ନୂଆଦିଲ୍ଲୀ, ୨୦/୦୩ : କଡ଼ ଲେଉଟାଉଛି ପାଗ। ପାଣିପାଗ ବିଭାଗର ବଡ଼ ଆଲର୍ଟ। ଅଧା ଦେଶରେ ତାଣ୍ଡବ ରଚିବ ଅଦିନିଆ ବର୍ଷା। ୧୯ ରାଜ୍ୟରେ ରୌଦ୍ର ରୂପ ଦେଖାଇବ କାଳବୈଶାଖୀ। ଉଜୁଡ଼ିଯିବ ଫସଲ, ଚାଷୀଙ୍କ ମୁଣ୍ଡରେ ଚଡ଼କ। ପଶ୍ଚିମା ଝଡ଼ ପ୍ରଭାବରେ ଉତ୍ତର ଭାରତରେ ଜଳବାୟୁରେ ବଡ଼ ପରିବର୍ତ୍ତନ ହୋଇଛି। ଦିଲ୍ଲୀ-ଏନସିଆର ସମେତ ବହୁ ଅଞ୍ଚଳରେ ପ୍ରବଳ ପବନ ଏବଂ ବର୍ଷା ହୋଇଛି। ସେହିପରି ପାହାଡ଼ି ରାଜ୍ୟଗୁଡ଼ିକରେ ପ୍ରବଳ ତୁଷାରପାତ ଜାରି ରହିଛି। ମାର୍ଚ୍ଚ ୨୦ ରୁ ୟୁପି, ବିହାର, ଦିଲ୍ଲୀ ଠାରୁ ନେଇ କାଶ୍ମୀର ଯାଏଁ ପାଗ ଆହୁରି କରାପ ରହିବ ବୋଲି ଆଇଏମଡି ସତର୍କ ସୂଚନା ଜାରି କରିଛି।
ରାଜଧାନୀରେ ଶୁକ୍ରବାର ସକାଳୁ ପାଗ ଖରାପ ଅଛି। ଦିଲ୍ଲୀରେ ଆଜି ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ତାପମାତ୍ରା ୨୬ ଡିଗ୍ରୀରୁ ୨୮ ଡିଗ୍ରୀ ଭିତରେ ରହିବା ନେଇ ଆକଳନ କରାଯାଉଛି। ଝଡ଼ବର୍ଷା ପ୍ରଭାବରେ ୩୦ ରୁ ୪୦ କିମି ବେଗରେ ପବନ ବହିବାର ଅନୁମାନ କରାଯାଉଛି। ଉତ୍ତର ପ୍ରଦେଶ ଏବଂ ପଞ୍ଜାବର ଅନେକ ସ୍ଥାନରେ କୁଆପଥର ବର୍ଷା ସତର୍କତା ଜାରି କରାଯାଇଛି। ଏହି ଅଞ୍ଚଳଗୁଡ଼ିକ ଘଣ୍ଟାପ୍ରତି ୫୦ ରୁ ୬୦ କିଲୋମିଟର ବେଗରେ ପବନ ବହିବା ସହିତ ଧୂଳିଝଡ଼ ଏବଂ ବଜ୍ରପାତର ସମ୍ଭାବନା ଅଧିକ ରହିଛି। ଯାହା ରବି ଫସଲକୁ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି।
ସେପଟେ ପାହାଡ଼ି ରାଜ୍ୟରେ ପ୍ରବଳ ଥଣ୍ଡା ପଡ଼ିଛି। ଜାମ୍ମୁ କାଶ୍ମୀରର ଗୁଲମାର୍ଗ ଏବଂ ସୋନମାର୍ଗରେ ପ୍ରବଳ ତୁଷାରପାତ ହେଉଛି। ହିମାଚଳ ପ୍ରଦେଶର ଲାହୌଲସ୍ପିତି, ରୋହତାଙ୍ଗ ଏବଂ କୁଲ୍ଲୁରେ ତୁଷାରପାତ ଯୋଗୁଁ ତାପମାତ୍ରା ୩ ରୁ ୫ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ବିହାରରେ ଆଜିଠୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏହି ସମୟରେ ୫୦ ରୁ ୬୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଛତିଶଗଡ଼ରେ ଝଡ଼ବର୍ଷା ନେଇ ଆଲର୍ଟ ଜାରି କରାଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ହିମାଚଳ ପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ବର୍ଷା ସହ ତୁଷାରପାତ ହେବାର ସମ୍ଭାବନା ରହିଛି। ଜାମ୍ମୁକାଶ୍ମୀର, ଲଦ୍ଦାଖ, ମୁଜଫରାବାଦ ଏବଂ ଗିଲଗିତ ବାଲ୍ଟିସ୍ତାନରେ ଛିଟପୁଟରେ ବର୍ଷା ସହ ତୁଷାରପାତ ହେବାର ସମ୍ଭାବନା ରହିଛି।
ଉତ୍ତର-ପୂର୍ବ ଭାରତର ତାମିଲନାଡୁ, କେରଳ ଏବଂ ଦକ୍ଷିଣ ଆଭ୍ୟନ୍ତରୀଣ କର୍ଣ୍ଣାଟକର ଅନେକ ସ୍ଥାନରେ ବର୍ଷା ଏବଂ ଝଡ଼ବର୍ଷା ହେବାର ସମ୍ଭାବନା ଅଛି। ପଞ୍ଜାବ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଏବଂ ପଶ୍ଚିମ ଉତ୍ତର ପ୍ରଦେଶରେ ଧୂଳିଝଡ଼ ସହିତ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ।ଗୁଜରାଟ, ଦକ୍ଷିଣ ଛତିଶଗଡ଼, ଓଡ଼ିଶା, ବିଦର୍ଭ, ମଧ୍ୟ ମହାରାଷ୍ଟ୍ର, ମରାଟୱାଡା ଏବଂ ଦକ୍ଷିଣ ଉପକୂଳ କର୍ଣ୍ଣାଟକରେ ପୃଥକ ପୃଥକ ସ୍ଥାନରେ ବର୍ଷା ହେବ। ୨୦ ମାର୍ଚ୍ଚ ସୁଦ୍ଧା ବର୍ଷା ଧୀରେ ଧୀରେ ପୂର୍ବ ଏବଂ ଉତ୍ତର-ପୂର୍ବ ଭାରତ ଆଡକୁ ମୁହାଁଇବ। ଯିବାବେଳେ ଉତ୍ତର ପ୍ରଦେଶର ଅନେକ ସ୍ଥାନରେ ବର୍ଷା ଛେଚିବ।
ଏହି ଖବରଟିକୁ ପଢନ୍ତୁ- ଆସୁଛି କାଳବୈଶାଖୀ, ଉତ୍ତର ଓ ଉପକୂଳ ଓଡ଼ିଶାରେ ବର୍ଷିବ, ଝଡ଼ବର୍ଷା ପାଇଁ ୬ ଜିଲ୍ଲାକୁ ଅରେଞ୍ଜ ଓ୍ବାର୍ଣ୍ଣିଂ