ସ୍ୱେରେଜ୍ ଖାଲରୁ ନିସ୍ତାର ନାହିଁ , ଗଳିକନ୍ଦିଠୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ କାଦୁଅ

ଭୁବନେଶ୍ୱର,୬/୭ : ସ୍ୱେରେଜ୍ କାମ ସୃଷ୍ଟ ଖାଲଖମା ଦାଉରେ କଲବଲ ହେଲେଣି ରାଜଧାନୀବାସୀ । ଗଳି କନ୍ଦି ଠାରୁ ଆରମ୍ଭ କରି ମୁଖ୍ୟ ରାସ୍ତାରେ କାଦୁଅ ପଚପଚ । ଗାଡ଼ିମୋଟର ତ ଯିବା ଦୂର, ପାଦ ପକାଇବାକୁ ବି ଜାଗା ମିଳୁନି । ଫଳରେ ଦୁର୍ଦ୍ଦଶାଗ୍ରସ୍ତ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି ।
ଆଜି ଏ କଲୋନି ଖୋଳିଲେଣି ତ କାଲିକୁ ଆର ଲେନ୍ ତାଡ଼ିଲେଣି । କାମ ସରିବାର ନାଁ ନାହିଁ । ଏହାର ବିଷମ ପରିଣାମ ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଦା । ଅବସ୍ଥା ଏପରି ଯେ ଲୋକେ ଘରୁ ବାହାରିବା କଷ୍ଟକର ହୋଇଯାଉଛି । ଏନେଇ ବାରମ୍ବାର ଅଭିଯୋଗ କରାଯାଉଛି । କିଛି ସ୍ଥାନରେ ବିରୋଧ ବି ହେଉଛି । ହେଲେ କେହି କିଛି ଶୁଣୁ ନାହାନ୍ତି । ଠିକାଦାର ଗୋଟେ କଥା କହୁଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଉତ୍ତର ମିଳୁଛି ଅଲଗା । ଲୋକେ କାହାକୁ ଅଭିଯୋଗ କରିବେ ତାହାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ୁଛନ୍ତି । ରାସ୍ତା ଯାତାୟାତ ଅଯୋଗ୍ୟ ହେବା ଫଳରେ ରାତି ଅଧରେ ଯଦି କେହି ଗୁରୁତର ହେଲା ତେବେ କଥା ସରିଲା । ଆମ୍ବୁଲାନ୍ସ ପହଞ୍ଚି ପାରୁନି । ଡାକ୍ତରଖାନା ଯିବାକୁ ହେଲେ ରୋଗୀକୁ ଘରଠାରୁ ଖଣ୍ଡେ ଦୂର ବୋହି ନେବାକୁ ପଡ଼ୁଛି ।
ଉଦାହରଣ ସ୍ୱରୁପ ଗ୍ରୀନ୍ ପାର୍କ ଲେନ୍କୁ ନିଆଯାଉ । ଏଠାରେ ଲେନ୍ ନମ୍ବର ୨କୁ ଖୋଳି ଦେଇଥିଲେ । ପାଖାପାଖି ଏକ ମାସ ପର୍ଯ୍ୟନ୍ତ ସ୍ୱେରେଜ୍ କାମ ଚାଲିଥିଲା । କିଛି ଦିନ ପରେ ଏବେ ପୁଣି ପାଖ ଗଳି ଖୋଳି ଦେଇଛନ୍ତି । ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଖରା ଦିନେ କାମ ବନ୍ଦ ରହିଥିଲା । ଏବେ ବର୍ଷା ଆସିବା ପରେ ସ୍ୱେରେଜ୍ କାମ ପୁଣି ଆରମ୍ଭ ହୋଇଛି । ରାସ୍ତା ଖୋଳିବା ଦ୍ୱାରା କଲୋନି ସାରା ଏବେ ପଙ୍କ କାଦୁଅରେ ଭର୍ତ୍ତି ।
