ସାମାଜିକ ଗଣମାଧ୍ୟମରେ ଗୋଟିଏ ପୋଷ୍ଟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ରିୟାଦର ଚକଚକିଆ ସହର, ଆକାଶଛୁଆଁ ଅଟ୍ଟାଳିକା ଏବଂ ବିଳାସମୟ ଜୀବନଶୈଳୀ ବଞ୍ଚୁଥିବା ଜଣେ ବ୍ୟକ୍ତି, ଯିଏ ମାସକୁ ୧୦ଲକ୍ଷ ଟଙ୍କା ରୋଜଗାର କରନ୍ତି ସେ କହିଛନ୍ତି ଯେ ଜୀବନଟା ବିରକ୍ତିକର, ବୋରିଂ! ଉକ୍ତ ବ୍ୟକ୍ତି ମାସିକ ୮ଲକ୍ଷ ଟଙ୍କାର ସଞ୍ଚୟ ଏବଂ ଭାରତର ବିଭିନ୍ନ ସ୍ଥାନରେ ଅର୍ଥ ନିବେଶ କରିଛନ୍ତି । ତାଙ୍କର ସମ୍ପତ୍ତି ନିରନ୍ତର ବଢ଼ିଚାଲିଛି । ସେ କହନ୍ତି- ତାଙ୍କ ପାଖରେ ଅର୍ଥର ଅଭାବ ନାହିଁ, କିନ୍ତୁ "ଜୀବନ'ର ଅଭାବ ଅଛି । ତାଙ୍କର ଅନୁଭବ ହେଉଛି ଜୀବନଟା ଯେମିତି ଏକ ନିର୍ଦ୍ଦିଷ୍ଟ ଚକ୍ରରେ ବନ୍ଧା ହୋଇଯାଇଛି: କାମ କରିବା, ଜିମ୍‌ ଯିବା ଆଉ ଶୋଇବା । ଏକବିଂଶ ଶତାବ୍ଦୀର ଚକଚକିଆ ପୃଥିବୀରେ ମଣିଷ ଆଜି ସଫଳତାର ଏମିତି ଏକ ଶିଖରରେ ପହଞ୍ଚିଛି, ଯେଉଁଠାରୁ ସବୁକିଛି ସୁନ୍ଦର ଦେଖାଯାଉଛି ସତ, କିନ୍ତୁ ଅନୁଭବ ହେଉଛି ସେସବୁ ଯେମିତି ଅତ୍ୟନ୍ତ ଶୂନ୍ୟ ଏବଂ ନିଷ୍ପ୍ରାଣ ।

ଆଧୁନିକ ଜୀବନଶୈଳୀ ଆମକୁ ପ୍ରଚୁର ଅର୍ଥ, ବିଳାସପୂର୍ଣ୍ଣ ବାସଗୃହ ଏବଂ ସାମାଜିକ ପ୍ରତିଷ୍ଠା ତ ଦେଇଛି, ମାତ୍ର ଏହି ସବୁକୁ ଉପଭୋଗ କରିବା ପାଇଁ ଯେଉଁ ମାନସିକ ଶାନ୍ତି ଓ ଉନ୍ମାଦନା ଦରକାର, ତାହା କେଉଁଠି ହେଲେ ହଜିଯାଇଛି । ଆଜିର ସମୟରେ ଜଣେ ବ୍ୟକ୍ତି ବିଦେଶର ମାଟିରେ ରହି ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ଏବଂ କୋଟି କୋଟି ଟଙ୍କାର ସମ୍ପତ୍ତି ନିଜ ନାମରେ ରଖିବା ଏକ ସାଧାରଣ ସଫଳତା ପାଲଟିଛି । କିନ୍ତୁ ଏହି ସଫଳତାର ଅନ୍ତରାଳରେ ଏକ ଅଜଣା ବିଷାଦ ଓ ବିରକ୍ତିଭାବ ମଣିଷକୁ କ୍ରମଶଃ ଗ୍ରାସ କରିବାରେ ଲାଗିଛି । ଆଧୁନିକ ମଣିଷ ଏବେ ନିଜକୁ ଏକ ସୁନା ପିଞ୍ଜରାରେ ବନ୍ଦୀ ଥିବା ପକ୍ଷୀ ପରି ଅନୁଭବ କରୁଛି । ତା' ପାଖରେ ସବୁକିଛି ଥାଇ ମଧ୍ୟ ସେ ନିଜକୁ ଦରିଦ୍ର ମନେକରୁଛି, କାରଣ ତା'ର ଜୀବନରୁ ନୂତନତା ଏବଂ ଆବେଗର ସମସ୍ତ ଦ୍ୱାର ବନ୍ଦ ହୋଇଯାଇଛି ।

ଆଧୁନିକ ଅର୍ଥନୀତି ଓ କର୍ପୋରେଟ୍‌ ସଂସ୍କୃତି ଆମକୁ ଶିଖାଇଛି ଯେ, ଯେତେ ଅଧିକ ସଞ୍ଚୟ ଓ ନିବେଶ କରିବ ତୁମର ଭବିଷ୍ୟତ ସେତେ ସୁରକ୍ଷିତ । ଏହି ସୁରକ୍ଷାର ମାୟାଜାଲରେ ପଡ଼ି ମଣିଷ ନିଜର ବର୍ତ୍ତମାନକୁ ବଳି ଦେଇଚାଲିଛି । ରିୟାଦ ହେଉ କିମ୍ବା ନ୍ୟୁୟର୍କ, ମଣିଷ ଆଜି ରୋବଟ୍‌ ପରି ଦିନରାତି ଖଟି ଚାଲିଛି । ମାସ ଶେଷରେ ବୃଦ୍ଧିପାଉଥିବା ବ୍ୟାଙ୍କ ବାଲାନ୍‌ସ ତାକୁ କିଛି ସମୟ ପାଇଁ ଆନନ୍ଦ ଦେଉଛି ସତ, କିନ୍ତୁ ସେହି ଆନନ୍ଦ କ୍ଷଣସ୍ଥାୟୀ । ବଳକା ଅର୍ଥକୁ ପୁଣି ଥରେ ବିଭିନ୍ନ ସ୍ଥାନରେ ନିବେଶ କରିବା ଏବଂ ସମ୍ପତ୍ତି ବଢ଼ାଇବା ଏକ ନିଶା ପରି ହୋଇଯାଇଛି । ମାତ୍ର ଏହି ଦୌଡ଼ର ଶେଷ କେଉଁଠି ତାହା କେହି ଜାଣନ୍ତି ନାହିଁ । ଅର୍ଥର ଏହି ବିଶାଳ ପାହାଡ଼ ଉପରେ ଛିଡ଼ା ହୋଇଥିବା ବ୍ୟକ୍ତିଜଣକ ଏବେ ଅନୁଭବ କରିବାକୁ ଆରମ୍ଭ କଲାଣି ଯେ ତା'ର ଜୀବନଟା କେବଳ ପରିସଂଖ୍ୟାନ ଓ ହିସାବ କିତାବରେ ସୀମିତ ହୋଇଯାଇଛି । ସେ ଖାଉଛି ସବୁଠାରୁ ଦାମୀ ଖାଦ୍ୟ, କିନ୍ତୁ ସେଥିରେ ସ୍ୱାଦ ନାହିଁ । ସେ ଶୋଉଛି ସବୁଠାରୁ ନରମ ଶେଯରେ, କିନ୍ତୁ ଆଖିରେ ନିଦ ନାହିଁ । ଏହା ହିଁ ଆଧୁନିକ ଜୀବନର ସବୁଠାରୁ ବଡ଼ ବିଡ଼ମ୍ବନା । ଏହି ଯାନ୍ତ୍ରିକ ଜୀବନଶୈଳୀରେ "ବୋରିଂ' ବା ବିରକ୍ତିକର ଶବ୍ଦଟି ଏବେ ଏକ ମାନସିକ ମହାମାରୀର ରୂପ ନେଇଛି । ଏହା ସେତେବେଳେ ଆସେ, ଯେତେବେଳେ ଜୀବନରେ କୌଣସି ଚ୍ୟାଲେଞ୍ଜ କିମ୍ବା ରୋମାଞ୍ଚ ବାକି ରହେନାହିଁ ।

