ନୂଆଦିଲ୍ଲୀ,୨୦/୧୧: ସ୍ୱଦେଶ ଫେରିଲେ ୧୨୫ ଜଣ ଭାରତୀୟ ନାଗରିକ। ଥାଇଲ୍ୟାଣ୍ଡର ମାଏ ସୋତ୍ରେ ଫସି ରହିଥିବା ୧୨୫ ଜଣ ଭାରତୀୟ ନାଗରିକଙ୍କୁ ବୁଧବାର ଏକ ସ୍ୱତନ୍ତ୍ର ଭାରତୀୟ ବାୟୁସେନା ବିମାନ ଯୋଗେ ସ୍ୱଦେଶ ଅଣାଯାଇଛି। ବ୍ୟାଙ୍କକ୍ ସ୍ଥିତ ଭାରତୀୟ ଦୂତାବାସ କହିଛି ଯେ, ଏହି ସମସ୍ତ ଲୋକ କୌଣସି ପ୍ରକାରେ ମିଆଁମାରର କୁଖ୍ୟାତ ମାୟାୱାଡି ସାଇବର ଠକେଇ କେନ୍ଦ୍ରରୁ ଖସି ଆସି ଥାଇଲ୍ୟାଣ୍ଡରେ ପହଞ୍ଚିଥିଲେ। ଯେଉଁଠାରେ ସ୍ଥାନୀୟ କର୍ତ୍ତୃପକ୍ଷ ସେମାନଙ୍କୁ ଅଟକ ରଖି ଜରିମାନା କରିଥିଲେ ଏବଂ ଅନେକ ଜିନିଷ ଜବତ କରିଥିଲେ।
ଦୂତାବାସ ଅନୁଯାୟୀ, ଦକ୍ଷିଣ-ପୂର୍ବ ଏସିଆରେ କାର୍ଯ୍ୟ କରୁଥିବା ଠକେଇ କେନ୍ଦ୍ରଗୁଡ଼ିକରେ ଫସି ରହିଥିବା ଭାରତୀୟମାନଙ୍କୁ ସୁରକ୍ଷିତ ଆଣିବା ଭାରତ ସରକାରଙ୍କ ପାଇଁ ଏକ ସର୍ବୋଚ୍ଚ ପ୍ରାଥମିକତା ଅଟେ। ଏହି ମିଶନର ଏକ ଅଂଶ ଭାବରେ ବ୍ୟାଙ୍କକରେ ଥିବା ଭାରତୀୟ ଦୂତାବାସ ଏବଂ ଚିଆଙ୍ଗ ମାଇରେ ଥିବା ଭାରତୀୟ ବାଣିଜ୍ୟ ଦୂତାବାସ ଥାଇ ପ୍ରଶାସନ, ଟାକ୍ ପ୍ରାଦେଶିକ ଏଜେନ୍ସି ଏବଂ ସୁରକ୍ଷା ବିଭାଗ ସହିତ ସମନ୍ୱୟ ରଖି ନିରନ୍ତର ଉଦ୍ଧାର କାର୍ଯ୍ୟ ଚଳାଇଥିଲେ।ଦୂତାବାସ ମଧ୍ୟ ଏକ୍ସରେ ପୋଷ୍ଟ କରିଛି, ଯେଉଁଥିରେ ଭାରତୀୟ ନାଗରିକମାନଙ୍କୁ ବିଦେଶରେ ଚାକିରି ପାଇଁ ଠକେଇ ପ୍ରସ୍ତାବର ଶିକାର ନ ହେବାକୁ ଚେତାବନୀ ଦିଆଯାଇଛି। ପୋଷ୍ଟରେ ସ୍ପଷ୍ଟ ଭାବରେ ଉଲ୍ଲେଖ କରାଯାଇଛି ଯେ ବିଦେଶରେ ଚାକିରି ଗ୍ରହଣ କରିବା ପୂର୍ବରୁ ନିଯୁକ୍ତିଦାତା ଏବଂ ନିଯୁକ୍ତି ସଂସ୍ଥାଗୁଡ଼ିକର ପ୍ରମାଣପତ୍ର ଏବଂ ଟ୍ରାକ୍ ରେକର୍ଡ ଯାଞ୍ଚ କରିବା ଜରୁରୀ। ତେବେ ଭାରତୀୟ ପାସପୋର୍ଟ ଧାରକଙ୍କ ପାଇଁ ଥାଇଲ୍ୟାଣ୍ଡରେ ଭିସା-ମୁକ୍ତ ପ୍ରବେଶ କେବଳ ପର୍ଯ୍ୟଟନ ଏବଂ କ୍ଷଣସ୍ଥାୟୀ ବ୍ୟବସାୟିକ ଉଦ୍ଦେଶ୍ୟରେ, ନିଯୁକ୍ତି ଖୋଜିବା ପାଇଁ ନୁହେଁ।
ପ୍ରକାଶ ଥାଉକି, ଗୋଟିଏ ଦିନ ପୂର୍ବରୁ, ମାଏ ସୋଟରୁ ୧୧ ଜଣ ମହିଳା ସମେତ ୨୬୯ ଜଣ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଅଣାଯାଇଥିଲା। ଏହି ଅଭିଯାନରେ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନ ମଧ୍ୟ ନିୟୋଜିତ କରାଯାଇଥିଲା। ଦୂତାବାସ ଅନୁଯାୟୀ, ମିଆଁମାରର ମାୟାୱାଡିରେ ସମ୍ପ୍ରତି ଠକେଇ କେନ୍ଦ୍ରଗୁଡ଼ିକ ଉପରେ ଚଢାଉ ପରେ ମୁକ୍ତ ହୋଇଥିବା ଅନେକ ଭାରତୀୟଙ୍କୁ ସୁରକ୍ଷିତ ଭାବରେ ବାହାର କରିବା ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଥିଲା।ଗତ ସପ୍ତାହରେ, ଦୁଇଟି ସ୍ୱତନ୍ତ୍ର ବିମାନରେ ୧୯୭ ଜଣ ଭାରତୀୟ ନାଗରିକ ଭାରତ ଫେରି ଆସିଥିଲେ। ଏପର୍ଯ୍ୟନ୍ତ, ପ୍ରାୟ ୧୫୦୦ ଭାରତୀୟଙ୍କୁ ଏହି ବିପଦପୂର୍ଣ୍ଣ ଠକେଇ କେନ୍ଦ୍ରଗୁଡ଼ିକରୁ ଉଦ୍ଧାର କରାଯାଇଛି, ଯେଉଁଠାରେ ସେମାନଙ୍କୁ ପ୍ରତାରଣାମୂଳକ ଅନଲାଇନ୍ ଚାକିରି ଆଳରେ କାମ କରିବାକୁ ବାଧ୍ୟ କରାଯାଇଥିଲା। ଭାରତୀୟ ଦୂତାବାସ ସୂଚନା ଦେଇଛି ଯେ, ଥାଇ ପ୍ରଧାନମନ୍ତ୍ରୀ ଅନୁତିନ ଚାର୍ଣ୍ଣଭିରାକୁଲ ନିଜେ ମାଏ ସୋଟ ଗସ୍ତ କରି ଅପରେସନ୍ ତଦାରଖ କରିଛନ୍ତି।