କଟକ, ୧୯।୧୨: ବିପର୍ଯ୍ୟସ୍ତ ରାସ୍ତାଘାଟ । ଗାଡ଼ି ଯିବା ତ’ଦୂରେ ଥାଉ ଚାଲିଚାଲି ଯିବା ବି ବିପଦମୁକ୍ତ ନୁହେଁ । ସିଏମସି ହେଉ ଅବା ପୂର୍ତ୍ତ ବିଭାଗ କାହାରି ଚିନ୍ତା ନଥିଲା । ବାରମ୍ବାର ଅଭିଯୋଗ ସତ୍ତ୍ୱେ ପ୍ରଶାସନର ନଜର ପଡ଼ୁନଥିଲା । କେବଳ ରାସ୍ତାଘାଟ ନୁହେଁ, ପରିମଳଠାରୁ ପାନୀୟ ଜଳ ସମସ୍ୟା, ବିପର୍ଯ୍ୟସ୍ତ ଟ୍ରାଫିକ ବ୍ୟବସ୍ଥାଠାରୁ ଆରମ୍ଭ କରି ଡ୍ରେନେଜ୍ ସମସ୍ୟା ପର୍ଯ୍ୟନ୍ତ ସବୁକିଛି ବେହାଲ କରୁଥିଲା ଜନସାଧାରଣଙ୍କୁ । ହାଇକୋର୍ଟଙ୍କ ହସ୍ତକ୍ଷେପ ପରେ ଅନେକ ସମସ୍ୟାର ସମାଧାନ ହେଲା । କଟକ ସହରର ଚିତ୍ର ବଦଳିଲା । ସହରବାସୀଙ୍କ ମନରେ ନୂଆ ଆଶା ସଂଚାର ହେଲା । ସହରର ବିପର୍ଯ୍ୟସ୍ତ ରାସ୍ତାଘାଟର ସ୍ଥିତି କେତେକାଂଶରେ ବଦଳିଲା । କେଉଁଠି ରାସ୍ତା ମରାମତି ହେଲା ତ କେଉଁଠି ଏକଦମ ନୂଆ ତିଆରି ହେଲା । ସେହିପରି ଦଶହରା ସମୟରେ ରାସ୍ତା ଅବରୋଧ କରି ତୋରଣ ନିର୍ମାଣ ନେଇ ଅଭିଯୋଗ ଉଠୁଥିଲା । ବଡ଼ ତୋରଣର ସୁରକ୍ଷା ନେଇ ବି ଆଶଙ୍କା ବ୍ୟକ୍ତ କରାଯାଉଥିଲା । ଅଦାଲତଙ୍କ ନିର୍ଦ୍ଦେଶରେ ନୂଆ ମାର୍ଗଦର୍ଶିକା ଜାରି ହେବା ପରେ ସେଥିରେ ପରିବର୍ତ୍ତନ ଆସିଲା । ଭସାଣିର ରୂପରେଖ ବି ବଦଳିଲା । ବାଜା, ବାଣ, ରୋଶଣି ଉପରେ ନିୟନ୍ତ୍ରଣ ଆସିଲା । କଟକ ସହର ସମସ୍ୟା ସଂକ୍ରାନ୍ତ ମାମଲାର ଶୁଣାଣି ଅବସରରେ ସହରର ଉପରୋକ୍ତ ସମସ୍ୟା ସହ ଆହୁରି କେତେକ ସମସ୍ୟା ସଂକ୍ରାନ୍ତରେ ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ହାଇକୋର୍ଟଙ୍କ ତାଗିଦ୍ ତଥା ନିର୍ଦ୍ଦେଶ ପରେ ସହରର ଅନେକ ସମସ୍ୟାର ତ୍ୱରିତ ସମାଧାନ ହୋଇ ପାରିଥିଲା ।
ଟ୍ରାଫିକ ଜାମ ହଟାଇବା ପାଇଁ ନୂଆ ପାର୍କିଂ ଅଞ୍ଚଳ ନିର୍ଦ୍ଧାରିତ ହେଲା । ବ୍ୟବସ୍ଥିତ ହେଲା ଭେଣ୍ଡିଂ ଜୋନ୍ । ସିଏମସି, ଜିଲ୍ଲା ପ୍ରଶାସନ, କମିସନରେଟ ପୁଲିସ, ପୂର୍ତ୍ତ, ବିଦ୍ୟୁତ୍, ୱାଟକୋ ଆଦି ବିଭିନ୍ନ ବିଭାଗ ତତ୍ପରତା ପ୍ରକାଶ କଲେ ହାଇକୋର୍ଟଙ୍କ କଡ଼ା ତାଗିଦ ପରେ । ସହରବାସୀଙ୍କ ସ୍ୱାର୍ଥକୁ ସର୍ବୋଚ୍ଚ ପ୍ରାଥମିକତା ଦିଆଗଲା ଅଦାଲତଙ୍କ ନିର୍ଦ୍ଦେଶ ପରେ । ଚଳିତ ବର୍ଷ ତମାମ ହାଇକୋର୍ଟଙ୍କ ନଜରରେ ଥିଲା ପୂରା ସହର । ସେହିପରି ଦେଶର ବୃହତ୍ ମୁକ୍ତାକାଶ ବାଣିଜ୍ୟିକ ଯାତ୍ରା କୁହାଯାଉଥିବା ବାଲିଯାତ୍ରାକୁ କିପରି ଶୃଙ୍ଖଳିତ ଓ ବ୍ୟବସ୍ଥିତ କରାଯାଇପାରିବ ସେଥିପାଇଁ ମଧ୍ୟ ହାଇକୋର୍ଟ କେତେକ ନିର୍ଦ୍ଦେଶନାମା ଜାରି କରିଥିଲେ । ବାଲିଯାତ୍ରାରେ ଭିଡ଼ ନିୟନ୍ତ୍ରଣ, ପଲିଥିନ୍ ମୁକ୍ତ ବାଲିଯାତ୍ରା, ବିଶୃଙ୍ଖଳା ଆଦି ଏଡ଼ାଇବା ପାଇଁ ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ଅନେକ ଗୁଡ଼ିଏ ନିର୍ଦ୍ଦେଶ ଦେଇଥିଲେ । ବର୍ଷା ସମୟରେ କଟକ ସହର ଯେପରି ଜଳବନ୍ଦୀ ନହେବ ସେଥିପାଇଁ ହାଇକୋର୍ଟ ୱାଟକୋ କର୍ତ୍ତୃପକ୍ଷଙ୍କୁ ତାଗିଦ କରିଥିଲେ । ତାଳଦଣ୍ଡା କେନାଲର ପୁନରୁଦ୍ଧାର, କେନାଲ୍ ଉଭୟ ପାର୍ଶ୍ୱ ରାସ୍ତାର ଆଲୋକୀକରଣ, ବିସ୍ତୃତ ଡ୍ରେନେଜ୍ ମାଷ୍ଟର ପ୍ଲାନ୍ ଆଦି ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କରାଯାଇଥିଲା । ବିଏସଡବ୍ଲୁସି ପାଇଁ ସିଏମସି ସିଟି ଇଞ୍ଜିନିୟରଙ୍କ ଲୁଚକାଳି ଖେଳ ଏବଂ ହାଇକୋର୍ଟଙ୍କ ଭର୍ତ୍ସନା ବେଶ୍ ଚର୍ଚ୍ଚା ସୃଷ୍ଟି କରିଥିଲା । ବିପର୍ଯ୍ୟସ୍ତ ରାସ୍ତାଘାଟକୁ ନେଇ ସିଏମସିର ତଥ୍ୟ ଲୁଚାଇବା ହାଇକୋର୍ଟଙ୍କ ନଜରକୁ ଏଡ଼ାଇ ପାରିନଥିଲା । ବର୍ଷସାରା ହାଇକୋର୍ଟ ସହରର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସିଏମସି, ସିଡିଏ, କମିସନରେଟ ପୁଲିସ, ଜିଲ୍ଲା ପ୍ରଶାସନକୁ ତ୍ୱରିତ ପଦକ୍ଷେପ ନେବାକୁ ଏକରକମ ବାଧ୍ୟ କରିଥିଲେ ।
ଦୀପୁ-ଓମ୍ ହତ୍ୟା ମାମଲାରେ ଖଲାସ ହେଲେ ଡି’ ବ୍ରଦସ୍
ବହୁଚର୍ଚ୍ଚିତ ଦୀପୁ ଓରଫ ମନୋଜ ମଲ୍ଲିକ ଏବଂ ଓମ୍ ଓରଫ ଓମପ୍ରକାଶ ସ୍ୱାଇଁ ହତ୍ୟା ଘଟଣାରେ ରାୟ ପ୍ରକାଶ ଚଳିତବର୍ଷର ଏକ ପ୍ରମୁଖ ଅଦାଲତି ଘଟଣା ଥିଲା । ଏହି ମାମଲାରେ କଟକ ଜିଲ୍ଲା ଦୌରାଜଜ୍ ଧଳସାମନ୍ତ ବ୍ରଦର୍ସ, ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ ପାଇଁ ନିର୍ଦ୍ଦେଶ ଦେଇଥିଲେ । କେବଳ ବେଆଇନ ବନ୍ଧୁକ ରଖିବା ଅଭିଯୋଗରେ ଅଦାଲତ ଡି’ ବ୍ରଦର୍ସଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହି ଘଟଣାରେ ସେମାନଙ୍କୁ ୭ବର୍ଷ ଜେଲଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରାଯାଇଥିଲା । ଦୀପୁ ଏବଂ ଓମ୍ ହତ୍ୟା ଘଟଣାରେ ଡି’ ବ୍ରଦର୍ସଙ୍କ ସମେତ ସେମାନଙ୍କର ପ୍ରାୟ ୮ଜଣ ସହଯୋଗୀଙ୍କ ନାମରେ ପୁଲିସ ମାମଲା ରୁଜୁ କରି ଗିରଫ କରିଥିଲା । କିନ୍ତୁ ସମସ୍ତେ ଖଲାସ ହୋଇଛନ୍ତି । ତେବେ ଅଦାଲତ ଯଦିଓ ଡି’ ବ୍ରଦର୍ସଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କିନ୍ତୁ ଅନ୍ୟ ମାମଲା କାରଣରୁ ସେମାନେ ଏବେ ବି ଜେଲରୁ ବାହାରି ପାରିନାହାନ୍ତି । ଅନ୍ୟପକ୍ଷରେ ଏହି ଆଦେଶକୁ ଚାଲେଞ୍ଜ କରି ରାଜ୍ୟ ସରକାର ହାଇକୋର୍ଟରେ ମଧ୍ୟ ମାମଲା ଦାଏର କରିଛନ୍ତି ।
ରେଭେନ୍ସା ଛାତ୍ରଙ୍କ ବିରୋଧରେ ମାମଲା ରଦ୍ଦ
୨୦୧୯ ମସିହାରେ ରେଭେନ୍ସା ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଏକ ଗାଡ଼ି ଦୁର୍ଘଟଣାରେ ଜଣେ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା । ଉତ୍ତ୍ୟକ୍ତ ଛାତ୍ରଛାତ୍ରୀମାନେ ନେଇ ରାସ୍ତା ଅବରୋଧ କରିଥିଲେ । ଏହି ଘଟଣାରେ ମାଲଗୋଦାମ ଥାନା ପକ୍ଷରୁ ବହୁ ଛାତ୍ରଛାତ୍ରୀଙ୍କ ନାମରେ ମାମଲା ରୁଜୁ ହୋଇଥିଲା । ପରେ ନିମ୍ନ ଅଦାଲତ ଉକ୍ତ ଛାତ୍ରଛାତ୍ରୀଙ୍କ କଗନିଜାନ୍ସ(ଯେଉଁ ଦଫାରେ ମାମଲାର ଶୁଣାଣି ହେବ)କୁ ନେଇଥିଲେ । ଏହାକୁ ଚାଲେଞ୍ଜ କରି ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ଛାତ୍ରଛାତ୍ରୀଙ୍କ ବିରୋଧରେ ନିଆଯାଇଥିବା କଗନିଜାନ୍ସକୁ ରଦ୍ଦ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଛାତ୍ରଛାତ୍ରୀମାନେ ରାସ୍ତା ଅବରୋଧ କରିଥିଲେ ମଧ୍ୟ କୌଣସି ପ୍ରକାର କ୍ଷୟକ୍ଷତି କରିନଥିବାରୁ ହାଇକୋର୍ଟ ଏହି ମାମଲାକୁ ରଦ୍ଦ କରି ଦେଇଥିଲେ ।
ଅନୁଭବ-ବର୍ଷା ମାମଲା ତୁଟିଲା
ସିନେ ତାରକା ଦମ୍ପତି ଅନୁଭବ-ବର୍ଷାଙ୍କ ମଧ୍ୟରେ ଲାଗି ରହିଥିବା ଲମ୍ବା ପାରିବାରିକ ହିଂସା ମାମାଲର ଚଳିତବର୍ଷ ଅନ୍ତ ଘଟିଥିଲା । ଏହି ଘଟଣାରେ ସିନେ ଷ୍ଟାର୍ ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କୁ ନିମ୍ନ ଅଦାଲତରୁ ବଡ଼ ବିଜୟ ମିଳିଥିଲା । ପତ୍ନୀ ବର୍ଷା ପ୍ରିୟଦର୍ଶିନୀ ତାଙ୍କ ବିରୋଧରେ ଆଣିଥିବା ସମସ୍ତ ଅଭିଯୋଗକୁ କଟକ ଜେଏମଏଫସି ତଥା ଚିଫ୍ ଜୁଡିସିଆଲ(ଦ୍ୱିତିୟ ଅଦାଲତ)ଖାରଜ କରି ଦେଇଥିଲେ । ବର୍ଷା ତାଙ୍କ ପିଟିସନରେ ଅନୁଭବଙ୍କ ବିରୋଧରେ ଯେଉଁ ଘରୋଇ ହିଂସା ଅଭିଯୋଗ ଆଣିଛନ୍ତି ସେଥିରେ ସତ୍ୟତା ନଥିବା ତଥା ଅଭିଯୋଗରେ ତାଳମେଳ ନଥିବା ଅଦାଲତ ଅନୁଭବ କରିଥିଲେ । ସେହିପରି ବର୍ଷା ନିଜେ ଜଣେ ଚଳଚ୍ଚିତ୍ର ତାରକା ହୋଇଥିବାରୁ ସେ ସ୍ୱାବଲମ୍ବୀ । ନିଜେ ରୋଜଗାର ପାଇଁ ସମ୍ପୂର୍ଣ୍ଣ ସକ୍ଷମ ହୋଇଥିବାରୁ ସେ ଟଙ୍କାଟିଏ କ୍ଷତିପୂରଣ ପାଇପାରିବେ ନାହିଁ ବୋଲି ବର୍ଷାଙ୍କ ପିଟିସନକୁ ଖାରଜ କରିବା ଅବସରରେ ଅଦାଲତ ତାଙ୍କ ରାୟରେ କହିଥିଲେ ।
ରୋଗୀଙ୍କ ଦୁଃଖ ଶୁଣିଲେ
ରାଜ୍ୟର ସର୍ବବୃହତ ସରକାରୀ ମେଡିକାଲ ଏସ୍ସିବିର ସମସ୍ୟା ମଧ୍ୟ ବହୁତ ବଡ଼ । କେଉଁଠି ରୋଗୀମାନେ ଦିନଦିନ ଧରି ବାହାରେ ପଡ଼ି ରହିଥିଲା ବେଳେ ଆଉ କେଉଁଠି ରୋଗୀଙ୍କ ଆଟେଡାଣ୍ଟମାନେ ବସିବାକୁ ଟିକେ ରାହା ପାଉନଥିଲେ । କେଉଁଠି ଗୁରୁତର ରୋଗୀଙ୍କ ଚିକିତ୍ସା ପାଇଁ ତତ୍ପରତା ନଥିଲା ତ ଆଉ କେଉଁଠି ରାତିବେଳା ମିଳୁନଥିଲା ଉପଯୁକ୍ତ ଚିକିତ୍ସା । ବଡ଼ବଡ଼ ପରୀକ୍ଷା ପାଇଁ ଭଲ ମେସିନ ମଧ୍ୟ ନଥିଲା । ଏସବୁ ସମସ୍ୟାର ସମାଧାନ ପାଇଁ ହାଇକୋର୍ଟ ପ୍ରତି ଶୁଣାଣିରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଥିଲେ । ଜଣେ ବି ରୋଗୀ ଏସ୍ସିବିରୁ ଯେପରି ଉତ୍ତମ ଚିକିତ୍ସାରୁ ବଞ୍ଚିତ ନହେବେ ସେଥିପାଇଁ ହାଇକୋର୍ଟ ଭିତ୍ତିଭୂମିଠାରୁ ଆରମ୍ଭ କରି ଚିକିତ୍ସା ସେବା ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ସଂସ୍କାର ଆଣିବା ପାଇଁ ଆବଶ୍ୟକ ନିର୍ଦ୍ଦେଶ ଦେଇଥିଲେ । ବହିର୍ବିଭାଗ ସମସ୍ୟାଠାରୁ ଆରମ୍ଭ କରି କାଜୁଆଲଟି, ହୃଦ୍ରୋଗ ବିଭାଗ, ଯକୃତ ପ୍ରତିରୋପଣ ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ହାଇକୋର୍ଟଙ୍କ ଆଦେଶ ଫଳରେ ଅନେକ ଉନ୍ନତି ଆସିପାରିଥିଲା । ବିଭିନ୍ନ ୱାର୍ଡରେ ସୂଚନା ଫଳକ ଲଗାଯାଇ ଡାକ୍ତରଙ୍କ ସମ୍ପର୍କରେ ସୂଚନା ଦିଆଯାଇଥିଲା । ଏମଆରଆଇ, ସିଟି ସ୍କାନ ମେସିନ ଉପଲବ୍ଧ କରାଯାଇପାରିଥିଲା । ଏସ୍ସିବିରେ ରୋଗୀଙ୍କ ପାଇଁ ୨୪ଘଣ୍ଟିଆ ଅନଲାଇନ ପଞ୍ଜିକରଣ ସୁବିଧା ମଧ୍ୟ କରାଯାଇଥିଲା । ତେବେ ଦ୍ୱିତୀୟ ଆହାର କେନ୍ଦ୍ର ପ୍ରତିଷ୍ଠା, ଅଧିକ ଡାକ୍ତର ନିଯୁକ୍ତି, ରୋଗୀ ଆଟେଣ୍ଡାଣ୍ଟଙ୍କ ସୁବିଧା ପାଇଁ ରେଷ୍ଟ ସେଡ୍ ନିର୍ମାଣ ଓ ଆଉ କେତେ ଯୋଜନା ରୂପାୟନ ହେବା ତଥାପି ବାକି ଅଛି ।
