ତାଙ୍କ ପରିକଳ୍ପିତ ସମାଜ  କଥା ଆମ ମନକୁ ଆସୁଛି,  ଯେଉଁଠି ବ୍ୟବସାୟକୁ  କଲ୍ୟାଣର ଶକ୍ତି ରୂପେ  ବିନିଯୋଗ କରିହେବ,  ପ୍ରତ୍ୟେକ ବ୍ୟକ୍ତିର  ସମ୍ଭାବନାକୁ ଗୁରୁତ୍ୱ ମିଳୁଥିବ  ଏବଂ ସମସ୍ତଙ୍କ କଲ୍ୟାଣ ଓ  ଖୁସିର ମାପଦଣ୍ଡ ଆଧାରରେ  ପ୍ରଗତିକୁ ମାପିବା ସମ୍ଭବ  ହୋଇପାରିବ । ତାଙ୍କ  ସଂସ୍ପର୍ଶରେ ଆସିଥିବା  ଅଗଣିତ ଲୋକଙ୍କ  ଜୀବନରେ ଏବଂ ତାଙ୍କ  ଦ୍ୱାରା ପ୍ରୋତ୍ସାହିତ ଅନେକ  ସ୍ୱପ୍ନରେ ସେ ସବୁବେଳେ  ଜୀବନ୍ତ ରହିବେ । ଭାରତକୁ  ଅଧିକ ଉନ୍ନତ, ଦୟାପୂର୍ଣ୍ଣ  ଏବଂ ଆଶାବାଦୀ ସ୍ଥାନରେ  ପରିଣତ କରିଥିବାରୁ ଅନେକ  ପିଢ଼ି ତାଙ୍କ ନିକଟରେ କୃତଜ୍ଞ  ହୋଇ ରହିବେ ।

ଶ୍ରୀ ରତନ ଟାଟା ଆମକୁ ଛାଡ଼ି ଚାଲିଯିବାର ଗୋଟିଏ ମାସ  ବିତିଗଲାଣି । କୋଳାହଳପୂର୍ଣ୍ଣ ମହାନଗର ଓ ଛୋଟ ସହର  ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ, ତାଙ୍କର ଅନୁପସ୍ଥିତି ସମାଜର  ପ୍ରତ୍ୟେକ ସ୍ତରରେ ଅନୁଭୂତ ହେଉଛି । ବିଶିଷ୍ଟ ଶିଳ୍ପପତି, ଯୁବ  ଉଦ୍ୟୋଗୀ ଏବଂ କଠିନ ପରିଶ୍ରମ କରୁଥିବା ପେସାଦାରମାନେ ତାଙ୍କ  ବିୟୋଗରେ ଶୋକାଭିଭୂତ ହୋଇପଡ଼ିଛନ୍ତି । ପରିବେଶକୁ ନେଇ  ଯତ୍ନଶୀଳ ଏବଂ ଦାନପୁଣ୍ୟରେ ଆଗ୍ରହୀ ଥିବା ଲୋକମାନେ ମଧ୍ୟ  ଅନୁରୂପ ଭାବେ ଦୁଃଖିତ । ତାଙ୍କର ଅନୁପସ୍ଥିତି କେବଳ ଦେଶରେ  ନୁହେଁ ବରଂ ସାରା ବିଶ୍ୱରେ ଗଭୀର ଭାବେ ଅନୁଭୂତ ହେଉଛି । 

