ନୂଆଦିଲ୍ଲୀ,୧।୩: ଆମେରିକା ଓ ଇସ୍ରାଏଲ ସହ ଯୁଦ୍ଧରେ ଇରାନ ହରାଇଛି ନିଜର ସୁପ୍ରିମ ଲିଡର। ଆୟାତୋଲ୍ଲା ଅଲ୍ଲୀ ଖାମେନେଇଙ୍କ ମୃତ୍ୟୁ ଖବର ସମଗ୍ର ବିଶ୍ୱକୁ ଦୋହଲାଇଦେଇଛି। ଖାମେନେଇଙ୍କ ମୃତ୍ୟୁ ପରେ କେବଳ ଇରାନ ନୁହେଁ ଭାରତର ବହୁ ସ୍ଥାନରେ ଶୋକର ଲହରୀ ଖେଳି ଯାଇଛି। ଶ୍ରୀନଗରର ଲାଲଚୌକ ଏବଂ ପୁରୁଣା ଲକ୍ଷ୍ନୌର ମୁସଲିମ୍ ଅଞ୍ଚଳ ଶୋକରେ ବୁଡିଛି। ସିଆ ସମ୍ପ୍ରଦାୟର ଲୋକ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ କରିଛନ୍ତି। ଛାତି ପିଟି କାନ୍ଦୁଛନ୍ତି,ଖାମେନେଇଙ୍କୁ ବାଘ ବୋଲି କହୁଛନ୍ତି। ଏହା ସହ ଆମେରିକା ଓ ଇସ୍ରାଏଲକୁ ଧୋକେବାଜ୍ କହିଛନ୍ତି। ତେବେ ଭାରତରେ କାହିଁକି ଏତେ ବିରୋଧ ? ଖାମେନେଇଙ୍କ ପ୍ରତି ଭାରତର କ’ଣ ରହିଛି କନେକ୍ସନ?

ଭାରତ ସହ ଖାମେନେଇଙ୍କ ସମ୍ପର୍କ ଖୁବ୍ ପୁରୁଣା। କାରଣ ଖାମେନେଇଙ୍କ ଗୁରୁ ଥିଲେ ରୁହଲ୍ଲାହ ଖୁମେନି। ୟୁପିର ବାରାବାଙ୍କି ସହ ରହିଛି ତାଙ୍କର ପୁରୁଣା ସମ୍ପର୍କ। ୧୯୭୯ ରେ ଯେତେବେଳେ ଇରାନରେ ଇସ୍ଲାମିକ୍ କ୍ରାନ୍ତି ହୋଇଥିଲା ଏହାର ନେତୃତ୍ବ ନେଇଥିଲେ ଖୁମେନି। ତାଙ୍କ ଜେଜେବାପା ଥିଲେ ଅହମ୍ମଦ ମୁସଭି। ସେ ବାରାବାଙ୍କିର କିନ୍ତୁର ଗାଁରେ ଜନ୍ମ ହୋଇଥିଲେ । ୧୮୩୦ ରେ ୪୦ ବର୍ଷ ବୟସରେ ସେ ପ୍ରଥମ ଥର ଧାର୍ମିକ ଯାତ୍ରାରେ ଇରାକ ଯାଇଥିଲେ। ତେବେ ଇରାକରୁ ଯାଇ ସେ ଇରାନରେ ପହଁଞ୍ଚିଥିଲେ। ଏହାପରେ ଇରାନର ଗୋଟେ ଛୋଟ ଗାଁରେ ରହିବା ଆରମ୍ଭ କରିଥିଲେ। ଅହମ୍ମଦ ମୁସଭି ନିଜ ନାଁ ଆଗରେ ସରନେମ୍ ଯୋଡି ଥିଲେ ହିନ୍ଦୀ। ଲୋକେ ତାଙ୍କୁ ସୈୟେଦ ଅହମ୍ମଦ ମୁସଭି ହିନ୍ଦୀ ଡାକୁଥିଲେ।

୧୯୦୨ ରେ ଜନ୍ମ ହୋଇଥିଲେ ମୁସଭିଙ୍କ ନାତି ରୁହୋଲ୍ଲା ଖୁମେନି। ସେ ଥିଲେ କଠୋରପନ୍ଥୀ ଇସଲାମିକ ନେତା। ସେହି ସମୟରେ ଇରାନରେ ପହଲଭି ରାଜବଂଶ ଶାସନ କରୁଥିଲା। ଖୁମେନି ସେମାନଙ୍କୁ ତୀବ୍ର ବିରୋଧ କରିଥିଲେ। ଏହି କାରଣରୁ ତାଙ୍କୁ ଦେଶରୁ ବହିଷ୍କାର କରିଥିଲେ ସେଠାର ଶାସକ। ଏପରିକି ତାଙ୍କୁ ଭାରତୀୟ ଏଜେଣ୍ଟ ବୋଲି ଆଖ୍ୟା ଦିଆଯାଇଥିଲା। ୧୪ ବର୍ଷ ପରେ ଖୁମେନି ଇରାନକୁ ଫେରି ଆସିଥିଲେ।

​​​​​​​

୧୯୭୯ ରେ ଖୁମେନି ଇରାନରେ ଇସଲାମିକ ବିପ୍ଳବର ନେତୃତ୍ୱ ନେଇଥିଲେ। ତାଙ୍କର ବିପ୍ଳବୀ ଉପଦେଶ ଆମେରିକା ସମର୍ଥିତ ଶାହ ରେଜା ପହଲଭିଙ୍କ ଶାସନର ପତନ କରିଥିଲା। ଇରାନରେ ସରିଥିଲା ରାଜତନ୍ତ୍ର । ଏହା ଏକ ଧର୍ମତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା, ଯେଉଁଠାରେ ସମ୍ବିଧାନଠାରୁ ଆରମ୍ଭ କରି ସଡକ ପର୍ଯ୍ୟନ୍ତ ସବୁକିଛି ଇସଲାମିକ ଆଇନ ଦ୍ୱାରା ହୋଇଥିଲା ପରିଚାଳିତ । ୧୯୮୯ ରେ ଯେତେବେଳେ ଖୁମେନିଙ୍କ ମୃତ୍ୟୁ ହୋଇଥିଲା ସେତେବେଳେ ତାଙ୍କ ସ୍ଥାନ ନେଇଥିଲେ ଖାମେନେଇ। ସେ ହୋଇଥିଲେ ଦେଶର ସର୍ବୋଚ୍ଚ ନେତା ବା ସୁପ୍ରିମ ଲିଡର। ସେବେଠାରୁ ସେ ଇରାନର ଶାସନ ନିଜ ହାତରେ ରଖିଥିଲେ। ଇରାନରେ ଧାର୍ମିକ ଏକଚ୍ଛତ୍ରବାଦ ଆଣିବାରେ ଖାମେନେଇ ଏବଂ ତାଙ୍କ ଗୁରୁ ଖୋମେନିଙ୍କ ପ୍ରମୁଖ ଭୂମିକା ରହିଛି।

ଆହୁରି ପଢନ୍ତୁ :ଇରାନରେ ୪୦ ଦିନିଆ ଶୋକ ଏବଂ ୭ ଦିନର ଛୁଟି, ୨୪ ଘଣ୍ଟାରେ ଇସ୍ରାଏଲ ମାଡ଼ କରିଛି ୧୨୦୦ ବୋମା