ନୂଆ ରୂପରେ ଶିଶୁଭବନ
ଶିଶୁମାନଙ୍କୁ ଉନ୍ନତମାନର ଚିକିତ୍ସା ପ୍ରଦାନ କରି ଆସୁଥିବା ପୂର୍ବ ଭାରତର ପ୍ରମୁଖ ଶିଶୁରୋଗ ଚିକିତ୍ସା ପ୍ରତିଷ୍ଠାନ ଶିଶୁଭବନର ଉନ୍ନତ ଭିତ୍ତିଭୂମି ଅଭାବରୁ ସବୁବେଳେ ସମସ୍ୟା ଲାଗି ରହିଥିଲା । ଏଥିରେ ହାଇକୋର୍ଟଙ୍କ ହସ୍ତକ୍ଷେପ ଫଳରେ ଶିଶୁଭବନର ରୂପରେ ଅନେକ ପରିବର୍ତ୍ତନ ଆସିଛି । ଦୀର୍ଘବର୍ଷ ଧରି ଏହା ମଧ୍ୟରେ ନିର୍ମାଣ ହୋଇଥିବା ସୁଉଚ୍ଚ ଅଟ୍ଟାଳିକା ରୋଗୀଙ୍କ କାର୍ଯ୍ୟରେ ଲାଗିପାରୁ ନଥିଲା । କିନ୍ତୁ, ହାଇକୋର୍ଟଙ୍କ ଆଦେଶ ଫଳରେ ତୁରନ୍ତ ଏହି ସୁଉଚ୍ଚ ଅଟ୍ଟାଳିକା ରୋଗୀଙ୍କ ସେବାରେ ଲାଗି ପାରିଥିଲା । ଏହି ଅଟ୍ଟାଳିକାର ଜମିକୁ ନେଇ ଥିବା ବିବାଦର ମଧ୍ୟ ସମାଧାନ ହୋଇପାରିଥିଲା । ଏହା ମଧ୍ୟରେ ସ୍ଥାୟୀ ପାଣି ନିଷ୍କାସନ ସମାଧାନ ପାଇଁ ଡ୍ରେନ୍ ନିର୍ମାଣ କରାଯିବା ଯୋଜନା ଚୂଡ଼ାନ୍ତ ହୋଇପାରିଛି ।
ନିଯୁକ୍ତି ବିବାଦ:
ଶିକ୍ଷା ସହାୟକଙ୍କୁ ଆଶ୍ୱସ୍ତି
ବିଜ୍ଞାପନ ଦିଆଯାଇନଥିଲା । ମେଧା ତାଲିକାରେ ନାଁ ମଧ୍ୟ ନଥିଲା । ଏହା ସତ୍ତ୍ୱେ ବିଭିନ୍ନ ଜିଲ୍ଲାରେ ଶିକ୍ଷା ସହାୟକ ଭାବେ ୨୦ ବର୍ଷ ହେଲାଣି ଚାକିରି କରି ଆସୁଥିଲେ । ସେମାନଙ୍କ ଚାକିରି ବେଆଇନ ବୋଲି ହାଇକୋର୍ଟରୁ ଆରମ୍ଭ କରି ସୁପ୍ରିମକୋର୍ଟ ପର୍ଯ୍ୟନ୍ତ ସବୁଠି ମତପ୍ରକାଶ ପାଇଥିଲା । କିନ୍ତୁ, ୨୦ ବର୍ଷ ପରେ ଓଡ଼ିଶା ହାଇକୋର୍ଟଙ୍କ ଆଦେଶ ଏହି ଶିକ୍ଷା ସହାୟକମାନଙ୍କ ଭବିଷ୍ୟତ ଅନ୍ଧକାର ଭିତରକୁ ଚାଲିଯାଇଥିଲା । ହେଲେ ଏହି ଶିକ୍ଷା ସହାୟକଙ୍କ ଚାକିରି ନେବା ପରିବର୍ତ୍ତେ ରାଜ୍ୟ ସରକାର ସହାନୁଭୂତି ଆଧାରରେ ସେମାନଙ୍କ ଚାକିରିକୁ ନିୟମିତ କରିବା ପାଇଁ ପଦକ୍ଷେପ ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।
ବାତିଲ୍ ହେଲା ହାଇକୋର୍ଟ ଏଏସ୍ଓ ମୁଖ୍ୟ ପରୀକ୍ଷା
ଗତ ଜୁଲାଇ ୧୩ ତାରିଖରେ ହାଇକୋର୍ଟର ଆସିଷ୍ଟାଣ୍ଟ ସେକ୍ସନ ଅଫିସର(ଏଏସ୍ଓ) ପଦ ଲାଗି ଅନୁଷ୍ଠିତ ହୋଇଥିବା ମୁଖ୍ୟ ପରୀକ୍ଷାକୁ ହାଇକୋର୍ଟ ବାତିଲ୍ କରି ଦେଇଥିଲେ । ଏହି ପରୀକ୍ଷା ପରିଚାଳନାରେ ବିଭ୍ରାଟ ହୋଇଥିବା ଆଶଙ୍କା କରି ହାଇକୋର୍ଟ ରେଜିଷ୍ଟ୍ରାର(ପରୀକ୍ଷା)ଙ୍କ ପକ୍ଷରୁ ପରୀକ୍ଷା ବାତିଲ ସଂକ୍ରାନ୍ତ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।
