ନୂଆଦିଲ୍ଲୀ,୦୩/୦୨; ବଜେଟ ଅଧିବେଶନ ଚାଲିଛି । ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଚାଲିଛି । ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ ହଙ୍ଗାମା ମଧ୍ୟରେ, ସଂସଦରେ ଏକ ଦୃଶ୍ୟ ଦେଖିବାକୁ ମିଳିଥିଲା ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା । ସୋମବାର ଉଭୟ ଗୃହ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା । ରାଜ୍ୟସଭାରେ, ବିଜେପି ସାଂସଦ ସି. ସଦାନନ୍ଦନ ମାଷ୍ଟର ବିତର୍କ ଆରମ୍ଭ କରିବା ସମୟରେ ହଠାତ୍ ତାଙ୍କର କୃତ୍ରିମ ଗୋଡ ଟେବୁଲ ଉପରେ ରଖିଥଲେ । ୩୧ ବର୍ଷ ପୂର୍ବେ ତାଙ୍କ ଉପରେ ହୋଇଥିବା ଘାତକ ଆକ୍ରମଣକୁ ମନେ ପକାଇ ବିରୋଧୀଙ୍କୁ ସମାଲୋଚନା କରିଥିଲେ ।  ଯାହା ଫଳରେ ଗୃହରେ ପ୍ରବଳ ହଙ୍ଗାମା ହୋଇଥିଲା ।

​​​​​​​'ମୋର ଦୁଇଟି ଗୋଡ଼ କଟିଯାଇଥିଲା'- ସାଂସଦ ଏପରି କରିବା ପଛରେ ତାଙ୍କର କାରଣ କହି ୩୧ ବର୍ଷ ପୁରୁଣା ଘଟଣାକୁ ଉଲ୍ଲେଖ କରିଥିଲେ । ବିରୋଧୀ ଦଳ ଉପରେ ବର୍ଷିଥିଲେ ସାଂସଦ ସଦାନନ୍ଦନ । ରାଜ୍ୟସଭାରେ ତାଙ୍କର ପ୍ରଥମ ଭାଷଣରେ ସାଂସଦ କହିଥିଲେ, "ଏଗୁଡ଼ିକ ମୋର ଦୁଇଟି ଗୋଡ଼ । ମୁଁ ଦୁଇଟି ଗୋଡ଼ ସହିତ ଜଣେ ଶକ୍ତିଶାଳୀ ବ୍ୟକ୍ତି ଥିଲି, କିନ୍ତୁ ବର୍ତ୍ତମାନ ମୋର ଆଣ୍ଠୁ ତଳେ କୃତ୍ରିମ ଅଙ୍ଗ ଅଛି । ମୁଁ ଗୃହରେ ସବୁବେଳେ ଗଣତନ୍ତ୍ର ବିଷୟରେ ଶୁଣେ । ଯେଉଁମାନେ ଗଣତନ୍ତ୍ରର ସ୍ୱର ଉଠାଉଛନ୍ତି ସେମାନେ ୩୧ ବର୍ଷ ପୂର୍ବେ ସିପିଆଇ (ଏମ) ମୋ ଉପରେ ଆକ୍ରମଣ କରିଥିଲେ । ମୁଁ ମୋ ଭଉଣୀର ବିବାହ ବିଷୟରେ କଥାବାର୍ତ୍ତା ହୋଇ ଘରକୁ ଫେରୁଥିଲି। ବାଟରେ ଅପରାଧୀମାନେ ମୋତେ ବସରୁ ଟାଣି ଆଣି ରାସ୍ତାରେ ଫିଙ୍ଗି ଦେଇଥିଲେ । ମୋର ଦୁଇଟି ଗୋଡ କାଟି ଦେଇଥିଲେ । ମୋର ଗୋଡ କାଟିବା ପରେ, ଆକ୍ରମଣକାରୀମାନେ 'ଇଙ୍କ୍‌ଲାବ ଜିନ୍ଦାବାଦ'ର ସ୍ଲୋଗାନ ମଧ୍ୟ ଦେଇଥିଲେ । ମୁଁ ଦେଶ ଏବଂ ଲୋକଙ୍କୁ ଦେଖାଇବାକୁ ଚାହୁଁଛି ଯେ ଗଣତନ୍ତ୍ର କ'ଣ । "

ଏହା ବି ପଢନ୍ତୁ...ନାସାକୁ ମଙ୍ଗଳ ଗ୍ରହରେ ମିଳିଲା ଜୀବନର ସନ୍ଧାନ, ରୋଭର ଖୋଜି ବାହାର କଲା ସମୁଦ୍ର ତଟ

ରାଜ୍ୟସଭାରେ ପ୍ରବଳ ହଟ୍ଟଗୋଳ -  ଗୃହରେ କୃତ୍ରିମ ଗୋଡ଼ ପ୍ରଦର୍ଶନକୁ ବିରୋଧ କରିଥିଲେ ସିପିଆଇ-ଏମ୍ ସାଂସଦ ଜନ୍ ବ୍ରିଟାସ୍ । ଏପରି ପ୍ରଦର୍ଶନ ବିରୁଦ୍ଧରେ ନିୟମ ଉଲ୍ଲେଖ କରିଥିଲେ । ସି. ସଦାନନ୍ଦ ଉତ୍ତର ଦେଇଥିଲେ, "ଆପଣ ସବୁବେଳେ ଗଣତନ୍ତ୍ର, ସହନଶୀଳତା ଏବଂ ମାନବତା ବିଷୟରେ କଥା ହୁଅ ନ୍ତି। ଆପଣଙ୍କର ପ୍ରତିବଦ୍ଧତା ରାଜନୈତିକ ହିଂସା ଉପରେ ଆଧାରିତ, ଏବଂ ଏହା ଗଣତନ୍ତ୍ର ପାଇଁ ଭଲ ନୁହେଁ ।'' ସିପିଆଇ-ଏମ ଦ୍ୱାରା ହୋଇଥିବା ନିର୍ଯାତନା ଯୋଗୁଁ ମୁଁ ମୋର ପ୍ରଥମ ଭାଷଣ ଦେବା ସମୟରେ ଠିଆ ହୋଇପାରିନଥିବାରୁ ଦୁଃଖିତ ବୋଲି କହିଥିଲେ ସଦାନନ୍ଦନ ମାଷ୍ଟର ।"

କିଏ ସାଂସଦ ସଦାନନ୍ଦନ ମାଷ୍ଟର ? ସି. ସଦାନନ୍ଦନ ମାଷ୍ଟର କେରଳର ବିଜେପି ନେତା । ସେ ପୂର୍ବରୁ ଶିକ୍ଷକତା କରୁଥିଲେ । ତାଙ୍କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୨ ଜୁଲାଇ, ୨୦୨୫ରେ ରାଜ୍ୟସଭାକୁ ମନୋନୀତ କରିଥିଲେ ଏବଂ ୨୧ ଜୁଲାଇ, ୨୦୨୫ରେ ଶପଥ ନେଇଥିଲେ । ସଦାନନ୍ଦନ କେରଳ ବିଜେପିର ଉପାଧ୍ୟକ୍ଷ ମଧ୍ୟ ଅଛନ୍ତି ।