ଭୁବନେଶ୍ୱର,୨୦/୩ : ଏମିତିରେ ବି ନାଲି ଚା’ ସମସ୍ତଙ୍କ ପସନ୍ଦ । କିନ୍ତୁ ଏଠି ୟୁଟ୍ୟୁବ୍‌ରେ ରିଲିଜ୍‌ ହୋଇଥିବା ଓଡ଼ିଆ ୱେବ୍‌ସିରିଜ୍‌ "ନାଲି ଚା' ଏବେ ବିଶ୍ୱବ୍ୟାପୀ ଓଡ଼ିଆ ଦର୍ଶକଙ୍କ ମନ ଜିଣିବା ସହ ପ୍ରଶଂସା ସାଉଁଟି ଚାଲିଛି । ଯାହାକୁ ଓଡ଼ିଆ ସିନେପ୍ରେମୀ ବେଶ୍‌ ପସନ୍ଦ କରିଛନ୍ତି । ପୂର୍ବରୁ ଯେହେତୁ ସୋସିଆଲ୍‌ ମିଡିଆରେ ଏହାର ଜୋର୍‌ଦାର୍‌ ପ୍ରଚାର, ପ୍ରସାର ହେଉଥିଲା ଏବଂ ଟ୍ରେଲର୍‌ ଟ୍ରେଣ୍ଡ୍‌ରେ ଥିଲା, ତେଣୁ ରିଲିଜ୍‌ ଦିନଠାରୁ ଲୋକପ୍ରିୟତା ବଢ଼ିଚାଲିଛି । ଦି ନେକେଡ ଆଇ ପ୍ରଡକ୍ସନ୍‌ ତରଫରୁ ନିଛକ ଗାଁର କଥାକୁ ନେଇ ପ୍ରସ୍ତୁତ ଏହି ସିରିଜ୍‌ର କାହାଣୀ ସମସ୍ତଙ୍କ ମନକୁ ଛୁଇଁଛି । ଗାଁରେ କିଭଳି ସୋସିଆଲ୍‌ ମିଡିଆର ପ୍ରଭାବ ପଡ଼ୁଛି ତାକୁ ଏଥିରେ ସୁନ୍ଦର ଭାବେ ଚିତ୍ରିତ କରାଯାଇଛି । ଏହାର ନିର୍ଦ୍ଦେଶନା ଦେଇଛନ୍ତି ସ୍ନେହାଶିଷ ଦାସ । 

ବର୍ତ୍ତମାନ ସମୟରେ ଛୋଟ ପରଦାର ଚାହିଦାକୁ ଦୃଷ୍ଟିରେ ରଖି ପ୍ରଯୋଜନା ସଂସ୍ଥା ଏହିଭଳି ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି । ଯାହା ଆଗାମୀ ଦିନରେ ଟ୍ରେଣ୍ଡ୍‌ ସେଟର୍‌ ହେବ ଏବଂ ରେକର୍ଡ କରିବ ବୋଲି ନିର୍ଦ୍ଦେଶକ ଶ୍ରୀ ଦାସ ଆଶାବ୍ୟକ୍ତ କରିଛନ୍ତି । ସିରିଜ୍‌ରେ ପ୍ରମୁଖ ଭୂମିକାରେ ସୋମେଶ ମହାନ୍ତି, ଗାର୍ଗୀ ମହାନ୍ତି, ଅନୁଭା ସୌର୍ଯ୍ୟା, ଅଭିଷେକ ଗିରି, ଧରିତ୍ରୀ ଖଣ୍ଡୁଆଳ, ମମତା ତ୍ରିପାଠୀ, ପ୍ରସନ୍ନ ମଞ୍ଜିରୀ ଦାସ, ସୁନୀଲ ପଟ୍ଟନାୟକ, ହିମାଂଶୁ, ଆଶିଷ, ରାଜେଶ, ଭୋଜରାଜ, ଶ୍ରୁତି ଶୁଭଶ୍ରୀ, ପ୍ରଣବ ପ୍ରସନ୍ନ ରଥ ପ୍ରମୁଖ ଅଭିନୟ କରିଛନ୍ତି । 

ଡିଓପିରେ ଶ୍ରୀକାନ୍ତ ପଟ୍ଟନାୟକ, ସାଉଣ୍ଡ୍‌ରେ ପୀୟୂଷ ପ୍ରଧାନ, ଭିଜୁଆଲ୍‌ ଏଡିଟିଂରେ ରଶ୍ମି ରଞ୍ଜନ ଦାସ, ସହ ନିର୍ଦ୍ଦେଶନାରେ ସୁରଜ ମହାପାତ୍ର ରହିଥିବା ବେଳେ ମ୍ୟୁଜିକ୍‌ରେ ଶାନ୍ତନୁ ନାୟକ, ସଙ୍ଗୀତରେ ସନ୍ତୋଷ ନାୟକ ଏବଂ କଣ୍ଠଦାନ କରିଛନ୍ତି କୁଲଦୀପ ପଟ୍ଟନାୟକ । କ୍ରିଏଟିଭ୍‌ ପ୍ରଡ୍ୟୁସର ଭାବରେ ଦିବ୍ୟ ଜୀବନ ମହାପାତ୍ର ରହିଛନ୍ତି ।