ସକାଳୁ ଉଠି ଜିମ୍‌ ଯାଇ ଶରୀରକୁ ସୁସ୍ଥ ରଖିବାକୁ ଚେଷ୍ଟା କରିବା ଏକ ଭଲ କଥା, କିନ୍ତୁ ଯେତେବେଳେ ତାହା କେବଳ ଏକ କର୍ତ୍ତବ୍ୟ ପାଲଟିଯାଏ, ସେତେବେଳେ ଶରୀର ତ ଗଠନ ହୋଇଯାଏ, ମାତ୍ର ମନ ମରିଯାଏ । ଅଫିସ୍‌ରେ ସେହି ଏକା ଧରଣର କାମ, ସେହି ଏକା ଫାଇଲ୍‌ ଏବଂ ସେହି ଏକା ବୈଠକ ମଣିଷର ସୃଜନଶୀଳତାକୁ ଶେଷ କରିଦିଏ । ଆଜିର ଉଚ୍ଚବିତ୍ତ ସମାଜରେ ସାମାଜିକତା କେବଳ ପ୍ରଦର୍ଶନରେ ସୀମିତ । ଆଧୁନିକ ମଣିଷ ପାଖରେ ସୋସିଆଲ ମିଡିଆରେ ହଜାର ହଜାର ବନ୍ଧୁ ଅଛନ୍ତି, କିନ୍ତୁ ଏକୁଟିଆ ବସି କଫି ପିଇବାବେଳେ ତାକୁ ଅନୁଭବ ହୁଏ ଯେ, ସେ ବଡ଼ ଏକାକୀ । ଏହି ଏକାକୀତ୍ୱ ହିଁ ଜୀବନକୁ ବୋରିଂ କରିଦିଏ । ଟଙ୍କା ପଇସା ପରିବାରଠାରୁ ଦୂରେଇ ନିଏ, ସମ୍ପର୍କକୁ କେବଳ ଫୋନ୍‌ କଲ୍‌ ଏବଂ ଭିଡିଓ କଲ୍‌ ମଧ୍ୟରେ ସଙ୍କୁଚିତ କରିଦିଏ । ସମ୍ପତ୍ତି ନିରନ୍ତର ବଢ଼ି ଚାଲିବା ସତ୍ତେ୍ୱ ବ୍ୟକ୍ତି ମଧ୍ୟରେ ଯେଉଁ ଅସନ୍ତୋଷ ସୃଷ୍ଟି ହୁଏ, ତାହାର ମୂଳ କାରଣ ହେଉଛି "ଉଦ୍ଦେଶ୍ୟହୀନତା' । ମଣିଷ ଜୀବନର ଏକ ସ୍ୱାଭାବିକ ଗୁଣ ହେଉଛି ସେ କିଛି ନୂଆ କରିବାକୁ ଚହେଁ, କାହା ପାଇଁ କିଛି ଉତ୍ସର୍ଗ କରିବାକୁ ଚାହେଁ । କିନ୍ତୁ ଯେତେବେଳେ ସେ କେବଳ ନିଜପାଇଁ ଏବଂ ନିଜର ଆଗାମୀ ପିଢ଼ିର ବିଳାସ ପାଇଁ ଅର୍ଥ ସଂଗ୍ରହରେ ବ୍ୟସ୍ତ ରହେ ତା'ର ଆତ୍ମିକ ବିକାଶ ବାଧାପ୍ରାପ୍ତ ହୁଏ ।

