଉଁଡ଼ି ଭୂୟାଁ ସଂଘର୍ଷ କରୁଛନ୍ତି । ଓଡ଼ିଶାର ବିଶେଷ ସୁରକ୍ଷା ଆବଶ୍ୟକ କରୁଥିବା ଜନଜାତି (ପିଭିଟିଜି) ବର୍ଗର ଜୀବନଶୈଳୀ ଓ ସାମାଜିକ-ଆର୍ଥିକ ସ୍ଥିତିକୁ ନେଇ ସମ୍ବଲପୁର ବିଶ୍ୱବିଦ୍ୟାଳୟର ‘ଆଞ୍ଚଳିକ ବିକାଶ ଓ ଜନଜାତି ଅଧ୍ୟୟନ ଉତ୍କର୍ଷ ଗବେଷଣା କେନ୍ଦ୍ର’ ପକ୍ଷରୁ କରାଯାଇଥିବା ଅଧ୍ୟୟନରେ ଏଭଳି ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି ।
ପ୍ରଫେସର ଅରୁଣ କୁମାର ଆଚାର୍ଯ୍ୟଙ୍କ ନେତୃତ୍ୱରେ ପ୍ରସ୍ତୁତ ଏହି ଗବେଷଣାରେ ସୁନ୍ଦରଗଡ଼ ଜିଲ୍ଲାର ପାଉଡ଼ି ଭୂୟାଁ ଜନଜାତି ମାତ୍ରାଧିକ ଅସୁରକ୍ଷିତ ବୋଲି ମୂଲ୍ୟାଙ୍କନ କରାଯାଇଛି । ବ୍ୟାପକ ସରକାରୀ ଯୋଜନା କାର୍ଯ୍ୟକାରୀ ସତ୍ତ୍ଵେ ଏହି ବିଲୁପ୍ତପ୍ରାୟ ବର୍ଗ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି । ଏଥିପ୍ରତି ସରକାର ସମ୍ବେଦନଶୀଳ ହୋଇ ବ୍ୟାପକ ପଦକ୍ଷେପ ନେବାକୁ ରିପୋର୍ଟରେ ସୁପାରିସ୍ କରାଯାଇଛି । ଅଧ୍ୟୟନର ପ୍ରଥମ ପର୍ଯ୍ୟାୟରେ ସୁନ୍ଦରଗଡ଼ ଜିଲ୍ଲାର ଲହୁଣୀପଡ଼ା, କୋଇଡ଼ା, ବଣାଇଁ ଓ ଗୁରୁଣ୍ଡିଆ ବ୍ଲକର ୧୦୬୦ ପାଉଡ଼ି ଭୂୟାଁ ପରିବାର ମଧ୍ୟରୁ ୩୧୮ ପରିବାରକୁ ଅନ୍ତର୍ଭୁକ୍ତ କରାଯାଇଛି । ସେମାନଙ୍କ ଜୀବିକା, ପୁଷ୍ଟିସ୍ଥିତି, ସ୍ୱାସ୍ଥ୍ୟ, ଶିକ୍ଷା, ଜୀବନଧାରଣ ମାନ ଏବଂ ସାଂସ୍କୃତିକ ପରିଚୟ ଭଳି ଛଅଟି ପ୍ରମୁଖ କ୍ଷେତ୍ର ଆଧାରରେ ମୂଲ୍ୟାଙ୍କନ କରାଯାଇଛି ।
ପାଉଡ଼ି ଭୂୟାଁ ଜନଜାତି ଜଙ୍ଗଲ ଉପରେ ଅତ୍ୟଧିକ ନିର୍ଭରଶୀଳ । ଖାଦ୍ୟ ସଂଗ୍ରହ ଓ ପାହାଡ଼ିଆ ଅଞ୍ଚଳରେ ପୋଡ଼ୁ ଚାଷ ହିଁ ସେମାନଙ୍କ ପ୍ରମୁଖ ଜୀବିକା । ଉତ୍ପାଦନକ୍ଷମ ସମ୍ପତ୍ତିର ଅଭାବ ସେମାନଙ୍କୁ ଆର୍ଥିକ ଦୃଷ୍ଟିରୁ ଅଧିକ ଅସୁରକ୍ଷିତ କରିଛି । ଶିକ୍ଷା କ୍ଷେତ୍ରରେ ମଧ୍ୟ ସ୍ଥିତି ଚିନ୍ତାଜନକ । ମହିଳାଙ୍କ ସାକ୍ଷରତା ହାର ମାତ୍ର ୩୮ ପ୍ରତିଶତ । ଉଭୟ ପୁରୁଷ ଏବଂ ମହିଳାଙ୍କ କ୍ଷେତ୍ରରେ ହାରାହାରି ପାଠପଢ଼ା ତୃତୀୟ କିମ୍ବା ଚତୁର୍ଥ ମଧ୍ୟରେ ସୀମିତ ରହିଛି । ପ୍ରାଥମିକ ଶିକ୍ଷା ସ୍ଥିତି ଉଦ୍ବେଗଜନକ । ସମ୍ପ୍ରଦାୟରେ ଅଧାରୁ ସ୍କୁଲ ଛାଡ଼ିବାର ହାର ରାଜ୍ୟହାର ତୁଳନାରେ ବେଶି । ଏହାର କାରଣ ଦୂରଗାମୀ ଶିକ୍ଷା । ଅର୍ଥାତ୍ ଅଧିକାଂଶ ଗାଁରେ ସ୍କୁଲ ନାହିଁ । ପିଲାମାନଙ୍କୁ ୫ କିମିରୁ ଅଧିକ ଦୂରକୁ ଯିବାକୁ ପଡ଼ୁଛି ବୋଲି ରିପୋର୍ଟରେ ଉଲ୍ଲେଖ କରାଯାଇଛି । ସ୍ୱାସ୍ଥ୍ୟକ୍ଷେତ୍ରରେ ପାଉଡ଼ି ଭୂୟାଁ ସମ୍ପ୍ରଦାୟ ସବୁଠୁ ଅଧିକ ସଂଘର୍ଷ କରୁଛି । ସର୍ଭେରେ ୬୪ ପ୍ରତିଶତ ମହିଳା ରକ୍ତହୀନତାରେ ଏବଂ ୬୮ ପ୍ରତିଶତ ଶିଶୁ ଅପପୁଷ୍ଟିରେ ପୀଡ଼ିତ ଥିବା ଜଣାପଡ଼ିଛି । ଗୁଣାତ୍ମକ ଖାଦ୍ୟ ଓ ପାନୀୟ ଅଭାବରୁ ଶରୀରକୁ ରୋଗ ଗ୍ରାସୁଛି । ମ୍ୟାଲେରିଆ ଓ କିଡ୍ନୀ ରୋଗର ପ୍ରକୋପ ମଧ୍ୟ କମ୍ ନୁହେଁ । ପାଉଡ଼ି ଭୂୟାଁ ପରିବାର ବସବାସ କରୁଥିବା ଅଧିକାଂଶ ଗ୍ରାମରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଉପଲବ୍ଧ ନାହିଁ । ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ସର୍ବନିମ୍ନ ଦୂରତା ୧୦ କିମି । ଚିକିତ୍ସା ପାଇଁ ଅଧିକାଂଶ ଲୋକେ ଆଜି ମଧ୍ୟ ଜଡ଼ିବୁଟି ଉପରେ ନିର୍ଭରଶୀଳ । ପାନୀୟ ଜଳ, ରାସ୍ତା, ବିଦ୍ୟୁତ୍, ପରିମଳ ଭଳି ମୌଳିକ ସୁବିଧା ସମ୍ପୃକ୍ତ ଅଞ୍ଚଳରେ ଅପହଞ୍ଚ ରହିଛି । ଅଧିକାଂଶ ପରିବାର ଝରଣା ଓ ପୋଖରୀ ପାଣି ବ୍ୟବହାର କରୁଛନ୍ତି ।
