ନବ ଦାସ ହତ୍ୟା ମାମଲା: ଗୋପାଳ ନିଆଁରେ ଘିଅ ଢାଳିଲା କିଏ? ନେତା, ଜନତା, ବ୍ୟବସାୟୀ ସବୁ ତଦନ୍ତ ଘେରରେ..

ଭୁବନେଶ୍ୱର/ଝାରସୁଗୁଡ଼ା, ୦୭/୦୨: ନବ ଦାସ ଥିଲେ ରାଜ୍ୟର ସ୍ୱାସ୍ଥ୍ୟ ମନ୍ତ୍ରୀ । ଗୋପାଳ ଦାସ ଥିଲା ଏକ ଫାଣ୍ଡିର ପୁଲିସ ଏଏସ୍ଆଇ । ଗୋପାଳ ଗୁଳିରେ ନବଙ୍କ ମୃତ୍ୟୁ ହେଲା । ଏହି ଜଘନ୍ୟ ଘଟଣାର ଅନେକ ପ୍ରତ୍ୟକ୍ଷଦର୍ଶୀ ମଧ୍ୟ ଅଛନ୍ତି ।
ଗୋପାଳ କୁଆଡ଼େ ଜେରାରେ କହୁଛି, ନବ ଦାସ ମନ୍ତ୍ରୀ ଥିଲେ । ଲୋକଙ୍କ ସୁଖ ଦୁଃଖର ସାଥୀ ହେବା କଥା । କିନ୍ତୁ ଲୋକେ ନିର୍ଯାତନା ପାଇଲେ । ତେଣୁ ମାରିଦେଲି । ତେବେ ନବ ଦାସଙ୍କ ଭଳି ରାଜ୍ୟର ପ୍ରଭାବଶାଳୀ ମନ୍ତ୍ରୀଙ୍କ ସମ୍ପର୍କରେ ଜଣେ ଫାଣ୍ଡି ଅଫିସରର ଏଭଳି ଧାରଣା ହେବା ପଛର ରହସ୍ୟ କ’ଣ? ଏହାକୁ ତଦନ୍ତର ମଞ୍ଜି କରି ତନାଘନା କରୁଛି କ୍ରାଇମବ୍ରାଞ୍ଚ ।
କେବଳ ତଦନ୍ତକାରୀ ଅଧିକାରୀ ନୁହଁନ୍ତି, ରାଜ୍ୟବାସୀଙ୍କର ମଧ୍ୟ ଧାରଣା ଯେ କୌଣସି କାରଣରୁ ଗୋପାଳ ମନରେ ନବଙ୍କ ପ୍ରତି ବିଦ୍ୱେଷ ହୋଇଥିଲା । ଏହା କିପରି ବିଦ୍ୱେଷ ଥିଲା ଯେ ହତ୍ୟା କରିବାକୁ ଗୋପାଳ ନିଷ୍ପତ୍ତି ନେଲା? ନା ତା ମନରେ ଜଳୁଥିବା ବହ୍ନିରେ କେହି ଘିଅ ଢାଳିଥିଲେ । ଏହାରି ଉପରେ ହିଁ କ୍ରାଇମବ୍ରାଞ୍ଚ ଫୋକସ୍ କରିଛି ।
ସବୁଠାରୁ ବଡ଼ କଥା, କୁହାଯାଉଛି ଜେରା ବେଳେ ଗୋପାଳର ହତ୍ୟା ଘଟଣା ପ୍ରତି ସାମାନ୍ୟତମ ଶୋଚନା ନଥିବା ଏବଂ ବିନ୍ଦାସ୍ ହାବଭାବ ଦେଖାଉଛି । ଜେରାରେ ଏ ପର୍ଯ୍ୟନ୍ତ ସେ କୌଣସି ପ୍ରକାର ପରସ୍ପର ବିରୋଧୀ ଉତ୍ତର ଦେଇନାହିଁ । ଗୋଟିଏ କଥା, ଲୋକେ ଅନେକ ନିର୍ଯାତନା ପାଉଛନ୍ତି, ମାରିଦେଲି ।ଇତି ମଧ୍ୟରେ କ୍ରାଇମବ୍ରାଞ୍ଚର ଚାରୋଟି ଟିମ୍ ଘଟଣା ସମ୍ପର୍କର ପୁଳା ପୁଳା ଦସ୍ତାବିଜ ସଂଗ୍ରହ କଲେଣି । କ୍ରାଇମବ୍ରାଞ୍ଚ ପକ୍ଷରୁ ନିର୍ଦ୍ଦିଷ୍ଟ ଭାବେ ସୂଚନା ଦିଆଯାଇ ନଥିଲେ ବି ଘଟଣାର ପ୍ରତିଟି ଦିଗକୁ ତଦନ୍ତ ପରିସରଭୁକ୍ତ କରାଯାଇଥିବା ଜଣାପଡ଼ିଛି ।