ଯୁବପିଢ଼ିଙ୍କ ପାଇଁ ଶ୍ରୀ ରତନ ଟାଟା ଏକ ପ୍ରେରଣା ଥିଲେ । ସ୍ୱପ୍ନକୁ  ସାକାର କରିବା ସମ୍ଭବ ଏବଂ କରୁଣା ଓ ବିନମ୍ରତାର ସହ ସଫଳତା  ହାସଲ କରାଯାଇପାରିବ, ଏହା ସେ ଶିଖାଇଥିଲେ । ଅନ୍ୟମାନଙ୍କ ପାଇଁ  ସେ ଭାରତୀୟ ଉଦ୍ୟୋଗ ଜଗତର ଶ୍ରେଷ୍ଠ ପରମ୍ପରାକୁ ପ୍ରତିନିଧିତ୍ୱ  କରୁଥିଲେ । ସଚ୍ଚୋଟତା, ଉତ୍କର୍ଷ ଏବଂ ସେବା ମୂଲ୍ୟବୋଧ ପ୍ରତି  ତାଙ୍କର ଦୃଢ଼ ପ୍ରତିବଦ୍ଧତା ପାଇଁ ସେ ପରିଚିତ । ତାଙ୍କ ନେତୃତ୍ୱରେ,  ଟାଟା ଗ୍ରୁପ୍‌ ନୂଆ ଉଚ୍ଚତା ଛୁଇଁଥିଲା ଏବଂ ସାରା ବିଶ୍ୱରେ ସମ୍ମାନ,  ସଚ୍ଚୋଟତା ଓ ବିଶ୍ୱସନୀୟତାର ପ୍ରତୀକ ପାଲଟିଥିଲା । ଏହା ସତ୍ତେ୍ୱ  ସେ ବିନମ୍ରତା ଓ ଉଦାରତା ସହିତ ନିଜର ସଫଳତାକୁ ଅତି ହାଲୁକା  ଭାବେ ନେଇଥିଲେ । 

ଅନ୍ୟମାନଙ୍କ ସ୍ୱପ୍ନ ପ୍ରତି ଶ୍ରୀ ରତନ ଟାଟାଙ୍କ ଅତୁଟ ସମର୍ଥନ  ତାଙ୍କର ସବୁଠୁ ଶ୍ରେଷ୍ଠ ଗୁଣ ଥିଲା । ଗତ କିଛି ବର୍ଷ ମଧ୍ୟରେ ସେ  ଭାରତୀୟ ଷ୍ଟାର୍ଟଅପ୍‌ ଇକୋସିଷ୍ଟମକୁ ମାର୍ଗଦର୍ଶନ କରିଥିଲେ  ଏବଂ ଅନେକ ସମ୍ଭାବନାପୂର୍ଣ୍ଣ ଉପକ୍ରମରେ ନିବେଶ କରିଥିଲେ ।  ସେ ଯୁବ ଉଦ୍ୟୋଗୀଙ୍କ ଆଶା ଓ ଆକାଂକ୍ଷାକୁ ବୁଝିଥିଲେ ଏବଂ  ଭାରତର ଭବିଷ୍ୟତକୁ ଆକାର ଦେବାରେ ସେମାନଙ୍କର କ୍ଷମତାକୁ  ଜାଣିପାରିଥିଲେ । ସେମାନଙ୍କ ପ୍ରୟାସକୁ ସମର୍ଥନ କରି ସେ ସ୍ୱପ୍ନ  ଦେଖୁଥିବା ନୂଆ ପିଢ଼ିକୁ ସାହସିକ ପଦକ୍ଷେପ ନେବା ଏବଂ ଚିରାଚରିତ  ସୀମା ଠାରୁ ଆଗକୁ ବଢ଼ିବା ପାଇଁ ସଶକ୍ତ କରିଥିଲେ । ତାଙ୍କର ସମର୍ଥନ ନବସୃଜନ ଓ ଉଦ୍ୟମିତାର ସଂସ୍କୃତି ଗଢ଼ିବାରେ ଏକ ଲମ୍ବା  ରାସ୍ତା ନିର୍ଦ୍ଧାରଣ କରିସାରିଛି । ଆଗାମୀ ଦଶନ୍ଧିରେ ଭାରତ ଉପରେ  ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ବୋଲି ମୋର ବିଶ୍ୱାସ ରହିଛି । 

ସେ କ୍ରମାଗତ ଭାବରେ ଉତ୍କର୍ଷତାକୁ ସମର୍ଥନ କରିଥିଲେ ଏବଂ  ଭାରତୀୟ ଉଦ୍ୟୋଗଗୁଡ଼ିକୁ ବିଶ୍ୱସ୍ତରୀୟ ମାନଦଣ୍ଡ ସ୍ଥାପିତ କରିବାକୁ ଅନୁରୋଧ କରୁଥିଲେ । ମୁଁ ଆଶା କରୁଛି ଯେ, ଏହି ଦୃଷ୍ଟିକୋଣ  ଆମର ଭବିଷ୍ୟତର ନେତାମାନଙ୍କୁ ଭାରତକୁ ବିଶ୍ୱସ୍ତରୀୟ ଗୁଣବତ୍ତାର ସମକକ୍ଷ କରିବା ପାଇଁ ପ୍ରେରଣା ଯୋଗାଇବ । 

କେବଳ ବୋର୍ଡ ରୁମ୍‌ କିମ୍ବା ସାଥୀ ମଣିଷଙ୍କୁ ସାହାଯ୍ୟ କରିବାରେ  ତାଙ୍କର ମହାନତା ସୀମିତ ନଥିଲା । ତାଙ୍କର କରୁଣାଭାବ ସମସ୍ତ  ଜୀବଜଗତଙ୍କ ପାଇଁ ବିସ୍ତାରିତ ହୋଇଥିଲା । ପ୍ରାଣୀମାନଙ୍କ ପ୍ରତି ତାଙ୍କର  ଗଭୀର ଭଲପାଇବା ବିଷୟରେ ସମସ୍ତେ ଜାଣନ୍ତି ଏବଂ ପ୍ରାଣୀଙ୍କ  କଲ୍ୟାଣ ଉପରେ କେନ୍ଦ୍ରିତ ପ୍ରତ୍ୟେକ ସମ୍ଭାବ୍ୟ ପ୍ରୟାସକୁ ସେ ସମର୍ଥନ  କରିଥିଲେ । ସେ ପ୍ରାୟତଃ ତାଙ୍କ ପୋଷା କୁକୁରମାନଙ୍କର ଫଟୋ  ସେୟାର କରନ୍ତି, ଯେଉଁମାନେ ଯେକୌଣସି ବ୍ୟାବସାୟିକ ଉଦ୍ୟୋଗ  ପରି ତାଙ୍କ ଜୀବନର ଏକ ଅଂଶ ଥିଲେ । ପ୍ରକୃତ ନେତୃତ୍ୱ କେବଳ  କାହାର ସଫଳତା ଦ୍ୱାରା ନୁହେଁ, ବରଂ ସବୁଠାରୁ ଦୁର୍ବଳ ଲୋକଙ୍କ  ପ୍ରତି ଧ୍ୟାନ ଦେବାର ଦକ୍ଷତା ଆଧାରରେ ମାପ କରାଯାଇଥାଏ, ତାଙ୍କ  ଜୀବନ ଆମ ସମସ୍ତଙ୍କୁ ଏହି ଶିକ୍ଷା ଦେଇଥିଲା । 

କୋଟି କୋଟି ଭାରତୀୟଙ୍କ ପାଇଁ ଶ୍ରୀ ରତନ ଟାଟାଙ୍କ ଦେଶପ୍ରେମ  ସଙ୍କଟ ସମୟରେ ଉଜ୍ୱଳ ହୋଇ ଉଠିଥିଲା । ୨୬/୧୧ ଆତଙ୍କବାଦୀ ଆକ୍ରମଣ ସମୟରେ ସେ ତୁରନ୍ତ ମୁମ୍ବାଇର ତାଜ୍‌ ହୋଟେଲ  ଖୋଲିଥିଲେ । ଦେଶ ଆଗରେ ରହିଥିବା ଆହ୍ୱାନର ସେ ଦୃଢ଼ ଜବାବ ଦେଇଥିଲେ । ଭାରତ ଆତଙ୍କବାଦ ଆଗରେ ମୁଣ୍ଡ ନୁଆଁଇଲା ନାହିଁ,  ନିଜର ଏକତା ଶକ୍ତି ପ୍ରଦର୍ଶନ କଲା । 