ବୟସ ସୀମା କୋହଳ ହେଲା
ଚଳିତବର୍ଷ ହାଇକୋର୍ଟ ଅନେକ ଗୁଡ଼ିଏ ପଦରେ ବୟସ ସୀମା କୋହଳ କରିବା ନେଇ ମାମଲା ରୁଜୁ ହୋଇଥିଲା । ବିଶେଷକରି କରୋନା ସମୟରେ ନିଯୁକ୍ତି ପାଇଁ କୌଣସି ବିଜ୍ଞାପନ ପ୍ରକାଶ ପାଇନଥିବାରୁ ସବ୍ଇନସପେକ୍ଟର (ଏସ୍ଆଇ), ଆଗ୍ନିକ(ଫାୟାର ସେଫ୍ଟି ଅଫିସର) ଆଦି ନିଯୁକ୍ତି ପ୍ରକ୍ରିୟାରେ ସର୍ବୋଚ୍ଚ ବୟସ ସୀମା କୋହଳ ପାଇଁ ମାମଲା ରୁଜୁ ହୋଇଥିଲା । ହାଇକୋର୍ଟ ଏହିସବୁ ମାମଲାର ଶୁଣାଣି କରି ବୟସ ସୀମା କୋହଳ ଲାଗି ରାଜ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସର୍ବୋଚ୍ଚ ବୟସ ସୀମା ୩ ବର୍ଷ ବୃଦ୍ଧି କରାଯିବା ଫଳରେ ଏସ୍ଆଇ, ଆଗ୍ନିକ ଆଦି ପଦ ପାଇଁ ଆବେଦନ କରିଥିବା ବୟସ ଅତିକ୍ରାନ୍ତ ଶହ ଶହ ପ୍ରାର୍ଥୀ ଆଶ୍ୱସ୍ତ ହୋଇଥିଲେ ।
ଇନ୍ଚାର୍ଜ ଅଧ୍ୟକ୍ଷ ବ୍ୟବସ୍ଥା ହଟାଅ
ରାଜ୍ୟର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ ପଦରେ କନିଷ୍ଠ ଅଧ୍ୟାପକମାନଙ୍କୁ ଇନ୍ଚାର୍ଜ ଭାବେ ବର୍ଷ ବର୍ଷ ଧରି ରଖାଯାଉଥିବା ଘଟଣାକୁ ନେଇ ହାଇକୋର୍ଟ ଚଳିତବର୍ଷ ଭୀଷଣ କ୍ଷୁବ୍ଧ ହୋଇଥିଲେ । ପ୍ରଶାସନ ପକ୍ଷରୁ କନିଷ୍ଠ ଅଧ୍ୟାପକଙ୍କୁ କଲେଜ୍ରେ ବର୍ଷବର୍ଷ ଧରି ଇନ୍ଚାର୍ଜ ଅଧ୍ୟକ୍ଷ ପଦରେ ମନମୁଖୀ ଭାବେ ରଖାଯାଉଛି । ଏହା ଦ୍ୱାରା ସେମାନେ ନିଜ ଇଚ୍ଛା ଅନୁଯାୟୀ କରୁଛନ୍ତି । ଏଭଳି ବ୍ୟବସ୍ଥା ଉଦ୍ଦେଶ୍ୟକୁ ନେଇ ହାଇକୋର୍ଟ ଖୋଲାଖୋଲି ପ୍ରଶ୍ନ କରିବା ସହ ଏହାକୁ ତୁରନ୍ତ ହଟାଇବା ଆବଶ୍ୟକ ବୋଲି ମତଦେଇଛନ୍ତି ।
‘ସହମତି’କୁ ନେଇ ସତର୍କତା
ବିବାହ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ମାମଲା କ୍ଷେତ୍ରରେ ‘ସହମତି’ କଥାକୁ ସତର୍କତାର ସହ ବିଚାର କରାଯିବା ଆବଶ୍ୟକ ବୋଲି ହାଇକୋର୍ଟ ଚଳିତବର୍ଷ ଏକ ମାମଲାର ବିଚାର ସମୟରେ ମତବ୍ୟକ୍ତ କରିଥିଲେ । ଆଇନ ଅନୁସାରେ, ବଳପୂର୍ବକ ହେଉ ଅବା ପ୍ରତାରଣା ଆଧାରରେ ଶାରୀରିକ ସଂପର୍କ ପାଇଁ ‘ସହମତି’ ହାସଲ କରିବା ବୈଧ ହୋଇନପାରେ କିନ୍ତୁ ଏହା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଯେ, ସ୍ୱଇଚ୍ଛାରେ ଶାରୀରିକ ସମ୍ପର୍କ ରଖିବା କଥା ଏଡ଼ାଇ ଦେଇହେବ ନାହିଁ । ତେଣୁ ସହମତି ଭିତ୍ତିରେ ଯଦି ଶାରୀରିକ ସଂପର୍କ ରହିଥିଲା, ତେବେ କେବଳ ବିବାହ ପ୍ରତିଶ୍ରୁତି ରଖିପାରିଲେ ନାହିଁ ବୋଲି ପ୍ରତିପକ୍ଷ ବିରୋଧରେ ମାମଲା ରୁଜୁ କରାଯାଇପାରିବନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମତ ଦେଇଥିଲେ ।
ଅବକାଶ ଅଦାଲତରେ ୧୩୫୧ ମାମଲାର ସମାଧାନ
ଚଳିତବର୍ଷ ଓଡ଼ିଶା ହାଇକୋର୍ଟ ଅବକାଶକାଳୀନ ଅଦାଲତରେ ଏକ ବିରଳ ରେକର୍ଡ ସ୍ଥାପନ କରିଛି । ଅବକାଶକାଳୀନ ଅଦାଲତରେ ଗୋଟେ ଗୋଟେ ଦିନରେ ୨ଶହ ପର୍ଯ୍ୟନ୍ତ ମାମଲାର ଶୁଣାଣି ହୋଇଥିଲା । ସେହିପରି ୧୩୫୧ଟି ମାମଲାର ସମାଧାନ ମଧ୍ୟ କରାଯାଇଥିଲା । ଅବକାଶକାଳୀନ ଅଦାଲତ ପାଇଁ ଦୁଃସ୍ଥ, ଅସହାୟ ତଥା ପୀଡ଼ିତଙ୍କୁ ଆଶ୍ୱସ୍ତି ଦେଇପାରିଥିଲା ।
ସବୁଠୁ ଊଦ୍ଧ୍ୱର୍ରେ ‘ସ୍ୱାଧୀନତା’
ସିଆର୍ପିସିର ଧାରା ୪୩୬(ଏ)ରେ ଆବେଦନକାରୀ ଜାମିନ ପାଇଁ ଆବେଦନ କରିଛନ୍ତି । ଏହି ଧାରାରେ ଜଣେ ଅଭିଯୁକ୍ତ ଯେଉଁ ଦଫାରେ ଯେତିକି ବର୍ଷ ପାଇଁ ଦଣ୍ଡିତ ହେବାର ପ୍ରାବଧାନ ରହିଛି ତାହାର ଯଦି ଅଧା ସମୟ ସେ ଜେଲ୍ କଟାଇ ସାରିଛନ୍ତି ତାହେଲେ ସେ ଜାମିନ ପାଇବାକୁ ହକଦାର୍ । ଜାମିନ ନମିଳିଲେ ସ୍ୱାଧୀନତା କ୍ଷୂଣ୍ଣ ହେଉଛି । ଜଣେ ନାଗରିକଙ୍କର ସ୍ୱାଧୀନତା ସର୍ବୋପରି ।
ଆଦେଶନାମା:
ଗଡ଼ଜାତ ପାଇଁ ସ୍ୱତନ୍ତ୍ର ନିୟମ
ଗଡ଼ଜାତ ଜିଲ୍ଲା ତଥା ପୂର୍ବରୁ ରାଜାଙ୍କ ଶାସନାଧୀନ ଥିବା ଜିଲ୍ଲାଗୁଡ଼ିକରେ ଜମି ଦାଖଲ-ଖାରଜ ପାଇଁ ସରକାରୀ ପ୍ରମାଣପତ୍ରର କୌଣସି ଆବଶ୍ୟକତା ନାହିଁ । ସ୍ଥାନୀୟ ତହସିଲଦାର କୌଣସି ବ୍ୟକ୍ତିଙ୍କୁ ଏହି ସରକାରୀ ପ୍ରମାଣପତ୍ର ନଥିବା ଦର୍ଶାଇ ତାଙ୍କ ଜମି ଦାଖଲ ଖାରଜ(ମ୍ୟୁଟେସନ୍) କେସ୍କୁ ଖାରଜ କରିପାରିବେ ନାହିଁ ବୋଲି ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଥିଲେ । ଏହି ମର୍ମରେ ହାଇକୋର୍ଟ ଗଡ଼ଜାତ ଜିଲ୍ଲା ଯଥା ମୟୂରଭଞ୍ଜ, ବଲାଙ୍ଗୀର, କୋରାପୁଟ, ଢେଙ୍କାନାଳ, ଗଞ୍ଜାମ, ସୁନ୍ଦରଗଡ଼, ସମ୍ବଲପୁର, ଅନୁଗୁଳ, କେନ୍ଦୁଝର, ରାୟଗଡ଼ା, ଝାରସୁଗୁଡ଼ା, ମାଲକାନଗିରି ଏବଂ ଅନ୍ୟ କେତୋଟି ଜିଲ୍ଲାରେ ଜମିର ମ୍ୟୁଟେସନ୍ କେସ୍ କିପରି କରାଯିବ ସେଥିଲାଗି ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରିଥିଲେ ।