ବ୍ୟାବସାୟିକ (କୋଇଲା କିମ୍ବା ଅନ୍ୟାନ୍ୟ), ରାଜନୈତିକ, ବ୍ୟକ୍ତିଗତ ବିଦ୍ୱେଷ, ସୁପାରୀ, ଧାର୍ମିକ ଚିନ୍ତାଧାରାର ବଶବର୍ତ୍ତୀ, ମାନସିକ ଅସ୍ଥିରତା, କ୍ଷଣିକ ଉତ୍ତେଜନା ନା ନକରାତ୍ମକ ପ୍ରରୋଚନା? ଏହା ମଧ୍ୟରୁ କୌଣସି ନା କୌଣସି କାରଣ ତ ନିଶ୍ଚିତ ଥିବ ବୋଲି ଜନୈକ ଅବସରପ୍ରାପ୍ତ ପୁଲିସ ଅଫିସର ଜୋର୍ ଦେଇ କହିଛନ୍ତି । କିନ୍ତୁ ଗୋପାଳକୁ କ୍ରମାଗତ ଜେରା ସମୟରେ ମିଳୁଥିବା ତଥ୍ୟକୁ ବିଶ୍ଳେଷଣ କଲେ ଉପରୋକ୍ତ ସମସ୍ତ କାରଣ ମୂଲ୍ୟହୀନ ହୋଇପଡ଼ୁଥିବା ଜଣାପଡ଼ିଛି । ଗୋପାଳ କୌଣସି ନିର୍ଦ୍ଦିଷ୍ଟ ବିଦ୍ୱେଷ ଭାବ କଥା ବଖାଣୁନାହିଁ, ବରଂ ବାରମ୍ବାର କହୁଛି, ଏଭଳି ଲୋକଙ୍କ ପାଇଁ ଲୋକେ ଦୁଃଖ ପାଉଛନ୍ତି । ତେଣୁ ମୁଁ ଏଭଳି ନିଷ୍ପତ୍ତି ନେଲି ।
ଗୋପାଳର ଅପରାଧକୁ ସାବ୍ୟସ୍ତ କରିବାକୁ କ୍ରାଇମବ୍ରାଞ୍ଚ ବିଗତ ଦୁଇ ବର୍ଷ ମଧ୍ୟରେ ଗୋପାଳ ସହ ମିଳା ମିଶା କରୁଥିବା ଅନେକ ବ୍ୟକ୍ତିଙ୍କ ମୋବାଇଲ ଫୋନ୍ ସିଡିଆର(କଲ୍ ଡିଟେଲ୍ସ ରେକର୍ଡ) କାଢ଼ିଛି । ଅନେକ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଚାଲିଛି । ଅଞ୍ଚଳ ସହ ସମ୍ପର୍କ ଥିବା ବହୁ ପ୍ରଭାବୀ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ଯାଞ୍ଚ ହୋଇଛି ।
ଯେଉଁ ବ୍ୟକ୍ତିବିଶେଷ ଘଟଣା ପଛର କାହାଣୀକୁ (ସତ ହେଉ କି ମିଛ ହେଉ) ଜୋର୍ ଦେଇ ବର୍ଣ୍ଣନା କରୁଛନ୍ତି, ତୁରନ୍ତ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉଛି । କାଳେ ସେମାନଙ୍କ ମୋବାଇଲ ଫୋନ ହିଡିଆରରୁ କିଛି ତଥ୍ୟ ମିଳିପାରିବ । ବିଗତ ଦିନରେ ନବ ଦାସଙ୍କ ଘନିଷ୍ଠ ଥିବା ଅନେକ ବ୍ୟବସାୟୀଙ୍କ ସମ୍ପର୍କରେ ବିସ୍ତୃତ ତଥ୍ୟ ମଧ୍ୟ ହାସଲ କରୁଛି । ଟ୍ରାନ୍ସପୋର୍ଟ ବ୍ୟବସାୟ, କୋଇଲା କାରବାର, ହୋଟେଲ ଶିଳ୍ପ, ଟେଣ୍ଡର କାରବାର ସବୁ କିଛି ସହ ଜଡ଼ିତ ଥିବା ବ୍ୟକ୍ତି ଏବେ ସେମାନଙ୍କ ଅଜାଣତରେ ତଦନ୍ତ ଘେରରେ ରହିଛନ୍ତି । ଝାରସୁଗୁଡ଼ା ଓ ବ୍ରଜରାନଜନଗର ସହରରେ ଥିବା ଅନେକ ସିସିଟିଭିର ଫୁଟେଜକୁ ମଧ୍ୟ ଯାଞ୍ଚ କରାଯାଇଛି । ରାଜ୍ୟର ଏକ ହାଇ ପ୍ରୋଫାଇଲ ମର୍ଡରର ତଦନ୍ତରେ ସୂତା ଖିଅ ବି ଛାଡ଼ିବାକୁ ଅଫିସରମାନେ ପ୍ରସ୍ତୁତ ନାହାନ୍ତି । ଯାହାବି ତଥ୍ୟ ମିଳୁଛି ତାହାକୁ ସାର୍ବଜନୀନ କରାଯିବା ସମ୍ଭବ ନୁହେଁ ବୋଲି କୁହନ୍ତି ପୁରୁଖା ପୁଲିସ ଅଫିସର ।
