ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆମେରିକାନ୍ ଇଣ୍ଡିଆନ୍ ଫାଉଣ୍ଡେସନ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଭୁବନେଶ୍ୱର, ୨୯।୧୧ ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ଆମେରିକାନ୍ ଇଣ୍ଡିଆନ୍ ଫାଉଣ୍ଡେସନ ମଧ୍ୟରେ ଆଜି ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି । ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅତିରିକ୍ତ ସଚିବ ନିତ୍ୟାନନ୍ଦ ବାରିକ ଏବଂ ଆମେରିକାନ୍ ଇଣ୍ଡିଆନ୍ ଫାଉଣ୍ଡେସନ ପକ୍ଷରୁ ଏହାର ନିର୍ଦ୍ଦେଶକ ମିଃ ମାଥୁ୍ୟ ଜୋଶେଫ୍ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଥିଲେ ।
ଏହି ବୁଝାମଣାପତ୍ର ସ୍ୱାକ୍ଷର କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ୍ ଯୋଗଦେଇ କହିଲେ ଯେ, ମହିଳା ଓ ଶିଶୁ ବିକାଶ ବିଭାଗ ଶିଶୁ ଖାଦ୍ୟରେ ଉତ୍କର୍ଷ ଆଣିବା ଓ ସେମାନଙ୍କ ଗୁରୁତର ପୁଷ୍ଟିହୀନତାକୁ ରୋକିବା ଉଦ୍ଦେଶ୍ୟରେ ଅନେକ ପ୍ରଶଂସନୀୟ ପଦକ୍ଷେପ ଗ୍ରହଣ କରିଛି । ଗୋଷ୍ଠୀ ଆଧାରିତ ପୁଷ୍ଟି ପରିଚାଳନା କାର୍ଯ୍ୟକ୍ରମରେ ବର୍ଦ୍ଧିତ ଛତୁଆର ବ୍ୟବସ୍ଥା, ୬ ବର୍ଷର କମ୍ ପିଲାମାନଙ୍କ ନିମନ୍ତେ ପରିପୂରକ ପୁଷ୍ଟି ଯୋଜନା ଅଧୀନରେ ଖାଦ୍ୟ ବିବିଧତାକୁ ପ୍ରୋତ୍ସାହନ, ‘ଟିକି ମାଉସୀ’ ମାସ୍କଟ ମାଧ୍ୟମରେ ପୁଷ୍ଟି ସଚେତନତା ବାର୍ତ୍ତାର ପ୍ରସାର, କଳିକା ଗୋଷ୍ଠୀଗତ କ୍ରେଚ୍, ପଡ଼ାପୁଷ୍ଟି କାର୍ଯ୍ୟକ୍ରମ ଆଦି ସେଥିରେ ଅନ୍ତର୍ଭୁକ୍ତ ।
ମୟୁରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ଓ ଗୋପବନ୍ଧୁ ନଗର ବ୍ଲକ୍ରେ ଶିଶୁ ସ୍ୱାସ୍ଥ୍ୟ, ପୁଷ୍ଟି ଓ ପ୍ରାରମ୍ଭିକ ଶିକ୍ଷା ପାଇଁ ପ୍ରସ୍ତୁତି ସମ୍ବନ୍ଧୀୟ ସମନ୍ୱିତ କାର୍ଯ୍ୟକ୍ରମରେ ଆମ ବିଭାଗ ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ ସହଯୋଗରେ ଶିଶୁମାନଙ୍କ ସାମୂହିକ ବିକାଶ ଉଦ୍ଦେଶ୍ୟରେ ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରୁଛି । ଏହି ଦୁଇଟି ବ୍ଲକ୍ରେ ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକରେ ୬ ମାସରୁ ୩ ବର୍ଷର ପିଲାମାନଙ୍କୁ ଗରମ ରନ୍ଧାଖାଦ୍ୟ ଦିଆଯିବ । ବର୍ତ୍ତମାନ ପ୍ରଚଳିତ ବ୍ୟବସ୍ଥାଠାରୁ ଏହି ପଦକ୍ଷେପ ଅଧିକ ଫଳପ୍ରଦ ହେବ । ଶିଶୁମାନଙ୍କ ପ୍ରାରମ୍ଭିକ ଶିକ୍ଷା ପାଇଁ ପ୍ରସ୍ତୁତି ଓ ଯୁବପିଢ଼ିଙ୍କ ମଧ୍ୟରେ ମାନସିକ ସ୍ୱାସ୍ଥ୍ୟର ସମସ୍ୟାକୁ କମାଇବା ପାଇଁ ଏହି ପଦକ୍ଷେପ ପ୍ରଭାବୀ ଓ ଫଳପ୍ରସୂ ହେବ । ଏହି ଅଭିନବ ପଦକ୍ଷେପ ଦୁଇଟିଯାକ ବ୍ଲକ୍ରେ ଅପପୁଷ୍ଟି ଭୋଗୁଥିବା ଶିଶୁମାନଙ୍କ ପୁଷ୍ଟିସାଧନ ଦିଗରେ ନିର୍ଣ୍ଣାୟକ ଭୂମିକା ନେବ ।ଶିଶୁମାନଙ୍କର ପ୍ରାକ୍-ବିଦ୍ୟାଳୟ ପ୍ରସ୍ତୁତିକୁ ଅଧିକ ଜୋରଦାର କରିବା ସଙ୍ଗେ ସଙ୍ଗେସେମାନଙ୍କ ମାନସିକ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣି ପାରିବ ବୋଲି ମନ୍ତ୍ରୀ ହେମ୍ବ୍ରମ୍ ମତବ୍ୟକ୍ତ କରିଥିଲେ ।
ବିଭାଗୀୟ କମିଶନର ତଥା ଶାସନ ସଚିବ ଶୁଭା ଶର୍ମା କହିଲେ ଯେ, ମୟୁରଭଞ୍ଜର ଠାକୁରମୁଣ୍ଡା ଓ ଗୋପବନ୍ଧୁ ନଗର ବ୍ଲକ୍ର ଶିଶୁମାନଙ୍କ ପୁଷ୍ଟିସାଧନ, ଖାଦ୍ୟରେ ଉନ୍ନତି ଓ ସେମାନଙ୍କ ସାମୂହିକ ବିକାଶ ଉଦ୍ଦେଶ୍ୟରେ ଆମେରିକାନ୍ ଇଣ୍ଡିଆନ୍ ଫାଉଣ୍ଡେସନର ଏହି ପାଇଲଟ୍ ପ୍ରୋଜେକଫ ନିଶ୍ଚିତ ରୂପେ ସଫଳତା ହାସଲ କରିବ ।
ଆଭାସୀ ମାଧ୍ୟମରେ ଯୋଗ ଦେଇଥିବା ମୟୁରଭଞ୍ଜର ଜିଲ୍ଲାପାଳ ବିନିତ୍ ଭରଦ୍ୱାଜ, ଆମେରିକାନ୍ ଇଣ୍ଡିଆ ଫାଉଣ୍ଡେସନ ନିର୍ଦ୍ଦେଶକ ମିଃ ମାଥୁ୍ୟଜୋଶେଫ୍, ପ୍ରୋଜେକଫ ନିର୍ଦ୍ଦେଶକ ରାଜକମଲ ଶର୍ମା ପ୍ରମୁଖ ଏହି ଅଭିନବ ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଥିଲେ । ମହିଳା ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ସଚିବ ନିତ୍ୟାନନ୍ଦ ବାରିକ ଧନ୍ୟବାଦ ଦେଇଥିଲେ । ସୂଚନାଯୋଗ୍ୟ ଯେ, ଏହି କାର୍ଯ୍ୟକ୍ରମ ୨ ଲକ୍ଷ ୫୦ ହଜାର ଗୋଷ୍ଠୀ ସଦସ୍ୟ, ୬ ବର୍ଷରୁ କମ୍ ୨୦ ହଜାର ପିଲା ଓ ୧୨ ହଜାର କିଶୋରଙ୍କ ହିତସାଧନ ନିମନ୍ତେ ଉଦ୍ଦିଷ୍ଟ । ମୟୁରଭଞ୍ଜ ଜିଲ୍ଲାର ବ୍ଲକ୍ ଦୁଇଟିର ୩୮୮ଟି ଅଙ୍ଗନୱାଡ଼ି କେନ୍ଦ୍ରରେ ଏହି ପାଇଲଟ୍ ପ୍ରୋଜେକ୍ଟ କାମ କରିବ ।