ମନୋବିଜ୍ଞାନୀମାନେ କହନ୍ତି ଯେ, ସୁଖ ଓ ଶାନ୍ତି ମଧ୍ୟରେ ଆକାଶ ପାତାଳ ପାର୍ଥକ୍ୟ ଅଛି । ସୁଖ ବସ୍ତୁରୁ ମିଳିଥାଏ, ମାତ୍ର ଶାନ୍ତି ମିଳିଥାଏ ନିଜର କର୍ମ ଓ ଚିନ୍ତାଧାରାରୁ । ପ୍ରଚୁର ରୋଜଗାର କରୁଥିବା ବ୍ୟକ୍ତି ଜଣକ ଯଦି ନିଜର ସମୟ ଓ ସମ୍ବଳର ଏକ କ୍ଷୁଦ୍ର ଅଂଶ ସମାଜର କଲ୍ୟାଣ ପାଇଁ କିମ୍ବା କୌଣସି ନିଃସ୍ୱାର୍ଥପର କାର୍ଯ୍ୟରେ ବିନିଯୋଗ କରନ୍ତେ, ତେବେ ହୁଏତ ତାଙ୍କୁ ସେହି "ବୋରିଂ' ଚକ୍ରରୁ ମୁକ୍ତି ମିଳନ୍ତା । ଅନ୍ୟର ଆଖିରେ ଖୁସି ଦେଖିବା ଦ୍ୱାରା ଯେଉଁ ଆତ୍ମସନ୍ତୋଷ ମିଳେ, ତାହା ଦଶକୋଟି ଟଙ୍କାର ଫ୍ଲାଟ୍‌ କିଣିବା ଦ୍ୱାରା ମଧ୍ୟ ମିଳେନାହିଁ । ଆଧୁନିକ ଜୀବନଶୈଳୀର ଆଉ ଏକ କଠୋର ସତ୍ୟ ହେଉଛି ପ୍ରକୃତିଠାରୁ ଦୂରତା । ଆଜି ଆମେ ଏ.ସି. ରୁମ୍‌ ଭିତରେ ବସି ଏ.ସି. କାର୍‌ରେ ଯାତ୍ରା କରୁଛୁ ଏବଂ କୃତ୍ରିମ ଆଲୋକରେ ନିଜର ଦୁନିଆ ଗଢ଼ିଛୁ । ମାଟିର ମହକ, ଆକାଶର ବିଶାଳତା ଏବଂ ଗଛଲତାର ସବୁଜିମାଠାରୁ ଦୂରେଇ ରହିବା ଫଳରେ ଆମ ଭିତରେ ଥିବା ଜୈବିକ ସତ୍ତାଟି ଶୁଖିଯାଉଛି । କାମର ଚାପ ଏବଂ କ୍ୟାରିୟରର ପ୍ରତିଯୋଗିତା ମଣିଷକୁ ଏତେ ବ୍ୟସ୍ତ ରଖୁଛି ଯେ, ସେ ନିଜ ଭିତରକୁ ଝାଙ୍କି ଦେଖିବାକୁ ସମୟ ପାଉନାହିଁ । ଏହି ସମୟର ଅଭାବ ହିଁ ବିରକ୍ତିର ଅନ୍ୟତମ କାରଣ । ସଫଳତାର ଶୀର୍ଷରେ ଥିବା ବ୍ୟକ୍ତିଟି ଯେତେବେଳେ ଅନୁଭବ କରେ ଯେ ତା'ର ଜୀବନ କେବଳ "ଖାଇବା, ଶୋଇବା ଏବଂ କାମ କରିବା' ମଧ୍ୟରେ ସୀମିତ, ସେତେବେଳେ ସେ ମାନସିକ ଭାବେ ଭାଙ୍ଗିପଡ଼େ । ସେ ଚାହେଁ ଏହି ଚକ୍ରରୁ ବାହାରିବାକୁ, ମାତ୍ର ତା'ର ଦାୟିତ୍ୱ ଓ ସଞ୍ଚିତ ସମ୍ପତ୍ତିର ମୋହ ତାକୁ ବାହାରିବାକୁ ଦିଏନାହିଁ । ବାସ୍ତବରେ, ଜୀବନର ଅର୍ଥ କେବଳ ଅର୍ଥ ଉପାର୍ଜନ ନୁହେଁ, ବରଂ ଅନୁଭୂତି ସାଉଣ୍ଟିବା । ଦୁନିଆରେ ଅନେକ ଜିନିଷ ଅଛି ଯାହାକୁ ଟଙ୍କାରେ କିଣାଯାଇ ପାରିବନାହିଁ, ଯେପରିକି ସମୟ, ଶାନ୍ତି ଏବଂ ପ୍ରକୃତ ବନ୍ଧୁତା । ଯଦି ଜଣେ ବ୍ୟକ୍ତି ମାସକୁ ୧୦ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି, ତେବେ ସେ ନିଶ୍ଚିତ ଭାବେ ଜଣେ କର୍ମଠ ଓ ବୁଦ୍ଧିମାନ ବ୍ୟକ୍ତି । କିନ୍ତୁ ସେହି ବୁଦ୍ଧିକୁ ଯଦି ସେ କେବଳ ନିବେଶ ଓ ସଞ୍ଚୟରେ ଲଗାଇବେ, ତେବେ ତାଙ୍କ ଜୀବନ ଏକ ବ୍ୟାଙ୍କ୍‌ ଲେଜର୍‌ ଖାତା ପରି ହୋଇଯିବ । ସେହି ବୁଦ୍ଧିକୁ ନିଜର ସଉକ, ନିଜର ପରିବାର ଏବଂ ସମାଜର ଉନ୍ନତି ପାଇଁ ବ୍ୟବହାର କରିବା ଆବଶ୍ୟକ ।

ଜୀବନକୁ ରୋମାଞ୍ଚକର କରିବା ପାଇଁ ବହୁତ ପଇସା ଦରକାର ନାହିଁ, ବରଂ ଜୀବନ ପ୍ରତି ଏକ ସକାରାତ୍ମକ ଦୃଷ୍ଟିକୋଣ ଦରକାର । ଆଧୁନିକ ମଣିଷକୁ ଏହା ବୁଝିବାକୁ ହେବ ଯେ, ସେ କାମ କରିବା ପାଇଁ ଜନ୍ମ ହୋଇନାହିଁ, ବରଂ ବଞ୍ଚିବା ପାଇଁ କାମ କରୁଛି । କାମ ଜୀବନର ଏକ ଅଂଶ ହୋଇପାରେ, କିନ୍ତୁ କାମ ହିଁ ସମ୍ପୂର୍ଣ୍ଣ ଜୀବନ ନୁହେଁ । ଏହି ଯନ୍ତ୍ରଣାରୁ ମୁକ୍ତି ପାଇବାକୁ ହେଲେ ଆମକୁ ପୁଣି ଥରେ ନିଜର ମୂଳ ସହ ଯୋଡ଼ିହେବାକୁ ପଡ଼ିବ । ଜୀବନର ଗତିକୁ ଟିକେ ଧୀମା କରି ପ୍ରକୃତି ସହ ସମୟ ବିତାଇବାକୁ ହେବ, ପ୍ରିୟଜନଙ୍କ ସହ ହସଖୁସି ବାଣ୍ଟିବାକୁ ହେବ ଏବଂ ଅନ୍ତତଃ ପକ୍ଷେ ଦିନକ ମଧ୍ୟରେ କିଛି ସମୟ ନିଜ ପାଇଁ ବାହାର କରିବାକୁ ହେବ । ଟଙ୍କା ପଇସା ଓ ସମ୍ପତ୍ତି କେବଳ ସେତେବେଳେ ମୂଲ୍ୟବାନ ହୁଏ, ଯେତେବେଳେ ତାହା ମଣିଷର ଓଠରେ ହସ ଫୁଟାଇପାରେ । ଯଦି ଦଶଲକ୍ଷ ଟଙ୍କାର ଦରମା ପାଇ ମଧ୍ୟ ମଣିଷ ନିଜକୁ ଅସନ୍ତୁଷ୍ଟ ମନେକରୁଛି, ତେବେ ସେହି ଦରମାର କୌଣସି ଅର୍ଥ ନାହିଁ । ସଫଳତା ସେହିଦିନ ମିଳିବ, ଯେଉଁଦିନ ମଣିଷ ସକାଳୁ ଉଠି କାମକୁ ଯିବାବେଳେ "ବିରକ୍ତି' ନୁହେଁ, ବରଂ ଏକ "ଉତ୍ସାହ' ଅନୁଭବ କରିବ ।

​​​​​​​