ଆପ୍ ଡାଉନଲୋଡ୍ କରିବା ମାତ୍ରେ ଆକାଉଣ୍ଟରୁ ଉଡିଗଲା ୭ ଲକ୍ଷ ଟଙ୍କା, ସାଇବର ଠକେଇର ଶିକାର ହେଲେ ମହିଳା

ନୂଆଦିଲ୍ଲୀ,୨୩।୩: ସାଇବର ଠକମାନେ ଲୋକଙ୍କୁ ଟାର୍ଗେଟ କରିବା ପାଇଁ ଏକ ନୂଆ ପ୍ରଣାଳୀ ଖୋଜି ବାହାର କରିଛନ୍ତି। ସେମାନେ ଏବେ ଅନଲାଇନ୍ ଠକେଇ ଛାଡି ଆପ୍ ଜରିଆରେ ଠକେଇ ଆରମ୍ଭ କରିଛନ୍ତି। ମୁମ୍ବାଇର ଅନ୍ଧେରୀରେ ରହୁଥିବା ୬୫ ବର୍ଷୀୟ ମାନସୀ ମୂଲେ ଏଭଳି ଏକ ଠକେଇର ଶିକାର ହୋଇଛନ୍ତି। ଠକମାନେ ତାଙ୍କ ଆକାଉଣ୍ଟରୁ ୬,୯୧,୮୫୯ ଟଙ୍କା ନେଇଯାଇଛନ୍ତି। ମହିଳା ଜଣକ କହିଛନ୍ତି, ୨୦ ମାର୍ଚ୍ଚ ସକାଳ ପ୍ରାୟ ୧୧ଟା ୩୦ ମିନିଟ୍ରେ ତାଙ୍କ ସ୍ବାମୀଙ୍କ ମୋବାଇଲକୁ ମେସେଜ୍ ଆସିଥିଲା ସେ ଗତ ମାସ ନିଜର ବିଜୁଳି ବିଲ୍ ଜମା କରିନାହାନ୍ତି। ଯଦି ସେ ବିଲ୍ ଜମା ନକରନ୍ତି, ତେବେ ତାଙ୍କର ବିଜୁଳି କନେକ୍ସନ କାଟି ଦିଆଯିବ। ଏହି ମେସେଜ୍ ସହିତ ଏକ ନମ୍ବର ମଧ୍ୟ ଦିଆଯାଇଥିଲା, ଯେଉଁଥିରେ କୌଣସି ସମସ୍ୟା ଥିଲେ କଲ୍ କରି କଥା ହେବାକୁ କୁହାଯାଇଥିଲା।
ମାନସୀଙ୍କ କହିବା ଅନୁସାରେ, ମେସେଜ୍ ପଢିବା ପରେ ସେ ସେହି ନମ୍ବରକୁ ଫୋନ୍ କରିଥିଲେ। ଫୋନ୍ ଉଠାଇବା ମାତ୍ରେ ଜରେ ବ୍ୟକ୍ତି (ଠକ) ନିଜକୁ ଆଦାନୀ ଇଲେକ୍ଟ୍ରିସିଟି ଅଫିସରୁ କହୁଛନ୍ତି ବୋଲି ପରିଚୟ ଦେଇଥିଲେ। ସେ କହିଥିଲେ, ଗତ ମାସ ବିଲ୍ ଭରି ନଥିଲେ। ଏନେଇ ମାନସୀ କହିଥିଲେ ବିଲ୍ ତ ଦିଆଯାଇଥିଲା। ଠକ ଜଣକ କହିଥିଲା ଅନଲାଇନ୍ରେ ବିଲ୍ ଦେଖାଯାଉନି, ସେଥିପାଇଁ ତାଙ୍କୁ ସେ “team viewer quick support” ଆପ୍ ଡାଉନଲୋଡ୍ କରିବାକୁ କହିଥିଲେ। ମାନସୀ ଆପ୍ ଡାଉନଲୋଡ୍ କରିଥିଲେ। ଆପ୍ରେ ତାଙ୍କର ପୁରୁଣା ବିଲ୍ ଦେଖାଯାଇଥିଲା। ହେଲ ଅଳ୍ପ ସମୟ ପରେ ମାନସୀଙ୍କ ମୋବାଇଲରୁ ତାଙ୍କ ଆକାଉଣ୍ଟରୁ ଟଙ୍କା ବାହାର କରିବାର ତିନୋଟି ଅଲଗା ଅଲଗା ମେସେଜ୍ ଆସିଥିଲା। ତାଙ୍କ ଆକାଉଣ୍ଟରୁ ତିନି ଥରରେ ମୋଟ ୬,୯୧,୮୫୯ ଟଙ୍କା ଡେବିଟ୍ ହୋଇଯାଇଥିଲା।
ଟଙ୍କା ବାହାର ହେବାପରେ ମାନସୀଙ୍କୁ ଏସବିଆଇ ପ୍ରଡ୍ ମ୍ୟାନେଜମେଣ୍ଟରୁ କଲ୍ ଆସିଥିଲା। ତାଙ୍କୁ ପଚରାଯାଇଥିଲା, କ’ଣ ସେ କୌଣସି ଟ୍ରାଞ୍ଜାକସନ୍ କରିଛନ୍ତି? ତାଙ୍କ ଆକାଉଣ୍ଟରୁ ଟଙ୍କା ଡେବିଟ୍ ହେଉଛି। ଏହାପରେ ମାନସୀ ମନା କରିଥିଲେ। ସେ ବୁଝିପାରିଥିଲେ ସେ ସାଇବର ଠକେଇର ଶିକାର ହୋଇଛନ୍ତି। ପରେ ମାନସୀ ଅନ୍ଧେରୀ ପୋଲିସ ଷ୍ଟେସନ୍ ମାମଲାରେ ଏଫ୍ଆଇଆର ରୁଜୁ କରିଥିଲେ। ପୋଲିସ ଆଇପିସିର ଧାରା ୪୨୦(ଠକେଇ), ଇନଫରମେସନ୍ ଆକ୍ଟର ଧାରା ୬୬(ସି) ଓ ୬୬(ଡି) ଅନୁସାରେ, ଅଜଣା ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।