ମୁମ୍ବାଇ: ଅଟଳ ସେତୁରୁ ଡେଇଁ ଆତ୍ମହତ୍ୟା ମାମଲା ବଢ଼ିବାରେ ଲାଗିଛି । ୩ ଦିନ ମଧ୍ୟରେ ଦୁଇ ଜଣ ବ୍ୟକ୍ତି ଅଟଳ ସେତୁରୁ ସମୁଦ୍ରକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆଜି ମୁମ୍ବାଇର ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ବୁଧବାର ସକାଳେ ମାଟୁଙ୍ଗାର ଜଣେ ୫୨ ବର୍ଷୀୟ ବ୍ୟବସାୟୀ ମୁମ୍ବାଇ ଟ୍ରାନ୍ସ ହାର୍ବର ଲିଙ୍କ ବା ଅଟଳ ସେତୁରୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି ।
ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଜଣେ ଡେପୁଟି ମ୍ୟାନେଜର ଅଟଳ ସେତୁରୁ ଡେଇଁ ଆତ୍ମହତ୍ୟା କରିବାର ୩ ଦିନ ପରେ ଆଜିର ଏହି ଘଟଣା ଘଟିଛି । ପୋଲିସ ଅନୁସାରେ, ବ୍ୟବସାୟୀ ଫିଲିତ ଶାହ ବୁଧବାର ସକାଳେ ଜୀବନ ହାରିଛନ୍ତି । ଫିଲିତ ନିଜ କାର ଅଟଳ ସେତୁ ପାଖରେ ରଖି ବ୍ରିଜ୍ ଉପରେ ଚଢ଼ି ସମୁଦ୍ରକୁ ଲମ୍ଫ ମାରିଥିଲେ । ସିସିଟିଭି ଫୁଟେଜ୍ରେ ଜଣାପଡ଼ିଥିଲା ଯେ, ଜଣେ ବ୍ୟକ୍ତି ଅଟଳ ସେତୁ ପାଖରେ କାର ରଖିଛନ୍ତି । କର୍ମଚାରୀ କାର ପାଖରେ ପହଞ୍ଚିବା ପୂର୍ବରୁ ଫିଲିତ ବ୍ରିଜ୍ ଉପରେ ଚଢ଼ି ସମୁଦ୍ରକୁ ଡେଇଁ ପଡ଼ିଥିଲେ ।
ପରେ ପୋଲିସ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି କରିଥିଲେ । ଦୀର୍ଘ ସମୟରେ ଫିଲିତଙ୍କ ମୃତଦେହ ମିଳିଥିଲା । ତେବେ ମୃତକ ଫିଲିତ ଶାହ ବୋଲି ତାଙ୍କ କାରରେ ଥିବା ଆଧାରକାର୍ଡରୁ ଜାଣିବାକୁ ପାଇଥିଲା ପୋଲିସ । ଗତ କିଛି ଦିନ ହେଲା ଫିଲିତ ମାନସିକ ଚାପରେ ଥିଲେ ବୋଲି ପୋଲିସ କହିବା ସହ ଅପମୃତ୍ୟୁ ମାମଲା ରୁଜୁ କରିଛି । ସୂଚନାଯୋଗ୍ୟ, ଏହା ପୂର୍ବରୁ ସୋମବାର ସକାଳେ ଏକ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଡେପୁଟି ମ୍ୟାନେଜର ସୁଶାନ୍ତ ଚକ୍ରବର୍ତ୍ତୀ ନିଜ କାର ରଖି ଅଟଳ ସେତୁ ଉପରୁ ସମୁଦ୍ରକୁ ଡେଇଁ ପଡ଼ିଥିଲେ । ସୁଶାନ୍ତ ଚକ୍ରବର୍ତ୍ତୀଙ୍କ ପତ୍ନୀଙ୍କ ଅନୁସାରେ ସେ ଅତ୍ୟଧିକ କାର୍ଯ୍ୟଚାପରେ ରହିଥିଲେ ।