ନୂଆଦିଲ୍ଲୀ,୩୦/୦୪: ପହଲଗାମ ଆତଙ୍କୀ ଆକ୍ରମଣ ପରେ ଆକ୍ସନ୍ ମୋଡରେ ରହିଛି ଭାରତ । ଯେକୌଣସି ମୁହୂର୍ତ୍ତରେ ପାକିସ୍ତାନ ବିରୋଧରେ ବଡ଼ ନିଷ୍ପତ୍ତି ନେଇ ପାରନ୍ତି କେନ୍ଦ୍ର ସରକାର । ଭାରତ-ପାକିସ୍ତାନ ଉପରେ ଆକ୍ରମଣ କରିବା ନେଇ ଯୋଜନା ପ୍ରସ୍ତୁତ ହେଉଛି । କେବଳ ଘୋଷଣାକୁ ଅପେକ୍ଷା । ଏହାରି ଭିତରେ ସୁରକ୍ଷା ପରାମର୍ଶଦାତା ବୋର୍ଡର ପୁନର୍ଗଠନ ହୋଇଛି । ପୂର୍ବତନ ରଏବଂଏଡବ୍ଲ୍ୟୁ ମୁଖ୍ୟ ଆଲୋକ ଯୋଶୀ ନୂଆ ଅଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି ।

ସୁରକ୍ଷା ସହ ଜଡ଼ିତ ୭ ପ୍ରମୁଖ ଅବସରପ୍ରାପ୍ତ ଅଧିକାରୀଙ୍କୁ ନେଇ କମିଟି ଗଠନ ହୋଇଛି । ଏଥିରେ ପୂର୍ବତନ ୱେଷ୍ଟର୍ଣ୍ଣ କମାଣ୍ଡର ଏୟାର ମାର୍ଶଲ ପିଏମ୍ ସିହ୍ନା  ରହିଛନ୍ତି । ସେହିପରି ପୂର୍ବତନ ଆର୍ମି କମାଣ୍ଡର ଲେପ୍ଟନାଣ୍ଟ ଜେନେରଲ ଏକେ ସିଂ ମଧ୍ୟ କମିଟିରେ ରହିଛନ୍ତି । ଅବସରପ୍ରାପ୍ତ ଆଡମିରାଲ ମଣ୍ଟି ଖାନ୍ନା ମଧ୍ୟ ନୂଆ କମିଟିରେ ସ୍ଥାନିତ ହୋଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ଆଇପିଏସ ରାଜୀବ ରଞ୍ଜନ ବର୍ମା ଓ ମନମୋହନ ସିଂ ରହିଛନ୍ତି । ସେହିପରି ୭ ଜଣିଆ ପୁରର୍ଗଠନ ବୋର୍ଡରେ ଆଇଏଫଏସ ବି ଭେଙ୍କଟେଶ ବର୍ମା ମଧ୍ୟ ରହିଛନ୍ତି ।

NSAB କଣ କାମ କରେ? ଏନଏସଏବି ଏକ ମଲ୍ଟିଡିସିପ୍ଲିନାରୀ ବୋର୍ଡ । ଯେଉଁଥିରେ ସରକାରରେ ନଥିବା ପ୍ରତିଷ୍ଠିତ ବ୍ୟକ୍ତି ସାମିଲ ହୋଇଥାନ୍ତି । ଏହା ମୁଖ୍ୟ କାର୍ଯ୍ୟ ରାଷ୍ଟ୍ରୀୟ ସୁରକ୍ଷା ପରିଷଦକୁ ଦୀର୍ଘକାଳୀନ ବିଶ୍ଲେଷଣ ପ୍ରଦାନ କରିବା । ସେମାନଙ୍କ ଦ୍ୱାରା ଉଠାଯାଇଥିବା ମୁଦ୍ଦା ଉପରେ ସମାଧାନ ଏବଂ ତାହା ସହିତ ଜଡିତ ଅଲଗା ଅଲଗା ପ୍ଲାନ ନେଇ ପରାମର୍ଶ ଦେବା । ୨୦୧୮ ପରେ ଏହାକୁ ପରିବର୍ତ୍ତନ କରାଯାଇଛି । ଆଇପିଏସ ଓ ଆଇଏଫଏସ ପୃଷ୍ଠଭୂମି ସହ ଜଡିତ ସଦସ୍ୟଙ୍କୁ ସାମିଲ କରାଯାଇଛି ।

ଅନ୍ୟପଟେ ପହଲଗାମ ପ୍ରତିଶୋଧ ନେବାକୁ ଜୋରଦାର ପ୍ରସ୍ତୁତି କରୁଛି ଭାରତ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧକ୍ଷତାରେ ତୁହାକୁ ତୁହା ବୈଠକ ବସିଛି । ବ୍ୟାକ୍‌ଟୁ ବ୍ୟାକ ମିଟିଂ ହୋଇଛି । ଆଜି ପାକିସ୍ତାନ ବିରୋଧରେ ବଡ଼ ନିଷ୍ପତ୍ତି ଆସିପାରେ । ସେପଟେ ପାକିସ୍ତାନ ସୀମାରେ ଆଣ୍ଟି ଡ୍ରୋନ୍ ମୁତୟନ କରାଯିବାକୁ ନିଷ୍ପତ୍ତି ହୋଇଛି ।  ଆଣ୍ଟି ଡ୍ରୋନ୍ ମୁତୟନ ନେଇ ପଞ୍ଜାବ ସରକାର ଘୋଷଣା କରିଛନ୍ତି । ପାକିସ୍ତାନ ପଟୁ ଅସ୍ତ୍ରଶସ୍ତ୍ର ଓ ଡ୍ରଗ୍ସ ଚାଲାଣ ବନ୍ଦ ପାଇଁ ଏହି ପଦକ୍ଷେପ ନିଆଯାଇଛି । ପାକିସ୍ତାନୀ ଡ୍ରୋନ୍ ଦେଖିଲା ମାତ୍ରେ ଗୁଳିମାଡ କରିବାକୁ ନିର୍ଦ୍ଦେଶ ହୋଇଛି ।