ନୂଆଦିଲ୍ଲୀ, ୨୨/୦୪: ଯୁଦ୍ଧ ଯୋଗୁ ମାର୍ଚ୍ଚ ମାସରେ ଦେଶର ମ୍ୟୁଚୁଆଲ ଫଣ୍ଡ ଶିଳ୍ପକୁ ଲାଗିଛି ନଗଦ ଝଟ୍‌କା । ଗୋଟିଏ ମାସରେ ନିବେଶକ ୨.୯ ଲକ୍ଷ କୋଟି ଟଙ୍କା ଉଠାଇ ନେଇଛନ୍ତି । ଗତ କିଛି ବର୍ଷ ମଧ୍ୟରେ କୌଣସି ମାସରେ ଏହା ସର୍ବାଧିକ ଉଠାଣ । ମ୍ୟୁଚୁଆଲ ଫଣ୍ଡ ଶିଳ୍ପରେ ନିବେଶକଙ୍କ ଆତ୍ମବିଶ୍ୱାସ ପ୍ରଭାବିତ ହେବା ଯୋଗୁ ଏଭଳି ସ୍ଥିତି ଉପୁଜିଛି । ଏସ୍‌ବିଆଇ କ୍ୟାପ ଡାଟା ମୁତାବକ, ଆର୍ଥିକ ବର୍ଷ ୨୬ରେ ଡେଟ୍‌ ମ୍ୟୁଚୁଆଲ ଫଣ୍ଡକୁ ପାଣ୍ଠି ଆସିବାରେ ସଙ୍କଟ ସ୍ଥିତି ଉପୁଜିଛି । ଏସବୁ ସ୍କିମ ଗୁଡ଼ିକରେ ପାଣ୍ଠି ଆସିବା ୮୪% ହ୍ରାସ ହୋଇ ୨୧୨ ବିଲିୟନ ରହିଛି । ଇକ୍ୱିଟି ଏବଂ ହାଇବ୍ରିଡ ସ୍କିମ ଗୁଡ଼ିକରେ ନିବେଶ ହୋଇଥିଲେ ମଧ୍ୟ ଶିଳ୍ପର ମୋଟ ଉଠାଣ ମାତ୍ରା ଅଧିକ ରହିଛି ।

ଆର୍ଥିକ ବର୍ଷ ୨୬ରେ ମ୍ୟୁଚୁଆଲ ଫଣ୍ଡରେ ନେଟ୍‌ ନିବେଶ ୯.୪% ହ୍ରାସ ହୋଇ ୭.୪ ଲକ୍ଷ କୋଟି ଟଙ୍କା ରହିଛି । ଡେଟ୍‌ ଭିତ୍ତିକ ଫଣ୍ଡ ଗୁଡ଼ିକରେ ନିବେଶ ୮୪% ହ୍ରାସ ହୋଇଥିବା ବେଳେ ଇକ୍ୱିଟି ଭିତ୍ତିକ ଫଣ୍ଡରେ ନିବେଶ ୧୬.୯% ହ୍ରାସ ହୋଇ ୩.୫ ଲକ୍ଷ କୋଟି ଟଙ୍କା ରହିଛି । ହାଇବ୍ରିଡ ଫଣ୍ଡ ଗୁଡ଼ିକରେ ନିବେଶ ୩୦% ବଢ଼ିଛି । ଚଳିତ ବର୍ଷ ଟଙ୍କା ମୂଲ୍ୟ ୧୧% ହ୍ରାସ ହେବା ମଧ୍ୟ ଶିଳ୍ପକୁ ପ୍ରଭାବିତ କରିଛି । ଟଙ୍କା ମୂଲ୍ୟକୁ ଦୃଢ଼ କରିବା ଦିଗରେ ରିଜର୍ଭ ବ୍ୟାଙ୍କ ପଦକ୍ଷେପ ଗ୍ରହଣ କରିଛି । ଏବେ ସୁଦ୍ଧା ସ୍ଥିତି ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ ହୋଇନି ।

