ମୁମ୍ବାଇ,୨୦/୧୨:  ମୁମ୍ବାଇ ବୋଟ୍‌ ଟ୍ରାଜେଡି। ଆଉ ଜଣଙ୍କ ମୃତଦେହ ସମୁଦ୍ରରୁ ଉଦ୍ଧାର। ୪୩ ବର୍ଷୀୟ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କଲା କୋଷ୍ଟଗାର୍ଡ। ଏବେ ବି ଜଣେ ନାବାଳକ ନିଖୋଜ ଅଛି। ମୁମ୍ବାଇରେ ବୁଧବାର  ଗେଟ୍‌ ୱେ ଅଫ୍‌ ଇଣ୍ଡିଆରୁ ଏଲିଫେଣ୍ଟା ଯାଉଥିବା ନୀଲକମଲ ବୋଟ୍‌ ବୁଡ଼ିବା ଯୋଗୁ ୧୪ ଲୋକଙ୍କ ମୃତ୍ୟୁ ଘଟିଥିଲା । ଘଟଣାରେ ୯୮ ଜଣଙ୍କୁ  ଉଦ୍ଧାର କରାଯାଇଛି । ଜଣେ ନାବଳକ ଏବେ ବି ନିଖୋଜ ଅଛନ୍ତି । ମୃତକଙ୍କ ମଧ୍ୟରେ ୪  ନୌସେନା କର୍ମଚାରୀ ଏବଂ ୧୦  ସାଧାରଣ ନାଗରିକ ଅଛନ୍ତି।  ଏହି ବୋଟ୍‌କୁ ନୌସେନାର ଏକ ସ୍ପିଡ୍‌ବୋଟ୍‌ ଧକ୍କା ଦେଇଥିଲା ।  

ଯାତ୍ରୀବାହୀ ବୋଟ୍‌ରେ ଥିବା  ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ଅଭିଯୋଗ  ଅନୁସାରେ, ନୀଲକମଲ  ବୋଟ୍‌ରେ କେହି ବି ଲାଇଫ୍‌  ଜ୍ୟାକେଟ ପିନ୍ଧି ନ ଥିଲେ ।  ଅଚାନକ ନୌସେନାର ସ୍ପିଡ୍‌ବୋଟ୍‌ ଆସି ଧକ୍କା  ଦେଇଥିଲା । ଏହା ପରେ ନୀଲକମଲ ବୁଡ଼ି  ଯାଇଥିଲା । ପ୍ରାୟ ୨୫ ମିନିଟ୍‌ ପରେ ସେମାନଙ୍କୁ  ନୌସେନା ଦ୍ୱାରା ଉଦ୍ଧାର କରଯାଇଥିଲା । ଧକ୍କା  ଦେବା ପୂର୍ବରୁ ନୌସେନା ବୋଟ୍‌ଟି ଷ୍ଟଣ୍ଟ୍‌ କରୁଥିଲା ।  ତେଣୁ ସେ ଏହାର ଭିଡିଓ ରେକର୍ଡ କରୁଥିଲେ ବୋଲି ନୀଲକମଲରେ ଥିବା ଯାତ୍ରୀ ଜଣକ କହିଛନ୍ତି । ସେହିପରି ଉକ୍ତ ବୋଟ୍‌ର କ୍ଷମତା ୯୦  ଥିବାବେଳେ ସେଥିରେ ୧୦୦ରୁ ଊଦ୍ଧ୍ୱର୍ ଯାତ୍ରୀ ଥିଲେ  ବୋଲି ଜଣାପଡ଼ିଛି । ନୌସେନା ବୋଟ୍‌ରେ ୬  ଜଣ ଥିଲେ । ହେଲେ ସେମାନଙ୍କ ମଧ୍ୟରୁ ମାତ୍ର  ୨ ଜଣଙ୍କୁ ବଞ୍ଚା ଯାଇପାରିଛି । କୋଲାବା ଥାନାରେ  ନୌସେନା ବୋଟ୍‌ ଚାଳକଙ୍କ ବିରୋଧରେ ମାମଲା  ରୁଜୁ ହୋଇଥିବା ମୁମ୍ବାଇ ପୁଲିସ କହିଛି । ଅଦ୍ୟାବଧି  ୯ ଜଣଙ୍କ ବୟାନ ରେକର୍ଡ କରାଯାଇଛି । ନିଖୋଜ  ଥିବା ଯାତ୍ରୀଙ୍କ ସନ୍ଧାନ ଜାରି ରହିଛି । ଅନ୍ୟପକ୍ଷରେ  ନୌସେନା ପକ୍ଷରୁ ଏକ ଏକ୍ସ ପୋଷ୍ଟ କରାଯାଇ  କୁହାଯାଇଛି ଯେ, ସ୍ପିଡ୍‌ବୋଟ୍‌ର ଇଞ୍ଜିନ ଟ୍ରାଏଲ  କରାଯାଉଥିଲା । ପରୀକ୍ଷଣ ବେଳେ କ୍ୟାପ୍‌ଟେନ  ଉକ୍ତ ବୋଟ୍‌ରୁ ନିୟନ୍ତ୍ରଣ କରାଇଥିଲେ । ପରେ ଏହା ନୀଲକମଲ ବୋଟ୍‌କୁ ଧକ୍କା ଦେଇଥିଲା ।