ନୂଆଦିଲ୍ଲୀ,୨୭।୫: ଭାରତୀୟଙ୍କ ଘରେ ତୁଳସୀ କେବଳ ଏକ ଗଛ ନୁହେଁ, ବରଂ ଏହା ସୁଖ, ଶାନ୍ତି ଏବଂ ସକାରାତ୍ମକତାର ପ୍ରତୀକ। ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ଚଉରା ନିକଟରେ ଦୀପ ଜଳାଇବା ଏବଂ ଜଳ ଅର୍ପଣ କରିବା ଅନେକ ପରିବାରର ନିତିଦିନିଆ ପରମ୍ପରା। ହିନ୍ଦୁ ଧର୍ମରେ ତୁଳସୀ ଏକ ପବିତ୍ର ବୃକ୍ଷ। ଇଂରାଜୀରେ ଏହାକୁ କୁହାଯାଏ ‘ହୋଲି ବାସିଲ୍’ । ଏହା ଧର୍ମ, ଆଧ୍ୟାତ୍ମିକତା ଏବଂ ଆୟୁର୍ବେଦ ଦୃଷ୍ଟିରୁ ସର୍ବଶ୍ରେଷ୍ଠ ବୋଲି ବିବେଚନା କରାଯାଏ। ପ୍ରାୟତଃ ଏହାକୁ ହିନ୍ଦୁ ରୀତିନୀତି ସହିତ ଯୋଡାଯାଏ, କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ବିଶ୍ୱର ବହୁ ମୁସଲମାନ ଦେଶରେ ମଧ୍ୟ ତୁଳସୀ ଗଛର ଚାହିଦା ଓ ବ୍ୟବହାର ବଢିଛି।
ହିନ୍ଦୁ ଧର୍ମ ଏବଂ ଆୟୁର୍ବେଦରେ ତୁଳସୀର ମହତ୍ତ୍ୱ ଅତୁଳନୀୟ। ପୌରାଣିକ ଅନୁସାରେ, ତୁଳସୀଙ୍କୁ ବିଷ୍ଣୁ ପ୍ରିୟା ବୋଲି କୁହାଯାଏ। ଭଗବାନ ବିଷ୍ଣୁ କିମ୍ବା ଶ୍ରୀକୃଷ୍ଣଙ୍କୁ ଭୋଗ ଲଗାଇବା ସମୟରେ ତୁଳସୀ ପତ୍ର ଅତ୍ୟନ୍ତ ଆବଶ୍ୟକ। ଏହାର ଯଦି ଔଷଧୀୟ ଗୁଣ ଦେଖିବା ତେବେ ଏହା ପ୍ରାକୃତିକ ରୋଗ ପ୍ରତିରୋଧକ । ଥଣ୍ଡା, କାଶ, ଜ୍ୱର ଏବଂ ଚର୍ମ ସମସ୍ୟା ପାଇଁ ଏହା ଏକ ରାମବାଣ। ଏହି କାରଣରୁ ଏହାର ଚାହିଦା ଭାରତ ବାହାରେ ବି ଖୁବ୍ ଅଧିକ। ବିଶ୍ୱର ଅନେକ ପ୍ରମୁଖ ମୁସଲିମ ବହୁଳ ଦେଶରେ ତୁଳସୀର ଚାହିଦା ବଢିଛି। ବାଂଲାଦେଶ, ପାକିସ୍ତାନ, ମାଲେସିଆ, ଇଣ୍ଡୋନେସିଆ ଏବଂ ୟୁଏଇ ପ୍ରଚୁର ମାତ୍ରାରେ ଭାରତରୁ ତୁଳସୀ ଆମଦାନୀ କରିଥାଏ। ଏହି ମୁସଲିମ ଦେଶଗୁଡ଼ିକର ବଜାରରେ ଏବେ ସାର୍ଟିଫାଏଡ୍ ହର୍ବାଲ ଏବଂ ଆୟୁର୍ବେଦିକ କସମେଟିକ୍ ପ୍ରଡକ୍ଟର ଚାହିଁଦା ବାର୍ଷିକ ୨୦% ରୁ ଅଧିକ ବୃଦ୍ଧି ପାଇଛି। ଏହାକୁ ସେଠାର କମ୍ପାନୀଗୁଡ଼ିକ ଏବେ ହର୍ବାଲ ମେଡିସିନ୍ ଓ ଟ୍ରାଡିସନାଲ ହେଲଥ୍ ପ୍ରାକ୍ଟିସ୍ରେ ମୁଖ୍ୟ ସାମଗ୍ରୀ ଭାବରେ ସାମିଲ କରୁଛନ୍ତି।
