ଓ୍ବାଶିଂଟନ୍,୧୫।୧: ଆମେରିକାର ମହାକାଶ ସଂସ୍ଥା ନାସା ଏବଂ ସ୍ପେସଏକ୍ସର କ୍ରୁ-୧୧ ମିଶନର ଚାରି ମହାକାଶଚାରୀ ସଫଳତାର ସହ ପୃଥିବୀକୁ ଫେରି ଆସିଛନ୍ତି। ସ୍ପେସଏକ୍ସର ଡ୍ରାଗନ ମହାକାଶଯାନ ଭାରତୀୟ ସମୟ ଅନୁସାରେ ପ୍ରାୟ ଅପରାହ୍ନ ୨:୧୧ ସମୟରେ କାଲିଫର୍ନିଆର ସାନ ଡିଏଗୋ ଉପକୂଳରେ ପ୍ରଶାନ୍ତ ମହାସାଗରରେ ସ୍ପ୍ଲାସଡାଉନ୍ କରିଛି। ଏହି ମିଶନଟି ମୂଳ ଯୋଜନା ପୂର୍ବରୁ ସମାପ୍ତ ହୋଇଛି, କାରଣ ଜଣେ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିଲା।
ଫେରିଲେ କେଉଁ ମହାକାଶଚାରୀ ?
-ନାସାର ମହାକାଶଚାରୀ ଜେନା କାର୍ଡମ୍ୟାନ୍ (ମିସନ୍ କମାଣ୍ଡର) ଏବଂ ମାଇକ୍ ଫିଙ୍କ୍ (ପାଇଲଟ୍)।
-JAXA (ଜାପାନ ଏରୋସ୍ପେସ୍ ଏକ୍ସପ୍ଲୋରେସନ୍ ଏଜେନ୍ସି) ମହାକାଶଚାରୀ କିମିଆ ୟୁଇ।
- ରୋସକସମୋସ୍ (ରୁଷ)ର ମହାକାଶଚାରୀ କୋସ୍ମୋନଟ୍ ଓଲେଗା ପ୍ଲାଟୋନୋଭ୍।
ଏହି ଚାରି ଜଣ ମହାକାଶଚାରୀ ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ISS) ରେ ମୋଟ ୧୬୭ ଦିନ ବିତାଇବା ପରେ ଫେରି ଆସିଛନ୍ତି। ଏହି ମିଶନ ୨୦୨୫ ଅଗଷ୍ଟରେ ଆରମ୍ଭ ହୋଇଥିଲା। ଏହା ଜେନା କାର୍ଡମ୍ୟାନ୍ ଏବଂ ଓଲେଗ୍ ପ୍ଲାଟୋନୋଭଙ୍କ ପ୍ରଥମ ମହାକାଶ ଯାତ୍ରା ଥିଲା, ତେବେ ମାଇକ୍ ଫିଙ୍କ୍ ଏବଂ କିମିଆ ୟୁଇ ହେଉଛନ୍ତି ଅନୁଭବୀ ମହାକାଶଚାରୀ।
ନାସା ୮ ଜାନୁଆରୀ ୨୦୨୬ ରେ, ଘୋଷଣା କରିଥିଲା ଯେ, ଜଣେ କ୍ରୁ ସଦସ୍ୟଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଛି। ତେଣୁ ସ୍ପେସୱାକ୍ ରଦ୍ଦ କରି ଦିଆଯାଇଛି। ମିଶନକୁ ଗୋଟିଏ ମାସ ପୂର୍ବରୁ ଶେଷ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ନାସା କହିଛି, କ୍ରୁ ସଦସ୍ୟଙ୍କ ଅବସ୍ଥା ସ୍ଥିର ଅଛି ଏବଂ ଉନ୍ନତ ଚିକିତ୍ସା ପାଇଁ ପୃଥିବୀକୁ ଫେରିବା ଆବଶ୍ୟକ। ଡାକ୍ତରୀ ଗୋପନୀୟତା କାରଣରୁ ସମସ୍ୟା କିମ୍ବା କେଉଁ କ୍ରୁ ସଦସ୍ୟ ଏଥିରେ ପୀଡିତ ତା’ର ବିବରଣୀ ପ୍ରକାଶ କରାଯାଇ ନଥିଲା।
୧୪ ଜାନୁଆରୀ ସନ୍ଧ୍ୟାରେ ଡ୍ରାଗନ୍ ଯାନ ଆଇଏସ୍ଏସ୍ଠାରୁ ଅଲଗା ହୋଇଥିଲା। ରାତିରେ ଡି-ଅର୍ବିଟ୍ ବର୍ନ (ଧିମା ହେବାର ପକ୍ରିୟା)ପୁରା ହୋଇଥିଲା। ପାରାସୁଟ୍ର ସାହାଯ୍ୟରେ ଯାନ ସମୁଦ୍ରରେ ଅବତରଣ କରିଥିଲା। ରିକଭରି ସିପ୍ ଓ ନୌସେନା ଟିମ୍ ଏହି ଯାନକୁ ସୁରକ୍ଷିତ ଭାବରେ ମୁଖ୍ୟ ଡେକ୍ ନିକଟକୁ ଆଣିଥିଲେ। ମହାକାଶଚାରୀମାନେ ମହାକାଶଯାନରୁ ବାହାରି ଆସିଥିଲେ। ନାସା କହିଛି ଯେ ସମସ୍ତ ଚାରି ଜଣ କ୍ରୁ ସଦସ୍ୟଙ୍କୁ ଯାଞ୍ଚ ପାଇଁ ସ୍ଥାନୀୟ ହସ୍ପିଟାଲକୁ ନିଆଯିବ। ସେଠାରେ ରାତିସାରା ରହିବା ପରେ, ସେମାନେ ହ୍ୟୁଷ୍ଟନର ଜନସନ୍ ସ୍ପେସ୍ ସେଣ୍ଟରକୁ ଫେରିଯିବେ ଏବଂ ସେମାନଙ୍କ ପରିବାରଙ୍କୁ ଭେଟିବେ ଓ ପୋଷ୍ଟ –ଫ୍ଲାଇଟ୍ ରିହାବିଲିଟେସନ୍ ପକ୍ରିୟା ହେବ।