ନୂଆଦିଲ୍ଲୀ: ଆଜି ପୂର୍ବାହ୍ନରେ ନାଗପୁରରୁ କୋଲକାତା ଉଡ଼ାଣ ଭରିଥିବା ଏକ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିବା ପରେ ଏହା ରାୟପୁରରେ ଜରୁରୀ ଅବତରଣ କରିଥିଲା । ୧୮୭ ଯାତ୍ରୀ ଏବଂ ୬ କ୍ରୁ ସଦସ୍ୟ ଥିବା ବିମାନଟି ସ୍ବାମୀ ବିବେକାନନ୍ଦ ଏୟାରପୋର୍ଟରେ ଅବତରଣ କରିଥିଲା ବୋଲି ରାୟପୁର ଏସପି ସନ୍ତୋଷ ସିଂହ ସୂଚନା ଦେଇଛନ୍ତି । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ, ମଝି ଆକାଶରେ ଥିବା ବେଳେ ବିମାନରେ ବୋମା ଅଛି ବୋଲି ଜଣେ ଯାତ୍ରୀ କ୍ରୁ ସଦସ୍ୟଙ୍କୁ କହିଥିଲେ ।  ଏନେଇ ଏୟାର ଟ୍ରାଫିକ କଣ୍ଟ୍ରୋଲକୁ ସୂଚନା ଦେବା ସହ ବିମାନକୁ ରାୟପୁର ଏୟାରପୋର୍ଟକୁ ଡାଇଭର୍ଟ କରାଯାଇଥିଲା । 

ସେଠାରେ ଅବତରଣ କରିବା ପରେ ବିମାନଟିକୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା । ସବୁ ଯାତ୍ରୀଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ ସହ ସେମାନଙ୍କ ଲଗେଜ୍‌କୁ ଯାଞ୍ଚ କରାଯାଇଥିଲା । ଏହା ସହ ବୋମା ସନ୍ଧାନକାରୀ ଟିମ୍‌ ବିମାନରେ ବୋମା ଖୋଜାଖୋଜି କରିଥିଲେ । ଯାଞ୍ଚ ପରେ ବୋମା ଥିବା ଖବର ଗୁଜବ ବୋଲି ଜଣାପଡ଼ିଥିଲା । ତେବେ ଯେଉଁ ଯାତ୍ରୀ ବିମାନରେ ବୋମା ଥିବା ନେଇ କହିଥିଲେ ତାଙ୍କୁ ପୋଲିସ ଗିରଫ କରି ପଚରା ଉଚରା କରୁଛି । 

ସେପଟେ ବୋମା ନଥିବା ନେଇ ସ୍ପଷ୍ଟ ହୋଇଯିବା ପରେ ବିମାନଟି କୋଲକାତା ଅଭିମୁଖେ ଯାତ୍ରା କରିଛି । ଏହା ପୂର୍ବରୁ ଅକ୍ଟୋବର ୨୪ରେ କୋଲକାତାରୁ ବିଳାଶପୁର ଯାଉଥିବା ଆଲିଆନ୍ସ ଏୟାରର ଏକ ବିମାନକୁ ଧମକ ମିଳିଥିଲା । କିନ୍ତୁ ଯାଞ୍ଚ ପରେ ଏଥିରେ କୌଣସି ସତ୍ୟତା ନଥିବା ଜଣାପଡ଼ିଥିଲା । ତେବେ ଗତ କିଛି ଦିନ ହେଲା ବିଭିନ୍ନ ବିମାନକୁ ବୋମାରେ ଉଡ଼ାଇ ଦେବାକୁ ମିଳୁଛି । ଯଦିଓ ଧମକରେ କୌଣସି ସତ୍ୟତା ନାହିଁ କିନ୍ତୁ ଉଭୟ ଏୟାର ଲାଇନ ଏବଂ ଯାତ୍ରୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।