ବ୍ୟକ୍ତିଗତ ଦୃଷ୍ଟିକୋଣରୁ କହିବାକୁ ଗଲେ, ବର୍ଷ ବର୍ଷ ଧରି  ତାଙ୍କୁ ଅତି ନିକଟରୁ ଜାଣିବାର ସୌଭାଗ୍ୟ ମୁଁ ପାଇଥିଲି । ଆମେ  ଗୁଜରାଟରେ ଘନିଷ୍ଠ ଭାବରେ କାମ କରିଥିଲୁ, ଯେଉଁଠାରେ ସେ  ବ୍ୟାପକ ପୁଞ୍ଜିନିବେଶ କରିଥିଲେ ଏବଂ ଅନେକ ପ୍ରକଳ୍ପକୁ ନେଇ ସେ  ବହୁତ ଉତ୍ସାହୀ ଥିଲେ । କିଛି ସପ୍ତାହ ତଳେ, ମୁଁ ସ୍ପେନ୍‌ ରାଷ୍ଟ୍ରପତି ଶ୍ରୀ  ପେଡ୍ରୋ ସାଞ୍ଚେଜ୍‌ଙ୍କ ସହ ଭଦୋଦରାରେ ଥିଲି ଏବଂ ଆମେ ମିଳିତ  ଭାବେ ଏକ ବିମାନ କମ୍ପ୍‌ଲେକ୍ସ ଉଦ୍‌ଘାଟନ କରିଥିଲୁ । ଏହି ସ୍ଥାନରେ  ହିଁ ପ୍ରଥମ ଥର ପାଇଁ ଭାରତରେ ସି-୨୯୫ ବିମାନ ନିର୍ମିତ ହେବ ।  ଶ୍ରୀ ରତନ ଟାଟା ହିଁ ଏହା ଉପରେ କାମ ଆରମ୍ଭ କରିଥିଲେ । କହିବା  ବାହୁଲ୍ୟ ଯେ, ଶ୍ରୀ ରତନ ଟାଟାଙ୍କ ଅନୁପସ୍ଥିତି ଏଠାରେ ଖୁବ୍‌ ଗଭୀର  ଭାବେ ଅନୁଭୂତ ହୋଇଥିଲା । 

ନିୟମିତ ଭାବେ ଚିଠି ଲେଖୁଥିବା ଜଣେ ବ୍ୟକ୍ତି ଭାବେ ମୁଁ ଶ୍ରୀ  ରତନ ଟାଟାଙ୍କୁ ସ୍ମରଣ କରୁଛି । କେବେ ଶାସନ ପ୍ରସଙ୍ଗରେ ହେଉ  କିମ୍ବା ସରକାରୀ ସହାୟତାକୁ ପ୍ରଶଂସା କରି ହେଉ, ଅଥବା ନିର୍ବାଚନ  ବିଜୟ ପରେ ଅଭିନନ୍ଦନ ଜଣାଇବା ହେଉ, ସେ ମୋତେ ବିଭିନ୍ନ  ପ୍ରସଙ୍ଗରେ ନିୟମିତ ଚିଠି ଲେଖୁଥିଲେ ।  

ମୁଁ କେନ୍ଦ୍ରକୁ ଆସିବା ପରେ ଆମର ଘନିଷ୍ଠ ସମ୍ପର୍କ ଜାରି ରହିଲା  ଏବଂ ସେ ଆମ ରାଷ୍ଟ୍ର ନିର୍ମାଣ ପ୍ରୟାସରେ ଜଣେ ପ୍ରତିଶ୍ରୁତିବଦ୍ଧ  ଅଂଶୀଦାର ଥିଲେ । ବିଶେଷ କରି, ସ୍ୱଚ୍ଛ ଭାରତ ମିଶନ ପାଇଁ ଶ୍ରୀ  ରତନ ଟାଟାଙ୍କ ସମର୍ଥନ ମୋ ହୃଦୟର ଅତି ନିକଟତର ଥିଲା । 

ସ୍ୱଚ୍ଛ ଭାରତ ମିଶନ ପାଇଁ ଶ୍ରୀ ରତନ ଟାଟାଙ୍କ ସମର୍ଥନ ମୋ  ହୃଦୟର ଅତି ନିକଟତର ଥିଲା । ଭାରତର ପ୍ରଗତି ପାଇଁ ସ୍ୱଚ୍ଛତା,  ପରିଚ୍ଛନ୍ନତା ଏବଂ ପରିମଳ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରି ସେ ଏହି ଜନଆନ୍ଦୋଳନର ଜଣେ ଦୃଢ଼ ସମର୍ଥକ ଥିଲେ ।  ଅକ୍ଟୋବର ଆରମ୍ଭରେ ସ୍ୱଚ୍ଛ ଭାରତ ମିଶନର ଦଶମ ବାର୍ଷିକୀ  ଅବସରରେ ତାଙ୍କ ହୃଦୟସ୍ପର୍ଶୀ ଭିଡିଓ ବାର୍ତ୍ତା ମୋର ଆଜି ବି ମନେ  ଅଛି । ଏଥିରେ ଶେଷଥର ପାଇଁ ସେ ସର୍ବସମ୍ମୁଖକୁ ଆସିଥିଲେ । 