ଦୁନିଆର ଚତୁର୍ଥ ବଡ଼ ମୁସଲମାନ ଦେଶ ବାଂଲାଦେଶରେ ତୁଳସୀ ବୃକ୍ଷର ରହିଛି ପ୍ରବଳ ଚାହିଦା। ବାଂଲାଦେଶର ଲୋକ ଆଜି ବି ନିଜର ଚିକିତ୍ସା ପାଇଁ ଗ୍ରହଣ କରିଥାନ୍ତି ପାରମ୍ପରିକ ଚିକିତ୍ସା ପଦ୍ଧତି। ବାଂଲାଦେଶରେ ରହିଛି ତୁଳସୀକୁ ହର୍ବାଲ ଟି’ ଭାବରେ ସେବନ କରିବାର ଚଳଣି । ଏହାଛଡା ସେଠାର ଲୋକ ଥଣ୍ଡା,ସର୍ଦ୍ଧି , ଜ୍ବର ଏବଂ ମାନସିକ ଚିନ୍ତାରୁ ମୁକ୍ତି ପାଇଁ ତୁଳସୀ ପତ୍ରର ସେବନ କରନ୍ତି। ଚିକିତ୍ସା ବିଜ୍ଞାନ ଓ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ବା ଡବ୍ଲୁଏଚ୍ଓ ମଧ୍ୟ ତୁଳସୀକୁ ମାନବ ଶରୀର ପାଇଁ ସୁରକ୍ଷିତ ଏବଂ ସ୍ବାସ୍ଥ୍ୟବର୍ଦ୍ଧକ ବୋଲି ଗ୍ରହଣ କରିଛି।
ତୁଳସୀରେ ଥିବା ରୋଗ ପ୍ରତିରୋଧକ ଶକ୍ତି, ଚାପମୁକ୍ତକାରୀ ଗୁଣ ଏବଂ ପ୍ରଚୁର ପରିମାଣର ଆଣ୍ଟିଅକ୍ସିଡାଣ୍ଟ ଏହାକୁ କରିଛି ଚମତ୍କାରୀ ଔଷଧ। ବାଂଲାଦେଶର ପ୍ରମୁଖ ଔଷଧ କମ୍ପାନୀଗୁଡ଼ିକ କଫ ସିରପ, ସପ୍ଲିମେଣ୍ଟ ଏବଂ ଓ୍ବେଲନେସ୍ ପ୍ରଡକ୍ଟରେ ପ୍ରଚୁର ପରିମାଣରେ ବ୍ୟବହାର କରୁଛନ୍ତି ତୁଳସୀ। ଭାରତ ମଧ୍ୟ ବିଶ୍ୱର ସର୍ବବୃହତ ତୁଳସୀ ଉତ୍ପାଦନକାରୀ ଦେଶ। ଭାରତୀୟ ରପ୍ତାନିକାରୀମାନେ ମୁଖ୍ୟତଃ ଶୁଖିଲା ପତ୍ର, ଏହାର ପାଉଡର, ହର୍ବାଲ ଟି ବ୍ୟାଗ ଏବଂ ଲିକ୍ବିଡ୍ ଏକ୍ସଟ୍ରାକ୍ସ ଭାବରେ ପଠାନ୍ତି। ଭାରତରୁ ସର୍ବାଧିକ ତୁଳସୀ ଆମଦାନୀ କରେ ବାଂଲାଦେଶ,ଯାହା ଭାରତୀୟ ଚାଷୀ ଏବଂ ବ୍ୟବସାୟୀଙ୍କୁ ଦେଇଥାଏ କୋଟି କୋଟି ଟଙ୍କାର ବାର୍ଷିକ ଲାଭ।