ପୁଲିସ ମନମାନି କରିପାରିବ ନାହିଁ
ଦୀର୍ଘଦିନ ଧରି ଏତଲା ଦିଆଯାଇଥିଲେ ମଧ୍ୟ ତାହାକୁ ପୁଲିସ ପଞ୍ଜିକୃତ କରିନାହିଁ । ଯାହାକି ଆଇନର ସମ୍ପୂର୍ଣ୍ଣ ବିରୋଧାଚରଣ କରୁଛି । ଏକ ନିର୍ଦ୍ଦିଷ୍ଟ ମାମଲାରେ ପୁଲିସର ଏଭଳି କାର୍ଯ୍ୟକୁ ନେଇ ହାଇକୋର୍ଟ କ୍ଷୁବ୍ଧ ହୋଇଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ଥାନାରେ ପୁଲିସର ଏଭଳି ମନମାନି ଚାଲିଛି ବୋଲି ମତ ରଖିଥିଲେ । ଏଭଳି ସ୍ଥିତି ନେଇ ଉଦ୍ବେଗ ପ୍ରକାଶ କରି ହାଇକୋର୍ଟ ସ୍ପଷ୍ଟ ଭାବେ କହିଥିଲେ କି, ଏହା ଏବେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ପ୍ରସଙ୍ଗ ପାଲଟିଛି । ଏଭଳି ପ୍ରସଙ୍ଗରେ ପୁଲିସ ଉଚ୍ଚପଦସ୍ଥ ଅଧିକାରୀ ହସ୍ତକ୍ଷେପ କରିବାର ନିହାତି ଆବଶ୍ୟକତା ରହିଛି । ନିଜ ଘର ଯେପରି ଶୃଙ୍ଖଳା ଭିତରେ କାର୍ଯ୍ୟ କରେ ତାହା ମଧ୍ୟ ଉଚ୍ଚପଦସ୍ଥ ଅଧିକାରୀମାନେ ସୁନିଶ୍ଚିନ୍ତ କରିବା ଆବଶ୍ୟକ । ନଚେତ୍ ଏହା ସ୍ୱେଚ୍ଛାଚାରିତା ଆଡ଼କୁ ବାଟ କଢ଼ାଇନେବ ବୋଲି ହାଇକୋର୍ଟ ଚେତାବନୀ ଦେଇଥିଲେ ।
ଆରଟିଆଇର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଜଣେ ବ୍ୟକ୍ତି ୨୦୧୭ ମସିହାରେ ଜବରଦଖଲରେ ଥିବା ଜଳାଶୟରୁ ଉଚ୍ଛେଦ ପାଇଁ ମୁଖ୍ୟ ଶାସନ ସଚିବଙ୍କ ଚିଠି ଲେଖିଲେ । ତାଙ୍କ ସମସ୍ୟାର ସମାଧାନ ତ’ ହେଲା ନାହିଁ, କିନ୍ତୁ ତାଙ୍କ ସ୍ମାରକପତ୍ର ଉପରେ କି’ ପଦକ୍ଷେପ ନିଆଯାଇଛି ତାହାର ମଧ୍ୟ କୌଣସି ସଠିକ୍ ସୂଚନା ମିଳିଲା ନାହିଁ । ପୂରା ସରକାରୀ ବିଭାଗ ତାଙ୍କ ବିରୋଧରେ ଲାଗିପଡ଼ିଲେ । ସୂଚନା ଅଧିକାର ଆଇନରେ ମାମଲା ରୁଜୁ କରି ରାଜ୍ୟ ସୂଚନା କମିସନରଙ୍କ ନିକଟରୁ ମଧ୍ୟ ନିରାଶ ହେଲେ । ଦୀର୍ଘ ୭ ବର୍ଷ ଧରି ଅଦାଲତି ଅଡ଼ୁଆ ଭିତରେ ଛନ୍ଦି ହୋଇଯାଇଥିବା ଏଭଳି ଏକ ଘଟଣାରେ ହାଇକୋର୍ଟ, ସରକାରୀ ଅଧିକାରୀ ତଥା ବ୍ୟବସ୍ଥାକୁ ନେଇ ଭୀଷଣ କ୍ଷୁବ୍ଧ ହୋଇଥିଲେ । ଏହି ପରିପ୍ରେକ୍ଷୀରେ ହାଇକୋର୍ଟ ଗଣତନ୍ତ୍ରକୁ ମଜବୁତ୍ କରିବା ପାଇଁ ଆରଟିଆଇ ବା ସୂଚନା ଅଧିକାର ଆଇନର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ମତବ୍ୟକ୍ତ କରିଛନ୍ତି ।