ନୂଆଦିଲ୍ଲୀ: ବିଶ୍ବର ସର୍ବୋଚ୍ଚ ପର୍ବତ ଶୃଙ୍ଗ ମାଉଣ୍ଟ ଏଭରେଷ୍ଟକୁ ଦେଖିବାକୁ ପ୍ରତିଟି ପ୍ରକୃତି ପ୍ରେମୀ ଇଛା ପ୍ରକାଶ କରିଥାନ୍ତି। ହିମାଳୟର ଦୃଶ୍ୟ ମଧ୍ୟ କୌଣସି ସ୍ବର୍ଗ ଠାରୁ କମ୍ ନୁହେଁ । ବିମାନ ଯାତ୍ରା କରିବା ସମୟରେ ଲୋକମାନେ ଏହାର ଫଟୋ ଆକାଶମାର୍ଗରୁ ମଧ୍ୟ ନେଇଥାନ୍ତି । କିନ୍ତୁ କେବେ ଆପଣ ଭାବିଛନ୍ତି କି ହିମାଳୟ ଏବଂ ମାଉଣ୍ଟ ଏଭରେଷ୍ଟ ମହାକାଶରୁ କେମିତି ଦେଖାଯାଏ ?

ଏକଥା ଆମେ ଏଥିପାଇଁ କହୁଛୁ , କାରଣ NASAର ମହାକାଶ ଯାତ୍ରୀ ଡନ୍ ପେଟିଟ୍ ତାଙ୍କର ଏକ୍ସ (X) ଆକାଉଣ୍ଟରେ ହିମାଳୟ ଏବଂ ମାଉଣ୍ଟ ଏଭରେଷ୍ଟର କିଛି ଆଶ୍ଚର୍ଯ୍ୟକର ଫଟୋ ସେୟାର କରିଛନ୍ତି, ଯେଉଁ ଫଟୋ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ଉତ୍ତୋଳନ କରାଯାଇଛି । ତେବେ ଡନ ପେଟିଟ୍ ମହାକାଶରୁ ତାଙ୍କର ଉଲ୍ଲେଖନୀୟ ଫଟୋ ପାଇଁ ବେସ୍ ଜଣାଶୁଣା। ଏହି ଫଟୋରେ ମାଉଣ୍ଟ ଏଭରେଷ୍ଟର ବରଫ ଆଚ୍ଛାଦିତ ଶିଖର ଦେଖାଯାଇଛି ଏବଂ ଏହାର ଚାରିପାଖରେ ବରଫ ଆଛାଦିତ ନେପାଳୀ ଭୂଖଣ୍ଡ ରହିଛି।

ଫଟୋ ସେୟାର କରି ସେ ଲେଖିଛନ୍ତି କି,"ହିମାଳୟ ପର୍ବତମାଳାକୁ ପରିକ୍ରମା କରୁଛି। ଏହି ଫଟୋରେ ମାଉଣ୍ଟ ଏଭରେଷ୍ଟ ଅଛି, ନେପାଳର ଅଧିକାଂଶ ଅଂଶ ମଧ୍ୟ ଦେଖାଯାଉଛି। ପେଟିଟ୍ ଅନ୍ୟ ଏକ ମନ୍ତବ୍ୟରେ କହିଛନ୍ତି ଯେ, ଫଟୋରେ ନେପାଳର ନିମ୍ନ ଅଂଚଳ ମେଘୁଆ ଦେଖାଯାଉଛି ଏବଂ ଭାରତ, ଚୀନ ଏହି ଫଟୋରେ ପରିସର ଉପରେ ଅଛି।" ଅନ୍ୟ ଜଣେ ବ୍ୟବହାରକାରୀ ଲେଖିଛନ୍ତି,"ଏହି ଫଟୋ ଆପଣଙ୍କୁ ଅନୁଭବ କରାଏ ଯେ ମହାକାଶକୁ ଯିବା ମାଉଣ୍ଟ ଏଭରେଷ୍ଟ ଚଢ଼ିବା ଅପେକ୍ଷା ବହୁତ ରୋମାଞ୍ଚକର ।

କିଛି ଦିନ ପୂର୍ବେ, ପେଟିଟ୍ ମହାକାଶରୁ ନିଆଯାଇଥିବା ମାଉଣ୍ଟ ଏଟନାର ଏକ ଫଟୋ ମଧ୍ୟ ସେୟାର କରିଥିଲେ। ଏହା ବିଶ୍ୱର ସବୁଠାରୁ ସକ୍ରିୟ ଜ୍ୱାଳାମୁଖୀ ମଧ୍ୟରୁ ଗୋଟିଏ, ଏଥିରୁ ଧୂଆଁ ବାହାରୁଛି ଏବଂ କକ୍ଷପଥରୁ ଦୃଶ୍ୟମାନ ହେଉଛି।