ମୁମ୍ବାଇ ୦୬/୦୯: ୬୦ କୋଟି ଟଙ୍କା ଠକେଇ ମାମଲାରେ ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ୱାମୀ  ରାଜ୍‌ କୁନ୍ଦ୍ରାଙ୍କ ନାଁରେ ମୁମ୍ବାଇ ପୁଲିସ ଲୁକ୍‌ଆଉଟ୍‌ ନୋଟିସ ଜାରି କରିଛି । ଜଣେ ବ୍ୟବସାୟୀଙ୍କଠାରୁ ଏହି ଦମ୍ପତି ୬୦  କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ରହିଛି । ଏବେ ବନ୍ଦ ହୋଇଯାଇଥିବା ସେମାନଙ୍କ ବେଷ୍ଟ ଡିଲ୍‌ ଟିଭି ପ୍ରାଃ  ଲିମିଟେଡ୍‌ କମ୍ପାନିରେ ନିବେଶ ନାଁରେ ସେମାନେ ବ୍ୟବସାୟୀ ଦୀପକ କୋଠାରୀଙ୍କୁ ଠକିଥିବା ଅଭିଯୋଗ ହୋଇଛି ।  

ଦୀପକଙ୍କ ଅଭିଯୋଗ ଅନୁସାରେ, ୨୦୧୫ରୁ ୨୦୨୩ ଭିତରେ ଶିଳ୍ପା ଏବଂ ରାଜ୍‌  ବ୍ୟବସାୟ ବଢ଼ାଇବା କଥା କହି ୬୦ କୋଟି ଟଙ୍କା ନେଇଥିଲେ । କିନ୍ତୁ ସେମାନେ  ସେହି ଟଙ୍କାକୁ ନିଜ ବ୍ୟକ୍ତିଗତ କାମରେ ଖର୍ଚ୍ଚ କରିଥିଲେ । ବାର୍ଷିକ ୧୨% ସୁଧରେ  ସେମାନେ ଟଙ୍କା ଫେରାଇଦେବେ ବୋଲି ମଧ୍ୟ ଦୀପକଙ୍କୁ କହିଥିଲେ । କିନ୍ତୁ ଏହାର  କିଛି ମାସ ପରେ ଶିଳ୍ପା ସେଟ୍ଟୀ ସେହି ଫାର୍ମର ନିର୍ଦ୍ଦେଶକ ପଦରୁ ଇସ୍ତଫା ଦେଇଥିଲେ । କମ୍ପାନୀ ବିରୋଧରେ ୧.୨୮ କୋଟି ଟଙ୍କାର ଏକ ଦେବାଳିଆ  ମାମଲା ଚାଲିଥିବା ଦୀପକ ଜାଣିବାକୁ ପାଇଥିଲେ । କିନ୍ତୁ ଶିଳ୍ପା ଏବଂ ରାଜ୍‌  ଏ ବାବଦରେ ତାଙ୍କୁ ଜଣାଇ ନ ଥିବା ଦୀପକ କହିଛନ୍ତି । ତେବେ ପୂର୍ବରୁ  ଏହି ସେଲିବ୍ରିଟି ଦମ୍ପତ୍ତି ଅଭିଯୋଗଗୁଡ଼ିକୁ ଭିତ୍ତିହୀନ ବୋଲି କହିଛନ୍ତି ।