ଜାଗମରା ଛକରେ ସମାନ ଅବସ୍ଥା । ସ୍ୱେରେଜ ପକ୍ଷରୁ ରାସ୍ତାକୁ ଖୋଳି ଦିଆଯାଇଛି । ବର୍ଷା ହେଲେ କାଦୁଅ ପାଣି ରାସ୍ତା ଉପରେ ଭାସୁଛି । ମାଳି ସାହି ରାସ୍ତାର ଅବସ୍ଥା ଆହୁରି ଶୋଚନୀୟ । ରାସ୍ତାକୁ ପ୍ରାୟ ୮ ଫୁଟ୍ ଖୋଳି ପାଇପ୍ ବସୁଛି । ଫଳରେ ରାସ୍ତାରେ ଯିବା ଆସିବା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । କାଦୁଅ ରାସ୍ତାରେ ଖେଳି ଯାଇଛି । ଲୋକେ ଅସ୍ଥାୟୀ ପୋଲ କରି ଯିବା ଆସିବା କରୁଛନ୍ତି । ଗତ ସପ୍ତାହରେ ବିଏମ୍ସି କମିଶନରଙ୍କ ଅଧ୍ୟକ୍ଷତାରେ ୧୦ ବିଭାଗକୁ ନେଇ ସମୀକ୍ଷା ବୈଠକ ହୋଇଥିଲା । ବର୍ଷା ଦିନେ ସ୍ୱେରେଜ୍ ନିର୍ମାଣ କାର୍ଯ୍ୟ ବନ୍ଦ ରଖିବାକୁ ୱାଟ୍କୋକୁ ନିର୍ଦ୍ଦେଶ ଦିଆଯାଇଥିଲା । କିନ୍ତୁ ନିର୍ଦ୍ଦେଶକୁ ବେଖାତିର କରି ୱାଟ୍କୋ କାମ ଚଳାଇଛି । ଏ ସମ୍ପର୍କରେ ୱାଟକୋ ନିର୍ବାହୀଯନ୍ତ୍ରୀ ଭରତ ଦଳେଇ କହିଛନ୍ତି, ନିର୍ମାଣକୁ କାର୍ଯ୍ୟକୁ ବର୍ଷା ଦିନେ ବନ୍ଦ କରାଯିବ ।
ବର୍ଷେ ହେବ ଯାତାୟାତ ବନ୍ଦ
ଶ୍ରୀରାମନଗର ମୁଖ୍ୟ ରାସ୍ତାରେ ଯାତାୟାତ ବର୍ଷେ ହେବ ଏକରକମ ବନ୍ଦ ପଡ଼ିଛି । ଏହି ମୁଖ୍ୟ ରାସ୍ତା ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥକୁ ସଂଯୋଗ କରୁଥିବା ବେଳେ ପ୍ରାୟ ୧ କିମି ହେବ ରାସ୍ତାକୁ ଖୋଳିତାଡ଼ି ସେମିତି ପକାଇ ଦିଆଯାଇଛି । ବିଶେଷକରି ଶ୍ରୀରାମନଗର ଛକ ଠାରୁ ସାମନ୍ତରାପୁର ଗେଟ୍ ପର୍ଯ୍ୟନ୍ତ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ପଡ଼ିଛି । ଖାଲଖମାରେ ପଡ଼ି ବାଇକ୍ ଆରୋହୀ ଖଣ୍ଡିଆଖାବରା ହେବା ସ୍ୱାଭାବିକ ଘଟଣା ପାଲଟିଛି ।
କେବେ ଖୋଲିବ କପିଳପ୍ରସାଦ ରାସ୍ତା?
କପିଳପ୍ରସାଦ-ଜଟଣୀ ରାସ୍ତାର କୁମ୍ଭାରସାହି ଠାରୁ ସୁନ୍ଦରପଦା ଛକ ପର୍ଯ୍ୟନ୍ତ ରାସ୍ତାକୁ ସ୍ୱେରେଜ ବିଭାଗ ବିଗତ ୩ ବର୍ଷ ହେବ କବଜା କରିଛି । କାମ ସରୁନାହିଁ । ଶ୍ରୀଲିଙ୍ଗରାଜ ମନ୍ଦିର ଓ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ ଯିବା ପାଇଁ ଏହା ଏକମାତ୍ର ପଥ । କିନ୍ତୁ ରାସ୍ତାତମାମ ସ୍ୱେରେଜ ଖାଲ ଯୋଗୁ ଏହି ରାସ୍ତା ଯାତାୟାତ ଅଯୋଗ୍ୟ ହୋଇ ପଡ଼ିରହିଛି ।
ଶ୍ରୀଲିଙ୍ଗରାଜ ମନ୍ଦିର ରାସ୍ତା ସାରା ଖାଲଖମା
କେଉଟ ସାହି ଛକ ଠାରୁ ହାଟ ସାହି ପର୍ଯ୍ୟନ୍ତ ସ୍ୱେରେଜ ବିଭାଗ ଖୋଳି ପକାଇଛି । ୮ ମାସ ବିତିଲାଣି ପଛେ କାମ ସରୁନି କି ଖାଲ ପୋତାଯାଉନି । ବର୍ଷା ଅସରାଏ ହେଲେ ସ୍ୱେରେଜ ଖାଲ ଗୁଡ଼ିକ କାଦୁଅକୁଣ୍ଡରେ ପରିଣତ ହେଉଛି । ଭୟରେ ଲୋକେ ସେପଟେ ନଯାଇ ଅନ୍ୟ ରାସ୍ତା ଧରୁଛନ୍ତି ।