ଉଲ୍ଲେଖଯୋଗ୍ୟ, ଗୋପାଳ ଘଟଣା ଘଟାଇବା ପୂର୍ବରୁ ଆକଳନ କରିଥିଲା ହତ୍ୟା ପରବର୍ତ୍ତୀ ଚିତ୍ର କ’ଣ ହେବ । ସେଥିପାଇଁ ସେ ନିଜକୁ ପ୍ରସ୍ତୁତ କରିଥିଲା । ପୁଲିସ ଅଫିସର ଭାବେ ସେ ଜାଣିଥିଲା ଗୁଳି ଫୁଟିବା ପରେ ଉପସ୍ଥିତ ପୁଲିସ କିମ୍ବା ଲୋକଙ୍କ ବ୍ୟବହାର ତା’ ପ୍ରତି କେମିତି ହେବ । ସେଥିପାଇଁ ଅନେକ କାଗଜରେ ବଡ଼ ବଡ଼ ନାଲି ଅକ୍ଷରରେ ଘଟଣାର ପ୍ରଚ୍ଛଦପଟ୍ଟରେ ଥିବା ଉଦ୍ଦେଶ୍ୟ ଲେଖି ପକେଟରେ ରଖିଥିଲା ଏବଂ ଧସ୍ତାଧସ୍ତି ସମୟରେ ‘ସରେଣ୍ଡର’ ‘ସରେଣ୍ଡର’ ଚିତ୍କାର କରିଥିଲା ।
ଇତି ମଧ୍ୟରେ ଏସସିବିର ବିଶେଷଜ୍ଞ ଡାକ୍ତରଙ୍କ ଟିମ ଦ୍ୱାରା ଅଭିଯୁକ୍ତର ମାନସିକ ସ୍ଥିତିର ଯାଞ୍ଚ କରାଯାଇଛି । ଦିଲ୍ଲୀ ସିଏଫଏସ୍ଏଲ୍ର ସହାୟତାରେ ଲେୟାର୍ଡ ଭଏସ ଆନାଲିସିସ(ଏଲ୍ଭିଏ) ଟେଷ୍ଟ ପରେ ଏବେ ବେଙ୍ଗାଲୁରୁ ନିମହାନ୍ସର ବରିଷ୍ଠ ବିଶେଷଜ୍ଞଙ୍କୁ ମଧ୍ୟ ମାନସିକ ସ୍ଥିତି ଯାଞ୍ଚ ପାଇଁ ନିୟୋଜିତ କରାଯାଉଛି ।
ଆଜି ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡର ଦ୍ୱିତୀୟ ଦିନରେ ଗୋପାଳକୁ ପୁଣିଥରେ ମାରାଥନ ଜେରା କରାଯାଇଛି । ସିନ ରିକ୍ରିଏସନ ଲାଗି କ୍ରାଇମବ୍ରାଞ୍ଚ ଯୋଜନା କରୁଛି ।
ଅପରପକ୍ଷରେ, ନବକିଶୋର ଦାସଙ୍କୁ ଗୁଳି କରି ହତ୍ୟା କରିବା ଘଟଣାର ସିବିଆଇ ତଦନ୍ତ ପ୍ରାର୍ଥନା କରି ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଏହି ହତ୍ୟା ଘଟଣାରେ କ୍ରାଇମ୍ବ୍ରାଞ୍ଚ୍ ତଦନ୍ତକୁ ନେଇ ଆବେଦନକାରୀ ସନ୍ଦେହ ପ୍ରକାଶ କରିବା ସହ ଏଥିରେ ଅନେକ ପ୍ରଭାବଶାଳୀ ଲୋକଙ୍କ ସଂପୃକ୍ତି ରହିଥିବାରୁ ସିବିଆଇ ତଦନ୍ତ ପାଇଁ ଅଦାଲତ ନିର୍ଦ୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି । ମାମଲାରେ କେନ୍ଦ୍ର ଗୃହ ମନ୍ତ୍ରାଳୟ, ରାଜ୍ୟ ମୁଖ୍ୟ ଶାସନସଚିବ, ଗୃହ ବିଭାଗ ବିଭାଗ ସଚିବ, ପୁଲିସ୍ ଡିଜି, ସିବିଆଇକୁ ପକ୍ଷଭୁକ୍ତ କରାଯାଇଛି ।