ଭୁବନେଶ୍ୱର ୨୮/୧୧: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟ ଓ ଅଗ୍ରଣୀ ଆଇ.ଟି କମ୍ପାନୀ ୱିପ୍ରୋ ଲିମିଟେଡ୍‌ ମଧ୍ୟରେ ବିଶ୍ୱବିଦ୍ୟାଳୟର ଇଞ୍ଜିନିୟରିଂ ଛାତ୍ରଛାତ୍ରୀ ମାନଙ୍କର ପ୍ରଶିକ୍ଷଣ ନିମନ୍ତେ ଗୁରୁବାର ଏଠାରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି ।ଏହି ବୁଝାମଣା ପତ୍ର ଅନୁଯାୟୀ ୱିପ୍ରୋ ପକ୍ଷରୁ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନିକାଲ୍‌ ଏଜୁକେସନ୍‌ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଛାତ୍ରଛାତ୍ରୀ ତଥା ନୂତନ ଭାବେ ପାଠ୍ୟକ୍ରମ ଶେଷ କରିଥିବା ଗ୍ରାଜୁଏଟ୍‌ ମାନଙ୍କୁ ଜ୍ଞାନ ଗର୍ଭକ ଓ ନିଯୁକ୍ତି ଆଧାରିତ ତାଲିମ ଦିଆଯିବ। ଏହା ଫଳରେ ଛାତ୍ରଛାତ୍ରୀମାନେ ଏହି ଶିଳ୍ପରେ ନିଯୁକ୍ତ ପାଇବା ନିମନ୍ତେ ଆବଶ୍ୟକୀୟ ଦକ୍ଷତା ଓ ଅନ୍ୟାନ୍ୟ ନିପୁଣତା ହାସଲ କରିପାରିବେ। 

ଏହା ଛଡ଼ା ୱିପ୍ରୋ ପକ୍ଷରୁ ଛାତ୍ରଛାତ୍ରୀମାନଙ୍କୁ କ୍ଷେତ୍ର ଆଧାରିତ ଜ୍ଞାନ ଓ ଶିକ୍ଷା ପ୍ରଦାନ କରାଯିବ ଯାହା ଫଳରେ ସେମାନେ ଏହି ଶିଳ୍ପରେ ନିଯୁକ୍ତି ପାଇପାରିବେ। ଏହି ପ୍ରଶିକ୍ଷଣ କାର୍ଯ୍ୟ ନିମନ୍ତେ ସୋଆ ପକ୍ଷରୁ ୱିପ୍ରୋକୁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ। ଏହି ବୁଝାମଣା ପତ୍ର ସୋଆ କୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଓ ୱିପ୍ରୋ ଲିମିଟେଡର ଜେନେରାଲ୍‌ ମ୍ୟାନେଜର ଏବଂ ଗ୍ଲୋବାଲ୍‌ ହେଡ୍‌ (କ୍ୟାମ୍ପସ୍‌ ହାଇରିଂ) ଶ୍ରୀ ସନ୍ଦେଶ କୁମାରଙ୍କ ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା। 

ଏହି ଅବସରରେ ଆଇଟିଇଆର୍‌ର ଡିନ୍‌ ପ୍ରଫେସର ପ୍ରଦୀପ୍ତ କୁମାର ସାହୁ, ସୋଆ ସ୍ପନ୍‌ସରଡ ରିସର୍ଚ୍ଚ ଆଣ୍ଡ ଇଣ୍ଡଷ୍ଟ୍ରିଆଲ୍‌ କନ୍‌ସଲଟାନ୍ସି ଡିନ୍‌ ପ୍ରଫେସର ପି.କେ. ପାତ୍ର, ୱିପ୍ରୋ ଇଞ୍ଜିନିୟରିଂର ଡେଲିଭରି ହେଡ ଶ୍ରୀ ସତ୍ୟବ୍ରତ କର, ସୋଆ ଛାତ୍ର ମଙ୍ଗଳ ଡିନ୍‌ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, ସୋଆ ଚିଫ୍‌ ଆଡମିନିଷ୍ଟ୍ରେଟିଭ୍‌ ଅଫିସର ଶ୍ରୀ ପ୍ରମୋଦ କୁମାର ପଣ୍ଡା, ଆଡିସ୍‌ନାଲ୍‌ ଡିନ୍‌ (ଏକାଡେମିକ୍ସ) ପ୍ରଫେସର ଧୀରେନ୍ଦ୍ରନାଥ ଥାଟୋଇ, ସୋଆର ଆଡିସ୍‌ନାଲ୍‌ ଡିନ୍‌, କର୍ପୋରେଟ ରିଲେସନ୍ସ ଆଣ୍ଡ ପ୍ଲେସମେଂଟ ଡକ୍ଟର ରାଜକୁମାର ହୋତା, ଆଇଟିଇଆର୍‌ର ଇଲେକ୍ଟ୍ରୋନିକ୍ସ ଆଣ୍ଡ କମ୍ୟୁନିକେସନ୍‌ ଇଞ୍ଜିନିୟରିଂ ମୁଖ୍ୟ ଡକ୍ଟର ବିଭୁ ମହାନ୍ତି ଓ କମ୍ପ୍ୟୁଟର ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ଉପମୁଖ୍ୟ ଡକ୍ଟର ଶାରଦା ପତି ଉପସ୍ଥିତ ଥିଲେ।