ଆଉ ଏକ ମହତ କାର୍ଯ୍ୟ ତାଙ୍କ ହୃଦୟର ନିକଟତର ଥିଲା, ତାହା  ହେଉଛି ସ୍ୱାସ୍ଥ୍ୟସେବା । ବିଶେଷ କରି କର୍କଟ ବିରୋଧୀ ସଂଗ୍ରାମରେ  ଯୋଗଦାନ ପାଇଁ ସେ ସବୁଦିନ ସ୍ମରଣୀୟ ହୋଇ ରହିବେ ।  ମୋର ମନେଅଛି, ଦୁଇ ବର୍ଷ ପୂର୍ବେ ଆସାମରେ ହୋଇଥିବା  କାର୍ଯ୍ୟକ୍ରମ, ଯେଉଁଠାରେ ଆମେ ମିଳିତ ଭାବେ ରାଜ୍ୟର ଏକାଧିକ  କର୍କଟ ଚିକିତ୍ସାଳୟକୁ ଉଦ୍‌ଘାଟନ କରିଥିଲୁ । ସେହି ସମୟରେ  ସେ ତାଙ୍କ ବକ୍ତବ୍ୟରେ ସ୍ପଷ୍ଟ ଭାବେ କହିଥିଲେ ଯେ, ସେ ତାଙ୍କର  ଶେଷ ବର୍ଷଗୁଡ଼ିକୁ ସ୍ୱାସ୍ଥ୍ୟସେବା ପାଇଁ ଉତ୍ସର୍ଗ କରିବାକୁ ଚାହୁଁଛନ୍ତି ।  

ସ୍ୱାସ୍ଥ୍ୟସେବା ଓ କର୍କଟ ଚିକିତ୍ସାକୁ ଶସ୍ତା ଓ ସୁଲଭ କରିବା ପାଇଁ  ତାଙ୍କର ପ୍ରୟାସ ପଛରେ ମୂଳ ଉଦ୍ଦେଶ୍ୟ ଥିଲା- ରୋଗ ସହ ଲଢୁଥିବା  ଲୋକଙ୍କ ପ୍ରତି ଗଭୀର ସହାନୁଭୂତି ପ୍ରଦର୍ଶନ କରିବା । ସବୁଠାରୁ  ଅସୁରକ୍ଷିତ ଲୋକଙ୍କ ସହ ଛିଡ଼ା ହୋଇଥିବା ସମାଜ ହିଁ ପ୍ରକୃତରେ  ନ୍ୟାୟପୂର୍ଣ୍ଣ ସମାଜ ବୋଲି ସେ ବିଶ୍ୱାସ କରୁଥିଲେ । 

ଆଜି ଆମେ ଯେତେବେଳେ ତାଙ୍କୁ ସ୍ମରଣ କରୁଛୁ, ତାଙ୍କ  ପରିକଳ୍ପିତ ସମାଜ କଥା ଆମ ମନକୁ ଆସୁଛି, ଯେଉଁଠି ବ୍ୟବସାୟକୁ  କଲ୍ୟାଣର ଶକ୍ତି ରୂପେ ବିନିଯୋଗ କରିହେବ, ପ୍ରତ୍ୟେକ ବ୍ୟକ୍ତିର  ସମ୍ଭାବନାକୁ ଗୁରୁତ୍ୱ ମିଳୁଥିବ ଏବଂ ସମସ୍ତଙ୍କ କଲ୍ୟାଣ ଓ ଖୁସିର  ମାପଦଣ୍ଡ ଆଧାରରେ ପ୍ରଗତିକୁ ମାପିବା ସମ୍ଭବ ହୋଇପାରିବ ।  ତାଙ୍କ ସଂସ୍ପର୍ଶରେ ଆସିଥିବା ଅଗଣିତ ଲୋକଙ୍କ ଜୀବନରେ ଏବଂ  ତାଙ୍କ ଦ୍ୱାରା ପ୍ରୋତ୍ସାହିତ ଅନେକ ସ୍ୱପ୍ନରେ ସେ ସବୁବେଳେ ଜୀବନ୍ତ  ରହିବେ । ଭାରତକୁ ଅଧିକ ଉନ୍ନତ, ଦୟାପୂର୍ଣ୍ଣ ଏବଂ ଆଶାବାଦୀ  ସ୍ଥାନରେ ପରିଣତ କରିଥିବାରୁ ଅନେକ ପିଢ଼ି ତାଙ୍କ ନିକଟରେ  କୃତଜ୍ଞ ହୋଇ ରହିବେ