କେନ୍ଦୁଝର ସଦର,୨୯/୫ : କେନ୍ଦୁଝର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଗୋବର୍ଦ୍ଧନ ଓ କାଉଁରୀକଳା ପଂଚାୟତରେ ଅବସ୍ଥିତ ଥିବା ଏମଏସପି କାରଖାନାକୁ ହଠାତ କମ୍ପାନୀ କର୍ତୃପକ୍ଷ ଗୁରୁବାର ୧୨ଟା ସମୟରେ ବନ୍ଦ କରିଦେଇଛନ୍ତି। ଯାହାକୁ ନେଇ ଉଚ୍ଚ ପଦସ୍ଥ କର୍ମଚାରୀଙ୍କଠାରୁ ସଧାରଣ ଶ୍ରମିକ ପର୍ଯ୍ୟନ୍ତ ସମସ୍ତଙ୍କ ମନରେ ଭବିଷ୍ୟତ ନେଇ ଆଶଙ୍କାରେ ସୃଷ୍ଟି କରିଛି।
ପ୍ରକାଶ ଯେ, ବିଗତ କିଛି ଦିନ ହେବ ସ୍ଥାନୀୟ କର୍ମଚାରୀମାନଙ୍କୁ ଅଣଦେଖା କରିବା ସହିତ ଅଣ ଓଡ଼ିଆକୁ ପ୍ରାଧାନ୍ୟ ଦେଇ ବ୍ୟାପକ ଭାବେ ନିଯୁକ୍ତି ଦିଆଯାଇଛି। ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଚାପ ଉତ୍ତେଜନା ପ୍ରକାଶ ପାଇ ଆସୁଥିଲା। ଏଥିରେ ସ୍ଥାନୀୟ ଅଞ୍ଚଳର ବିକାଶ ପାଇଁ କମ୍ପାନୀ କରି ଆସୁଥିବା ଉନ୍ନତିମୂଳକ କାର୍ଯ୍ୟ ନ କରିବା ଯୋଗୁଁ ନିଆଁରେ ଘିଅ ଢାଳିବା ପରି ପରିସ୍ଥିତି ସୃଷ୍ଟି କଲା। ଦୁଇ ଦିନ ପୂର୍ବରୁ କିଛି ସ୍ଥାନୀୟ ଲୋକେ ପ୍ଲାଣ୍ଟ କର୍ତୃପକ୍ଷଙ୍କୁ ଭେଟି ଅଣଓଡ଼ିଆ କର୍ମଚାରୀଙ୍କୁ ବାହାର କରି ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଓ ପ୍ଲାଣ୍ଟ ପାର୍ଶବର୍ତ୍ତି ଗ୍ରାମ ଗୁଡ଼ିକରେ ବିଭିନ୍ନ ସାମାଜିକ ଉନ୍ନତିମୂଳକ କାର୍ଯ୍ୟ କରିବାକୁ ଦାବି କରିଥିଲେ । ଦାବି ପୂରଣ ପରିବର୍ତ୍ତେ ଗୁରୁବାର ପ୍ଲାଣ୍ଟକୁ ଅଚାନକ ବନ୍ଦ କରାଯାଇଛି । ବିନା ପୂର୍ବ ସୂଚନାରେ ପ୍ଲାଣ୍ଟ ବନ୍ଦ କରିବାକୁ ସ୍ଥାନୀୟ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି।