ମାଲକାନଗିରି,୨୪/୧୨ : ମାଲକାନଗିରି ଜିଲ୍ଲାରେ ଧାନ ମଣ୍ଡିର ଶୁଭାରମ୍ଭ ହୋଇଛି । ଇତି ମଧ୍ୟରେ ଜିଲ୍ଲାରେ ୪୭୭୭୦ଜଣ ଚାଷୀଙ୍କ ନାମ ବିଭିନ୍ନ ଲ୍ୟାମ୍ପସରେ ପଞ୍ଜିକରଣ ହୋଇସାରିଛି । ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟରେ ୮ଲକ୍ଷ ୬୬ହଜାର କୁଇଣ୍ଟାଲ ଧାନ କ୍ରୟ ନିମନ୍ତ ଟାର୍ଗେଟ ଅଛି । ବୁଧବାର ମାଲକାନଗିରି ଜିଲ୍ଲା ନିୟନ୍ତ୍ରିତ ବଜାର କମିଟି ପ୍ରାଙ୍ଗଣରେ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ ଧାନ ମଣ୍ଡିର ଶୁଭାରମ୍ଭ କରିଛନ୍ତି ।
ଚଳିତ ଖରିଫ ଋତୁରେ ରାଜ୍ୟରେ ଧାନ କିଣା ପ୍ରକ୍ରିୟା ଜାରି ରହିଛି । ଚାଷୀମାନେ ସେମାନଙ୍କ ପରିଶ୍ରମର ଫଳ ପାଇବେ। ଚାଷୀମାନେ ଧାନର ବର୍ଦ୍ଧିତ ମୂଲ୍ୟର ଲାଭପାଇବେ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିଛନ୍ତି । ଚଳିତ ୨୦୨୫-୨୬ଖରିଫ୍ ବର୍ଷ ପାଇଁ ଯୋଗ୍ୟ ବିବେଚିତ ହୋଇଥିବା ପଞ୍ଜିକୃତ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଏଫଏକ୍ୟୁ ମାନର ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୨୩୬୯ଟଙ୍କା ଉପରେ ଇନପୁଟ ସହାୟତା ଟଙ୍କା ସହ ସର୍ବ ମୋଟ ୩୧୦୦ଟଙ୍କା ରାଜ୍ୟ ସରକାର ଧାନର ଦରସ୍ଥିର କରିଛନ୍ତି ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସୁରୁଖୁରୁରେ ଧାନ କ୍ରୟ ପାଇଁ ସମସ୍ତ ବ୍ୟବସ୍ଥା କରାଯାଇଛି । ଚାଷୀମାନେ କିଭଳି ଉଚିତ୍ ମୂଲ୍ୟ ପାଇବେ ସେଥି ନିମନ୍ତେ ପ୍ରଶାସନ ଯତ୍ନବାନ ରହିଛି ବୋଲି ମଧ୍ଯ ଜିଲ୍ଲାପାଳ କହିଛନ୍ତି । ପଞ୍ଜିକୃତ ଚାଷୀମାନଙ୍କୁ ଆଗୁଆ ସୂଚନା ପ୍ରଦାନ ସହ ଟୋକନ ପ୍ରଦାନ କରାଯାଉଛି । ଚାଷୀମାନଙ୍କ ସୁବିଧା ନିମନ୍ତେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି ବୋଲି ଜିଲ୍ଲାପାଳ କହିଛନ୍ତି ।
ଜିଲ୍ଲାରେ ୬୮ଟି ମଣ୍ଡି ରହିଥିବାବେଳେ ୪୭୭୭୦ଜଣ ଚାଷୀ ପଞ୍ଜିକରଣ କରିଛନ୍ତି । ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଅଧିକ ଚାଷୀଙ୍କଠାରୁ ଧାନ ସଂଗ୍ରହ କରାଯିବ । ଜିଲ୍ଲାରେ ମଣ୍ଡି ନୋଡାଲ ଅଧିକାରୀ ଏବଂ ମଣ୍ଡି ସୁପରଭାଇଜିଂ ଅଧିକାରୀ ନିୟୋଜିତ ରହି ପ୍ରକ୍ରିୟା ଉପରେ ତୀକ୍ଷଣ ନଜର ରଖିଛନ୍ତି । ଏଥିସହ ସମସ୍ତ ମଣ୍ଡି ଗୁଡ଼ିକରେ ଚାଷୀମାନଙ୍କ ପାଇଁ ଆନୁଷଙ୍ଗିକ ବ୍ୟବସ୍ଥା କରାଯିବା ସହ ସିସିଟିଭି ଲଗାଯାଇଛି । ମଣ୍ଡି ଗୁଡ଼ିକରେ ସର୍ବନିମ୍ନ ସୁବିଧା ପ୍ରଦାନ କରାଯିବା ସହ ଚାଷୀମାନଙ୍କ ଆକାଉଣ୍ଟକୁ ୪୮ଘଣ୍ଟା ମଧ୍ୟରେ ସର୍ବନିମ୍ନ ସହାୟତା ରାଶି ପ୍ରଦାନ କରାଯାଉଛି । ଚାଷୀମାନଙ୍କୁ ଆଧାର ସଂଯୁକ୍ତ ଇ-କେୱାଇସି ଦେୟ ବ୍ୟବସ୍ଥା କରାଯାଇଛି । ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାର ଚାଷୀମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ଉପଯୋଗୀ ପଦକ୍ଷେପ ଗ୍ରହଣ କରିଛନ୍ତି । ଉପ ଜିଲ୍ଲାପାଳ ଅଶ୍ନି ଏ ଏଲଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ପରିଚାଳନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଡିଆରସିଏସ ଥିଓଫିଲ ଶବର, ଆରଏମସି ସଂପାଦକ ସଞ୍ଜୟ କୁମାର ଦାସ, ସାଂସଦ ପ୍ରତିନିଧି ସଞ୍ଜୟ ସରକାର ଓ ମାଲକାନଗିରି ବିଧାୟକ ପ୍ରତିନିଧି ନିହାର ରାୟ ଉପସ୍ଥିତ ଥିଲେ।