ଖାଦ୍ୟ ସୁରକ୍ଷା, ‘ସଫଳ' କୃଷି ଯୋଜନା, ଏକଲବ୍ୟ ମଡେଲ ଆବାସିକ ବିଦ୍ୟାଳୟ, ପ୍ରି ଓ ପୋଷ୍ଟ ମାଟ୍ରିକ ବୃତ୍ତି ଭଳି ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରୀ ହେଉଥିଲେ ମଧ୍ୟ ପାଉଡ଼ି ଭୂୟାଁ ସମ୍ପ୍ରଦାୟ ବିଭିନ୍ନ କାରଣରୁ ଏହାର ଲାଭ ଉଠାଇପାରୁନି । ଖାଦ୍ୟ ସୁରକ୍ଷା, ଦାରିଦ୍ର୍ୟ, ସାକ୍ଷରତା, ଦୁର୍ବଳ ସ୍ୱାସ୍ଥ୍ୟ ଓ ମୌଳିକ ସୁବିଧାର ଅଭାବ ଭଳି ଏକାଧିକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସମ୍ପ୍ରଦାୟର ସାମଗ୍ରିକ ବିକାଶ ପାଇଁ ସରକାରୀ ପ୍ରକଳ୍ପର ସଫଳ କାର୍ଯ୍ୟକାରିତା, ଉନ୍ନତ ଶିକ୍ଷା ବ୍ୟବସ୍ଥା, ସ୍ୱାସ୍ଥ୍ୟ ଭିତ୍ତିଭୂମିର ବିକାଶ ଏବଂ ସ୍ଥାୟୀ ଜୀବିକା ସୃଷ୍ଟି ଉପରେ ବିଶେଷ ଗୁରୁତ୍ୱ ଦେବାକୁ ରିପୋର୍ଟରେ ପରାମର୍ଶ ଦିଆଯାଇଛି । ଭାରତର ସର୍ବାଧିକ ଆଦିମ ଜନଜାତି ଓଡ଼ିଶାରେ ବସବାସ କରୁଛନ୍ତି । ବଣ୍ଡା, ଡଙ୍ଗରିଆ, ଲାଞ୍ଜିଆ ସଉରା, ଦିଦାୟୀ, କୁଟିଆ କନ୍ଧ, ମାଙ୍କିଡ଼ିଆ, ଚକୋଟିଆ ଭୁଞ୍ଜିଆ, ଲାଞ୍ଜଆ ସଉରା, ପାଉଡ଼ି ଭୂୟାଁ ଭଳି ୧୩ ଆଦିମ ଜନଜାତି ସମ୍ପ୍ରଦାୟକୁ ପିଭିଟିଜି ତାଲିକାଭୁକ୍ତ କରାଯାଇଛି । ରାଜ୍ୟ ଜନଜାତି ସଂଗ୍ରହାଳୟ ସୂତ୍ରରୁ ଉପଲବ୍ଧ ତଥ୍ୟ ଅନୁଯାୟୀ, ଓଡ଼ିଶାରେ ପାଉଡ଼ି ଭୂୟାଁଙ୍କ ସଂଖ୍ୟା ମାତ୍ର ୧୪ ହଜାର । ଏମାନେ ମୁଖ୍ୟତଃ ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ଅନୁଗୋଳ, କେନ୍ଦୁଝର, ମୟୂରଭଞ୍ଜ ଜିଲ୍ଲାରେ ବସବାସ କରୁଛନ୍ତି । ବେଶପୋଷାକ, ପରମ୍ପରା, କୃଷି ପଦ୍ଧତିକୁ ନେଇ ସ୍ୱତନ୍ତ୍ର ପରିଚୟ ହାସଲ କରିଥିବା ଏହି ବିଲୁପ୍ତପ୍ରାୟ ବର୍ଗର ସଂରକ୍ଷଣ ନିମନ୍ତେ ସରକାର ରୋଡ୍ମ୍ୟାପ୍ ପ୍ରସ୍ତୁତ କରିବାକୁ ଦାବି ହେଉଛି।
ଆହୁରି ପଢନ୍ତୁ- Traffic advisory : ବାହୁଡ଼ା, ସୁନାବେଶ ଲାଗି ଯାନବାହନ କଟକଣା... ଏହି ବାଟେ ଗଲେ ମିଳିବ ଜଗା ଦର୍ଶନ
କେନ୍ଦୁଝର: ଲଗାଣ ବର୍ଷାରେ ଭୁଶୁଡ଼ିଲା ୪ ଜିଲ୍ଲାକୁ ସଂଯୋଗ କରୁଥିବା ପୋଲ