ନୂଆଦିଲ୍ଲୀ, ୧୫।୧: ମହାକାଶରୁ ପ୍ରଥମ ଥର ପାଇଁ ମେଡିକାଲ୍ ଇଭାକ୍ୟୁଏସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ୪ ଜଣ ମହାକାଶଚାରୀ ଏବେ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନରୁ ପୃଥିବୀ ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି । ଗୁରୁବାର ସୁଦ୍ଧା ସେମାନଙ୍କର ମହାକାଶଯାନ ପ୍ରଶାନ୍ତ ମହାସାଗରରେ ଅବତରଣ କରିବ ବୋଲି ଆଶା କରାଯାଉଛି । ଜଣେ ମହାକାଶଚାରୀଙ୍କ ଗୁରୁତର ଭାବେ ଅସୁସ୍ଥ ହୋଇପଡ଼ିଥିଲେ । ମହାକାଶରେ ତାଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ପୂରାପୁରି ଠିକ୍ କରିବା ସମ୍ଭବ ନଥିବାରୁ, ମିଶନକୁ ଅଧାରୁ ବନ୍ଦ କରାଯାଇଛି । ୪ ଜଣ ସଦସ୍ୟ ବିଶିଷ୍ଟ କ୍ରୁ ସଦସ୍ୟଙ୍କୁ ନିର୍ଦ୍ଧାରିତ ସମୟ ପୂର୍ବରୁ ପୃଥିବୀକୁ ଫେରାଇ ନିଆଯାଉଛି ବୋଲି ନାସା ସୂଚନା ଦେଇଛି ।
ନାସା କହିଛି ଯେ, ମିଶନରେ ଥିବା ଜଣେ ମହାକାଶଚାରୀଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଥିଲା । ମହାକାଶରେ ଡାକ୍ତରୀ ଦଳ ଥିଲେ ମଧ୍ୟ ସେଠାରେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇପାରିବେ ନାହିଁ । ତେଣୁ ମହାକାଶଚାରୀମାନେ ଏକ ସ୍ପେସଏକ୍ସ ମହାକାଶଯାନରେ ଫେରି ଆସୁଛନ୍ତି । ବୁଧବାର ସେମାନଙ୍କର ମହାକାଶଯାନ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରୁ ଅଲଗା ହୋଇ ପୃଥିବୀ ଆଡ଼କୁ ଯାତ୍ରା କରୁଛି । ଏହି କ୍ରୁ ଡ୍ରାଗନ୍ ମହାକାଶଯାନରେ ୨ ଜଣ ନାସା ମହାକାଶଚାରୀ, ଜଣେ ଜାପାନୀ ମହାକାଶଚାରୀ ଏବଂ ଜଣେ ରୁଷୀୟ ମହାକାଶଚାରୀ ଅଛନ୍ତି । ଅଧିକାରୀଙ୍କ କହିବାନୁସାରେ, ଜଣେ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟାବସ୍ଥା ହଠାତ୍ ଖରାପ ହୋଇଗଲା । ଯାହା ଫଳରେ ମିଶନକୁ ବାତିଲ କରିବାକୁ ପଡ଼ିଲା । ତେବେ ଅସୁସ୍ଥତା ବିଷୟରେ ଅଧିକ ସୂଚନା ଦିଆଯାଇନାହିଁ କିମ୍ବା ତାଙ୍କ ପରିଚୟ ସାର୍ବଜନିନ କରାଯାଇନାହିଁ ।
ଆଇଏସ୍ଏସ୍ର ୨୫ ବର୍ଷର ଇତିହାସରେ ଏହା ପ୍ରଥମ ଘଟଣା, ଯେଉଁଠାରେ ସ୍ୱାସ୍ଥ୍ୟଗତ ଜରୁରୀକାଳୀନ ପରିସ୍ଥିତି ଯୋଗୁଁ ଏକ ମିଶନକୁ ସମୟ ପୂର୍ବରୁ ବନ୍ଦ କରିବାକୁ ପଡ଼ିଛି । କହିରଖୁ କି, ଫେରୁଥିବା ମହାକାଶଚାରୀମାନେ କ୍ରୁ-୧୧ ମିଶନର ଅଂଶ । ସେମାନଙ୍କୁ ୨୦୨୫ ଅଗଷ୍ଟ ୧ରେ ପୃଥିବୀରୁ ଆଇଏସ୍ଏସ୍କୁ ପଠାଯାଇଥିଲା । କ୍ରୁ-୧୧ ମିଶନ ୬ ମାସ ପାଇଁ ଆଇଏସ୍ଏ ରହିବାକୁ ଲକ୍ଷ୍ୟ କରାଯାଇଥିଲା, ଅର୍ଥାତ୍ ସେମାନେ ୨୦୨୬ ଫେବୃଆରୀ ଶେଷ ଭାଗରେ ତାଙ୍କର ଯାତ୍ରା ଶେଷ କରିଥାନ୍ତେ ।