ନବ ଦାସ ହତ୍ୟା ମାମଲା : ମାନସିକ ରୋଗ ପାଇଁ ୨୦୧୪ ଏବଂ ୨୦୧୫ରେ ଛୁଟି ନେଇଥିଲେ ଅଭିଯୁକ୍ତ ଗୋପାଳ

ଭୁବନେଶ୍ଵର, ୨୦/୦୩ : ଗୃହରେ ପୂର୍ବତନ ମନ୍ତ୍ରୀ ନବ ଦାସ ହତ୍ୟା ମାମଲା ତାତି। ନବ କିଶୋରଙ୍କ ହତ୍ୟା ଘଟଣାରେ ପୋଲିସ ଅପରାଧରେ ବ୍ୟବହୃତ କି ସାମଗ୍ରୀ ଜବତ କରିଛି, କେଉଁ ସାମଗ୍ରୀ ଜବତ ହୋଇପାରି ନାହିଁ, ଏହାର ପଛରେ କାହାର ଷଡ଼ଯନ୍ତ୍ର ରହିଛି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ସୁବାଶ ଚନ୍ଦ୍ର ପାଣିଗ୍ରାହୀ। ଅଭିଯୁକ୍ତ ଗୋପାଳ ଦାସଙ୍କ ଚାକିରି କାଳରେ ପୋଲିସ କର୍ତ୍ତୃପକ୍ଷଙ୍କ ନିକଟରେ ଦାଖଲ ହୋଇଥିବା ତାଙ୍କ ମାନସିକ ରୋଗ ସଂକ୍ରାନ୍ତ ବିବରଣୀ ଦେବାକୁ କହିଛନ୍ତି। ଯଦି କ୍ରାଇମବ୍ରାଞ୍ଚ ଷଡ଼ଯନ୍ତ୍ର ଉନ୍ମୋଚନ କରିନପାରେ ତେବେ ପରବର୍ତ୍ତୀ ପଦକ୍ଷେପ କଣ ହେବ ବୋଲି ସେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି।
ଏନେଇ ସ୍ଵରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିବୃତ୍ତି ରଖିଛନ୍ତି। ସେ କହିଛନ୍ତି ଯେ, କୌଣସି ତଥ୍ୟ ତଦନ୍ତ ପରିସରଭୁକ୍ତ ଥାଇ ନ୍ୟାୟାଳୟର ବିଚାରାଧିନ ଥିଲେ ଏବଂ ତଦନ୍ତର ପ୍ରକ୍ରିୟା ଓ ଅପରାଧର ଅଭିଯୋଜନ ବାଧାପ୍ରାପ୍ତ ହେବାର ଆଶଙ୍କା ଥିବାରୁ ଏହି ପ୍ରଶ୍ନର ଉତ୍ତର ଦେବା ଉଚିତ୍ ନୁହେଁ। ଝାରସୁଗୁଡ଼ା ଆରକ୍ଷୀ ଅଧୀକ୍ଷକଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ଗୋପାଳ କୃଷ୍ଣ ଦାସଙ୍କ ଚାକିରି କାଳରେ ସେ ୨୦୧୪ ଫେବୃଆରୀ ୩ ରୁ ଏପ୍ରିଲ ୪ ତାରିଖ ପର୍ଯ୍ୟନ୍ତ ଅନଧିକୃତ ଅନୁପସ୍ଥିତ ରହିଥିଲେ। ମାନସିକ ରୋଗ ପାଇଁ ଏମକେସିଜିରେ ଚିକିତ୍ସିତ ହେଉଥିବା ଉଚ୍ଚ କର୍ତ୍ତୃପକ୍ଷଙ୍କୁ କହିଥିଲେ। ଏସମ୍ବନ୍ଧୀୟ ସମସ୍ତ ଚିକିତ୍ସା କାଗଜପତ୍ର ପ୍ରଦାନ କରିଥିଲେ। ଏହି ଆଧାରରେ ତାଙ୍କୁ ଇ.ଏଲ୍ ଦେବା ସହ ତାଙ୍କୁ ପୁନର୍ବାର କର୍ତ୍ତବ୍ୟରେ ଯୋଗ ଦେବା ପାଇଁ ଅନୁମତି ଦିଆଯାଇଥିଲା।
ଏହାପରେ ସେ ୨୦୧୫ ଫେବୃଆରୀ ୨୦ ଅପରାହ୍ନରୁ ୮ ଦିନ ସି.ଏଲ୍ରେ ଯାଇଥିଲେ। ସେ ମାର୍ଚ୍ଚ ୧ ତାରିଖରେ କାର୍ଯ୍ୟରେ ଯୋଗ ଦେବାର ଥିଲା। ହେଲେ ଜୁନ୍ ୨୮ ତାରିଖରେ ଯୋଗ ଦେଇଥିଲେ। ମାନସିକ ରୋଗରେ ଚିକିତ୍ସିତ ହେଉଥିବା ଯୋଗୁଁ ୧୧୯ ଦିନର ଅନୁପସ୍ଥିତିକୁ ଶାରୀରିକ ଅସୁସ୍ଥତା ପାଇଁ ଇ.ଏଲ୍ ପ୍ରଦାନ କରାଯାଇଥିଲା। ଏହାପରେ ସେ ପୁନର୍ବାର କାର୍ଯ୍ୟରେ ଯୋଗ ଦେଇଥିଲେ।