ନୂଆଦିଲ୍ଲୀ,୨୨/୦୩: ଜଣେ ଆତ୍ମଘୋଷିତ 'ଗଡମ୍ୟାନ୍' ଅଶୋକ ଖରାତଙ୍କୁ ନାସିକ୍ କ୍ରାଇମବ୍ରାଞ୍ଚ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି । ମହିଳାଙ୍କୁ ଡ୍ରଗ୍ସ ଦେଇ ଦୁଷ୍କର୍ମ କରିବା ଏବଂ ଅନ୍ୟ ଏକାଧିକ ମହିଳାଙ୍କୁ ଯୌନ ଶୋଷଣ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି । ନାସିକ୍ ଗଡମ୍ୟାନ୍ ବୋଲାଉଥିଲା କ୍ୟାପ୍ଟେନ୍ ଅଶୋକଙ୍କ ଫାଇଲ ଧିରେ ଧିରେ ଖୋଲୁଛି । ୫୦୦ କୋଟିର ସାମ୍ରାଜ୍ୟଠୁ ନେଇ ବଡ ବଡ଼ ଅଧିକାରୀଙ୍କ ସହ ତାଙ୍କର ସମ୍ପର୍କ ଥିବା ଖୁଲାସା ହୋଇଛି ।
ଆଇଏଏସ ଅଧିକାରୀଙ୍କ ସହ ସିକ୍ରେଟ୍ ମିଟିଂ- ମହାରାଷ୍ଟ୍ରର ନାସିକରୁ ଆରମ୍ଭ ହୋଇଥିବା ଠକ ବାବା ଅଶୋକ ଖରାତଙ୍କ ମାମଲା ଏବେ ରାଜ୍ୟର ସବୁଠାରୁ ବଡ଼ ଦୁର୍ନୀତି ପାଲଟିଛି । ଜଣେ ଅବସରପ୍ରାପ୍ତ ମର୍ଚ୍ଚାଣ୍ଟ ନେଭି କ୍ୟାପ୍ଟେନ, ଜଣେ ଜ୍ୟୋତିଷ ଏବଂ ଦିବ୍ୟ ଶକ୍ତିର ଆଧାର ବୋଲି ଦାବି କରୁଥିବା ୬୭ ବର୍ଷୀୟ ଅଶୋକ ଖରାତଙ୍କ ଅନ୍ଧକାର ଦୁନିଆ ପଦାରେ ପଡିଛି । SIT ତଦନ୍ତ ମାଧ୍ୟମରେ ଗୋଟିଏ ପରେ ଗୋଟିଏ ଗୁମରର ପର୍ଦ୍ଦାଫାସ ହୋଇଛି । ଏସଆଇଟି ମୁଖ୍ୟ ଏବଂ ବରିଷ୍ଠ IPS ଅଧିକାରୀ ତେଜସ୍ୱୀ ସତପୁଟେଙ୍କ ଦଳକୁ ସଫଳତା ମିଳିଛି । ପ୍ରାରମ୍ଭରେ ଜଣେ ମହିଳାଙ୍କ ଅଭିଯୋଗକୁ ଆଧାର କରି ଆରମ୍ଭ ହୋଇଥିବା ତଦନ୍ତ ଏବେ ଆଗକୁ ବଢୁଛି । ପୁଲିସ ଦ୍ୱାରା ଆଶ୍ୱସ୍ତ ହେବା ପରେ, ଆଉ ୩ ଜଣ ପୀଡିତା ମହିଳା ଖରାତଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଛନ୍ତି । ଯାହା ଖରାତଙ୍କ ନ୍ୟାୟିକ ଅସୁବିଧାକୁ ବଢାଇ ଦେଇଛି ।
୫୦୦ କୋଟିର ସାମ୍ରାଜ୍ୟ- ଯେତେବେଳେ SIT ଖରାତଙ୍କ ସମ୍ପୂର୍ଣ୍ଣ ସମ୍ପତ୍ତି ଯାଞ୍ଚ କଲା, ସେତେବେଳେ ଅଧିକାରୀମାନେ ତାଟକା ହୋଇଥିଲେ । ତଦନ୍ତରୁ ଜଣାପଡ଼ିଲା ଯେ ଖରାତଙ୍କ ନାମରେ ମୋଟ ୫୨ଟି ସମ୍ପତ୍ତି ପଞ୍ଜିକୃତ ହୋଇଛି । ଯେଉଁଥିରୁ ୧୧ଟି କେବଳ ତାଙ୍କ ନାମରେ ଅଛି । ଏହି ସମ୍ପତ୍ତିଗୁଡ଼ିକ ନାସିକ, ସିନ୍ନାର, ଗଙ୍ଗାପୁର ଏବଂ ଅହଲ୍ୟାନଗର (ଅହମ୍ମଦନଗର) ଜିଲ୍ଲାରେ ରହିଛି । ଏହି ଜମି ଏବଂ ପ୍ଲଟର ମୋଟ ମୂଲ୍ୟ ପ୍ରାୟ ୫୦୦ କୋଟି ହେବ । କିଛି ବରିଷ୍ଠ ଅଧିକାରୀଙ୍କ ସମ୍ପର୍କୀୟଙ୍କ ନାମ ସମେତ ଅନେକ ସମ୍ପତ୍ତି କାର୍ଡରେ ସନ୍ଦେହଜନକ ଏଣ୍ଟ୍ରି ମିଳିଛି । ଆୟକର ବିଭାଗ ଏବେ ଏହି ବେନାମୀ ସମ୍ପତ୍ତିଗୁଡ଼ିକର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବ । ଏହି ମାମଲାରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଖରାତଙ୍କ ଗିରଫଦାରୀର ମାତ୍ର ତିନି ଦିନ ପୂର୍ବରୁ, ରାଜ୍ୟ ଆଇଏଏସ ଅଧିକାରୀ ତାଙ୍କ ସହିତ ଶିରିଡିର ଏକ ପ୍ରମୁଖ ହୋଟେଲରେ ସାକ୍ଷାତ କରିଥିଲେ । ରିପୋର୍ଟ ଅନୁଯାୟୀ, ବିନୋଦ ନାମକ ଜଣେ ଘନିଷ୍ଠ ସହଯୋଗୀ ଏହି ବୈଠକ ପାଇଁ ତିନୋଟି ପୃଥକ ହୋଟେଲ ବୁକ୍ କରିଥିଲେ । ଖରାଟ ଗୋଟିଏ ହୋଟେଲରେ ରହିଥିଲେ, ଅଧିକାରୀମାନେ ଅନ୍ୟ ଏକ ହୋଟେଲରେ ରହିଥିଲେ ।
୫୮ ଅଶ୍ଲୀଳ ଭିଡିଓ - ପୁଲିସ୍ କହିବା ଅନୁଯାୟୀ, ଖରାତ ଜଣେ ୩୫ ବର୍ଷୀୟ ବିବାହିତ ମହିଳାଙ୍କୁ ରୀତିନୀତି ଏବଂ ଈଶ୍ୱରୀୟ ଶକ୍ତି ଥିବା ଦାବି କରି ବିଶ୍ୱାସ ହାସଲ କରିଥିଲେ । ତାଙ୍କୁ ନିୟନ୍ତ୍ରଣ କରିଥିଲେ । ତାଙ୍କ ଖାଦ୍ୟ ଏବଂ ପାନୀୟରେ ନିଶାଦ୍ରବ୍ୟ ନେଇ ବାରମ୍ବାର ଯୌନ ନିର୍ଯାତନା ଦେଇଥିଲେ । ଅଭିଯୁକ୍ତ ମହିଳାଙ୍କୁ ଧମକ ଦେଇ କହିଥିଲେ ଯଦି ସେ ପ୍ରତିରୋଧ କରନ୍ତି କିମ୍ବା କାହା ଆଗରେ କୁହନ୍ତି ତେବେ ତାଙ୍କ ସ୍ୱାମୀଙ୍କର କ୍ଷତି ହେବ । ତାଙ୍କ ଜୀବନ ବି ଚାଲି ଯାଇପାରେ ବୋଲି କହିଥିଲେ । ଖରାତଙ୍କ କାର୍ଯ୍ୟାଳୟରେ ପୁଲିସ୍ ଚଢାଉ କରି ୫୮ଟି ଅଶ୍ଲୀଳ ଭିଡିଓ କ୍ଲିପ୍ ଥିବା ପେନ୍ ଡ୍ରାଇଭ୍ ଜବତ କରିଥିଲା । ଏହି ଫୁଟେଜରେ କିଛି ହାଇପ୍ରୋଫାଇଲ ବ୍ୟକ୍ତିଙ୍କ ସମେତ ଏକାଧିକ ନାମ ଥିବା ସନ୍ଦେହ କରାଯାଉଛି ।
ଏହା ବି ପଢନ୍ତୁ...ସିଏମ୍ ହାତ ଦେଖାଉଥିଲେ, ମହିଳା ଅଧ୍ୟକ୍ଷା ପାଦ ଧୋଉଥିଲେ...ଦୁଷ୍କର୍ମ ଅଭିଯୋଗରେ ହାଇପ୍ରୋଫାଇଲ ଜ୍ୟୋତିଷ ଅଶୋକ ଗିରଫ
ପୁଲିସ ରଣନୀତି ଏବଂ SITର ପରବର୍ତ୍ତୀ ଆକ୍ସନ- ନାସିକ୍ କ୍ରାଇମ୍ ବ୍ରାଞ୍ଚ ଖରାତଙ୍କୁ ଧରିବା ପାଇଁ ଏକ ସର୍ଚ୍ଚ ଅପରେସନ୍ କରିଥିଲା । ଖରାତଙ୍କୁ ଧରିବାକୁ ଚୋରିର ମିଥ୍ୟା ରିପୋର୍ଟ ପ୍ରସାର କରିଥିଲା । SIT ଏବେ ପୁନେ ଏବଂ ବାଇକୁଲା (ମୁମ୍ବାଇ)ରେ ଅନ୍ୟ ଅନେକ ସନ୍ଦିଗ୍ଧ ବ୍ୟକ୍ତି (ପରବ ଏବଂ ଜାସୁଦ)ଙ୍କୁ ପଚରାଉଚରା କରୁଛି । ଜମି କାରବାର ପରିଚାଳନା କରୁଥିବା ତାଙ୍କ ଏଜେଣ୍ଟ ଦୀପକ ଲୋଣ୍ଡେ ଏବଂ ଅଫିସ୍ ବୟ ନୀରଜ ପୂର୍ବରୁ ପୁଲିସ ରାଡାରରେ ଅଛନ୍ତି ।