ନୂଆଦିଲ୍ଲୀ, ୨୦/୦୫ : ନାସିକର ଟିସିଏସ୍ ମାମଲାରେ ନୂଆ ଟ୍ଵିଷ୍ଟ। ଅଭିଯୁକ୍ତକୁ ଶରଣ ଦେବା ଅଭିଯୋଗରେ AIMIM ପାରିଷଦ ମତିନ ପଟେଲ ଓ ହନିଫ ଖାନଙ୍କ ଘର ଭାଙ୍ଗିବାକୁ ନେଇ ବମ୍ଵେ ହାଇକୋର୍ଟ କ୍ଷୁବ୍ଧ। ଏହି ମାମଲାରେ ଶୁଣାଣି କରି କୋର୍ଟ କହିଛନ୍ତି ଯେ, ଛତ୍ରପତି ସମ୍ଭାଜୀ ନଗର ନିଗମର ଏଭଳି କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ।ବୁଲଡୋଜର ସଂସ୍କୃତିକୁ ମହାରାଷ୍ଟ୍ରରେ ଲାଗୁ ଉଚିତ୍ ନୁହେଁ, ଏହା ଉତ୍ତର ପ୍ରଦେଶ କିମ୍ବା ବିହାର ନୁହେଁ। ଘର ନିର୍ମାଣ କରିବା ଏକ ସହଜ କାମ ନୁହେଁ। ସମସ୍ତେ ତୁମେ ଏବଂ ମୋ ପରି ସହଜରେ ଘର ତିଆରି କରିପାରିବେ ନାହିଁ। ତେବେ ଭଙ୍ଗାଯାଇଥିବା ଘର ବେଆଇନ ଥିଲା ବୋଲି ସିଏସଏମସି ସ୍ପଷ୍ଟୀକରଣ ରଖିଛି।
ସୂଚନାନୁଯାୟୀ, ମେ ୮ରେ ନାସିକ ଟିସିଏସ୍ ମାମଲାରେ ଅଭିଯୁକ୍ତ ନିଦା ଖାନକୁ ପୁଲିସ ହନିଫ ଖାନଙ୍କ ଘରୁ ଗିରଫ କରିଥିଲା। AIMIM କାଉନସିଲର ମତିନ ପଟେଲ ଏବଂ ସ୍ଥାନୀୟ ବାସିନ୍ଦା ହନିଫ ଖାନଙ୍କ ବିରୋଧରେ ନିଦା ଖାନଙ୍କୁ ଆଶ୍ରୟ ଦେବାର ଅଭିଯୋଗ ଆସିଥିଲା। ଏହି ଅଭିଯୋଗ ପରେ, ମତିନ ପଟେଲ ଏବଂ ହନିଫ ଖାନଙ୍କ ସମ୍ପତ୍ତି ଉପରେ ବୁଲଡୋଜର ଆକ୍ସନ ନିଆଯାଇଥିଲା। ଛତ୍ରପତି ସମ୍ଭାଜୀନଗର ମ୍ୟୁନିସିପାଲ କର୍ପୋରେସନ ମେ ୧୩ ତାରିଖରେ ମତିନ ଏବଂ ହନିଫ ଖାନଙ୍କ ଘର ବୁଲଡୋଜର ଲଗାଇ ଭାଙ୍ଗି ଦେଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ପରେ, AIMIM କାଉନସିଲର ମତିନ ପଟେଲ ଏବଂ ହନିଫ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଶୁଣାଣି ସମୟରେ, ହାଇକୋର୍ଟ ମ୍ୟୁନିସିପାଲ କର୍ପୋରେସନକୁ ଭର୍ତ୍ସନା କରିଥିଲେ।
ହନିଫ ଖାନ ହେଉଛନ୍ତି ଜଣେ ରାଜମିସ୍ତ୍ରୀ। ତାଙ୍କର କହିବା କଥା ସେ ଦୁଇ ମାସ ତଳେ ଛତ୍ରପତି ସମ୍ଭାଜୀ ନଗରର କୌସର ବାଗ ସ୍ଥିତ ୬୦୦ ବର୍ଗଫୁଟର ଏକ ଘର କିଣିଥିଲେ। ତାଙ୍କର ଜଣେ ସମ୍ପର୍କୀୟ ମତିନ ପଟେଲ ତାଙ୍କୁ ଏହି ଘର ବ୍ୟବହାର କରିବାକୁ ଅନୁମତି ମାଗିଥିଲେ। ଏହାପରେ ସେହି ଘରେ ନିଦା ଖାନଙ୍କୁ ଆଶ୍ରୟ ଦେଇଥିଲେ। ହନିଫ ତାଙ୍କର ସବୁ ଜମା ପୁଞ୍ଜି ଖର୍ଚ୍ଚ କରି ଏହି ଘର କିଣିଥିଲେ। ଘରର ମାଲିକାନା କାଗଜପତ୍ର ମଧ୍ୟ ତାଙ୍କ ନାମରେ ଅଛି। ସେ ଏବଂ ତାଙ୍କ ଭିଣୋଇ ମିଶି ୨୭ ଲକ୍ଷ ଟଙ୍କା ଦେଇ ଏହି ଘର କିଣିଥିଲେ। ମାର୍ଚ୍ଚ ୧୨ ତାରିଖରେ ଘରର ରେଜିଷ୍ଟ୍ରୀ ହୋଇଥିଲା। ଟିସିଏସର ନାସିକ୍ କାର୍ଯ୍ୟାଳୟରେ ଧର୍ମାନ୍ତରୀକରଣ ଉଦ୍ୟମ ଅଭିଯୋଗରେ ଅଭିଯୁକ୍ତ କର୍ମଚାରୀ ନିଦା ଖାନଙ୍କୁ ପୁଲିସ ଖୋଜୁଥିବା ସମୟରେ ସେ ହନିଫ୍ ଖାନଙ୍କ ଘରେ ଶରଣ ନେଇଥିଲେ। ମେ ୮ରେ ପୁଲିସ ନିଦା ଖାନଙ୍କୁ ଗିରଫ କରିଥିଲା। ଗୋଟିଏ ଦିନ ପରେ, ନଗର ନିଗମ ଏକ ନୋଟିସ ପଠାଇଥିଲା। ନିଦା ଖାନ ରହୁଥିବା ଘର ବେଆଇନ ବୋଲି ଦର୍ଶାଇଥିଲା। ହେଲେ ହନିଫ୍ ଖାନଙ୍କ ଅଭିଯୋଗ ଅନୁଯାୟୀ, ନଗର ନିଗମ ଅନ୍ୟ ଜଣଙ୍କ ନାଁରେ ନୋଟିସ୍ ଜାରି କରିଥିଲା। ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ବେଞ୍ଚ AIMIM କାଉନସିଲର ମତିନ ପଟେଲଙ୍କ ଆବେଦନ ସହିତ ତାଙ୍କ ଆବେଦନର ଶୁଣାଣି କରି CSMCକୁ କଡ଼ା ଭର୍ତ୍ସନା କରିଛନ୍ତି। ଏବେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁନ୍ ୧୫ ରେ ହେବ।..
ଏହି ଖବରଟିକୁ ପଢନ୍ତୁ- Loco Pilot : ଟ୍ରେନ୍ ଚାଳକଙ୍କୁ କାହିଁକି କୁହାଯାଏ ଲୋକୋ-ପାଇଲଟ୍ ? ଜାଣନ୍ତୁ କାରଣ...