ଟ୍ବିଟର୍ ୨.୦ ପାଇଁ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କଲେ ଏଲନ୍ ମସ୍କ, ୫ ହଜାର କର୍ମଚାରୀଙ୍କୁ ଚାକିରିରୁ କରିଥିଲେ ବିଦା

ନୂଆଦିଲ୍ଲୀ ୨୭/ ୧୧: ଲୋକପ୍ରିୟ ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ବିଟର୍ ପ୍ରଥମେ କର୍ମଚାରୀମାନଙ୍କ ଛଟେଇ କରିବା ପରେ ସାଂଘାତିକ ସଙ୍କଟରେ ପଡିଯାଇଛି । ବାଧ୍ୟ ହୋଇ ପୁଣି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିଛନ୍ତି ଟ୍ବିଟର୍ ମାଲିକ ଏଲନ୍ ମସ୍କ । ମାତ୍ର ମାସକ ମଧ୍ୟରେ ପ୍ରାୟ ୫ ହଜାର କର୍ମଚାରୀଙ୍କୁ ଏକାସାଙ୍ଗେ ବାହାର କରିଦେବା ପରେ ଧିମେଇ ଯାଇଥିଲା ଟ୍ବିଟର । କମ୍ପାନୀକୁ ଅନେକ ସମସ୍ୟାର ସାମ୍ନା କରିବାକୁ ପଡିଥିଲା । ଏବେ ଟ୍ବିଟର ୨.୦ ପାଇଁ ନୂତନ ନିଯୁକ୍ତି ଦିଆଯିବା ନେଇ ଘୋଷଣା କରିଛନ୍ତି ମସ୍କ ।
ଏଲନ୍ ମସ୍କ କହିଛନ୍ତି, ଟ୍ବିଟରରେ ଖୁବଶୀଘ୍ର ନୂଆ ଫିଚର ଆସିବାକୁ ଯାଉଛି । ଏହା ସହିତ କମ୍ପାନୀର ଭବିଷ୍ୟତକୁ ନେଇ ମଧ୍ୟ ଅନୁଧ୍ୟାନ କରାଯାଉଛି । ଟ୍ବିଟର୍ ୨.୦ ଦି ଏଭ୍ରିଥିଙ୍ଗ ଆପ୍ (Twitter 2.0 — The Everything App) ପାଇଁ ନିଯୁକ୍ତି ଆରମ୍ଭ ହୋଇସାରିଛି’।
ସୂଚନା ଯେ, ଚଳିତ ମାସରେ ଏଲନ୍ ମସ୍କ ଟ୍ବିଟର କର୍ମଚାରୀଙ୍କ ଉପରେ ଚାପ ପ୍ରୟୋଗ କରି ସେମାନଙ୍କ ମଧ୍ୟରୁ କିଛିଙ୍କୁ ଚାକିରିରୁ ବାହାର କରିଥିଲେ । କଠିନ ପରିଶ୍ରମ କରିବାକୁ ସର୍ତ୍ତ ରଖିଥିଲେ ମସ୍କ । ନଚେତ୍ ଚାକିରି ଛାଡି ଦେବାକୁ କହିଥିଲେ । ବାଧ୍ୟ ହୋଇ ଅନେକ କର୍ମଚାରୀ ଚାକିରି ଛାଡିଥିଲେ । ପ୍ରଥମେ ୧୨ଶହ କର୍ମଚାରୀ ନିଜ ଆଡୁ ଇସ୍ତଫା ଦେବା ପରେ ଅନ୍ୟ କର୍ମଚାରୀଙ୍କ ପାଇଁ କଠୋର ସର୍ତ୍ତ ରଖିଥିଲେ ମସ୍କ । ନିୟମ କଠୋର ହେବାପରେ ଆହୁରି କିଛି କର୍ମଚାରୀ ଚାକିରି ଛାଡିଦେଇଥିଲେ ।