ଆସୋସିଏସନ ଅଫ୍‌ ମ୍ୟୁଚୁଆଲ ଫଣ୍ଡ୍‌ସ ଇନ ଇଣ୍ଡିଆ (ଏଏମ୍‌ଏଫ୍‌ଆଇ) ମୁତାବକ, ଡେଟ୍‌ ସ୍କିମ ମଧ୍ୟରେ ଲିକ୍ୟୁଡ ଫଣ୍ଡ୍‌ରୁ ସର୍ବାଧିକ ନିବେଶ ଅର୍ଥ ଉଠାଣ ହୋଇଛି । ମାର୍ଚ୍ଚରେ ଏହି ସ୍କିମରୁ ୧.୩୫ ଲକ୍ଷ କୋଟି କାଢ଼ି ନେଇଛନ୍ତି ନିବେଶକ । ଡେଟ୍‌ ଫଣ୍ଡ ସ୍କିମ ମଧ୍ୟରେ ଓଭରନାଇଟ ଫଣ୍ଡ ସ୍କିମରୁ ୪୦,୨୨୭ କୋଟି, ମନି ମାର୍କେଟରୁ ୨୯,୨୦୭ କୋଟି ଏବଂ ସ୍ୱଳ୍ପ ଅବଧି ଫଣ୍ଡ ଗୁଡ଼ିକରୁ ୨୫, ୨୨୭ କୋଟି ଟଙ୍କା ଉଠାଣ ହୋଇଛି । ଇରାନ୍‌- ଆମେରିକା ଯୁଦ୍ଧ ସ୍ଥିତି ସ୍ୱାଭାବିକ ନହେଲେ ଆଗାମୀ ଦିନଗୁଡ଼ିକରେ ମଧ୍ୟ ନିବେଶକଙ୍କ ଭରସା ଦୃଢ଼ ହୋଇନପାରେ । ଫଳରେ ଉଭୟ ପୁଞ୍ଜିବଜାର ଏବଂ ମ୍ୟୁଚୁଆଲ ଫଣ୍ଡ ବଜାର ପ୍ରଭାବିତ ରହିବ ।

ଏହି ଖବରଟିକୁ ପଢନ୍ତୁ- ଆପଲ୍‌ର ନୂଆ ବସ୍ 'ଜନ୍ ଟେର୍ନସ୍': ଆଇଫୋନ୍‌ରୁ ଆଇପ୍ୟାଡ୍ ପର୍ଯ୍ୟନ୍ତ, ପ୍ରତିଟି ଗ୍ୟାଜେଟ୍ ପଛରେ ରହିଛି ଏହି ମାଷ୍ଟରମାଇଣ୍ଡଙ୍କ ହାତ !

୧.୬୮ ଲକ୍ଷ କୋଟି ପ୍ରତ୍ୟାହାର କଲେ ଏଫ୍‌ପିଆଇ

​​​​​​​ଗତ ୪ ମାସରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ) ମାନେ ଦେଶର ପୁଞ୍ଜି ବଜାରରୁ ୧.୬୮ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କଲେଣି । ଏହାର ଏକ ବଡ ଭାଗ ମାର୍ଚ୍ଚ ମାସରେ ପ୍ରତ୍ୟାହାର କରାଯାଇଛି । ମଧ୍ୟପ୍ରାଚ୍ୟ ଯୁଦ୍ଧ ଜନିତ ସଙ୍କଟ ସ୍ଥିତି ଯୋଗୁ ବିଦେଶୀ ନିବେଶକ ଏଭଳି ନୀତି ଆପଣାଇଛନ୍ତି । ଯୁଦ୍ଧ ଯୋଗୁ ଭାରତୀୟ ପୁଞ୍ଜି ବଜାର ଉପରେ ବଡ ପ୍ରଭାବ ପଡିଛି । ଚଳିତ ବର୍ଷ ସେନସେକ୍ସ ୭.୯% ଏବଂ ନିଫ୍ଟି ୬.୮% ହ୍ରାସ ହୋଇଛି । ବିଏସ୍‌ଇ ସୂଚୀଭୁକ୍ତ କମ୍ପାନି ଗୁଡ଼ିକର ବଜାର ମୂଲ୍ୟ ୧୦ ଲକ୍ଷ କୋଟିରୁ ଉଦ୍ଧ୍ୱ ହ୍ରାସ ହୋଇଛି ।